ନୂଆଦିଲ୍ଲୀ, ୨୫।୧୧ : ଉଚ୍ଚ ଶିକ୍ଷା ଆଶାରେ ସୁଦୂର ମସ୍କୋ ଯାଇଥିଲେ । ରହୁ ରହୁ ରୁଷର ନାଗରିକତା ଗ୍ରହଣ କଲେ । ଏହାପରେ ରୁଷୀ ସେନାରେ ସାମିଲ ହୋଇ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢୁଛନ୍ତି। ଏବେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ଦିବାସପ୍ନ ପାଲଟିଛି। ଏପଟେ ପୁତ୍ରକୁ ନ ଦେଖି ପୁରା ପରିବାର ଚିନ୍ତାରେ। ଶେଷରେ ଉପାୟଶୂନ୍ୟ ପିତା ସୁପ୍ରିମକୋର୍ଟକୁ ଯାଇ ଗୁହାରି ଲଗାଇଛନ୍ତି।

ପିଟିସନର ଶୁଣାଣି କରି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଓ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ଭାରତୀୟ ଯୁବକଙ୍କୁ ଫେରାଇ ଆଣିବା ଲାଗି ସମସ୍ତ ବିକଳ୍ପ ସନ୍ଧାନ ଲାଗି ସରକାରଙ୍କୁ କହିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ସରକାର ମାନବୀୟ ସହାୟତା ସମେତ ପ୍ରତ୍ୟାବର୍ତ୍ତନର ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବେ। କିନ୍ତୁ ଏ କ୍ଷେତ୍ରରେ ସରକାରଙ୍କର ସୀମିତ ଭୂମିକା ରହିଛି। ରୁଷୀ ଅଧିକାରୀ ଏ ବାବଦରେ ସୂଚନା ଦେବାକୁ ମନା କରିପାରନ୍ତି।

ଏହି ଘଟଣାରେ ସୁପ୍ରିମକୋର୍ଟ ଅଧିକ ସ୍ପଷ୍ଟୀକରଣ ମାଗିଛନ୍ତି I ମସ୍କୋରେ ପଢ଼ିବାକୁ ଯିବା ଲାଗି ମଧ୍ଯସ୍ଥିଙ୍କ ସହ ହୋଇଥିବା ଚୁକ୍ତି ସଂକ୍ରାନ୍ତରେ ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି । ସେହିଭଳି ସମ୍ପୃକ୍ତ ଯୁବକଙ୍କ ନାଗରିକତା ପରିବର୍ତ୍ତନ ନେଇ ଭାରତୀୟ ଅଧିକାରୀଙ୍କୁ ରୁଷ୍ ତରଫରୁ ସୂଚନା ଦିଆଯିବା ପରେ କେନ୍ଦ୍ର ଏହି ମାମଲାରେ ହସ୍ତକ୍ଷେପ କରିପାରିବ କି ନାହିଁ ତାହା ଅଦାଲତ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Also Read :- ୪୭ ହଜାର ମହିଳାଙ୍କୁ ହତ୍ୟା କରିଛନ୍ତି ପରିବାର ଲୋକେ ! ଆଫ୍ରିକାରେ ସବୁଠୁ ବେଶି, ଦ୍ୱିତୀୟରେ ଏସିଆ

ଆବେଦନକାରୀଙ୍କ ଅନୁସାରେ, ତାଙ୍କ ପୁତ୍ର ପଢ଼ିବା ଲାଗି ଏପ୍ରିଲରେ ରୁଷ ଯାଇଥିଲେ। ରୁଷ ପହଞ୍ଚିବାର କିଛି ମାସ ପରେ ପରିବାରକୁ ମସ୍କୋସ୍ଥିତ ଭାରତୀୟ ଦୂତାବାସରୁ ଏକ ସନ୍ଦେଶ ମିଳିଥିଲା। ଏଥିରେ କୁହାଯାଇଥିଲା କି ଯୁବକ ଜଣକ ରୁଷୀ ନାଗରିକ ଭାବେ ଏହାର ସେନାରେ ସାମିଲ ହୋଇଛନ୍ତି। ଏହି ମାମଲା ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ମୁଖରେ ଉଠାଯାଇଥିବା ବି କୁହାଯାଇଥିଲା। ତାଙ୍କୁ ସେନାରୁ ମୁକ୍ତ ଲାଗି ଅନୁରୋଧ କରାଯାଇଥିଲା। ରୁଷୀ ଅଧିକାରୀଙ୍କ ପକ୍ଷରୁ ଜବାବ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଭାରତୀୟ ଦୂତାବାସ କହିଛି। ଏତେ ଶୀଘ୍ର ପୁଅକୁ ରୁଷୀ ନାଗରିକତା କିଭଳି ମିଳିଲା, ତାହା ନେଇ ସମ୍ପୃକ୍ତ ଯୁବକଙ୍କ ପିତା ପ୍ରଶ୍ନ ଉଠାଇଛନ୍ତି ।