ନୂଆଦିଲ୍ଲୀ, ୨୫।୧୧ : ଗତବର୍ଷ ସାରାବିଶ୍ଵରେ ୪୭ ହଜାରରୁ ଅଧିକ ମହିଳା, ବାଳିକା ସେମାନଙ୍କ ପରିବାର ବା ଜୀବନସାଥୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି। ଅର୍ଥାତ ପ୍ରତି ଘଣ୍ଟାରେ ପ୍ରାୟ ଜଣେ ମହିଳାଙ୍କୁ ସେମାନଙ୍କ ସମ୍ପର୍କୀୟ ହତ୍ୟା କରିଥିବା ଜାତିସଂଘର ଏକ ରିପୋର୍ଟରେ ପ୍ରକାଶ ପାଇଛି।

ୟୁଏନ ୱିମେନ୍ ଏବଂ ଜାତିସଂଘର ଡ୍ରଗ୍ସ ଓ ଅପରାଧ କାର୍ଯ୍ୟାଳୟ (ୟୁଏନଓଡିସି)ର ଆକଳନ ଅନୁଯାୟୀ, ଗତ କିଛି ବର୍ଷ ହେଲା ଜୀବନସାଥୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ଵାରା ହତ୍ୟାର ଶିକାର ହେଉଥିବା ମହିଳା ଏବଂ ବାଳିକାଙ୍କ ସଂଖ୍ୟା ୪୫,୦୦୦ରୁ ୫୧,୦୦୦ ମଧ୍ୟରେ ରହି ଆସିଛି। ରିପୋର୍ଟ ମୁତାବକ, ଗତବର୍ଷ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟାର ଶିକାର ହୋଇଥିବା ୭୮,୦୦୦ ମହିଳା ଏବଂ ବାଳିକାଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତଙ୍କୁ ସେମାନଙ୍କ ଜୀବନସାଥୀ କିମ୍ବା ପରିବାର ସଦସ୍ୟମାନେ ହତ୍ୟା କରିଛନ୍ତି । ପ୍ରତିଦିନ ହାରାହାରି ୧୨୯ ଜଣ ମହିଳା ଏବଂ ବାଳିକାଙ୍କୁ ହତ୍ୟା କରାଯାଉଛି। ୧୨୨ଟି ଦେଶ ଏବଂ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ତଥ୍ୟର ବିଶ୍ଳେଷଣରୁ ଏହା ଜଣାପଡ଼ିଛି।

୨୦୨୫ରେ ବିଶ୍ଵବ୍ୟାପୀ ମୋଟ ହତ୍ୟା ପୀଡ଼ିତଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୧୯ ପ୍ରତିଶତ ଥିବାବେଳେ, ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଘରେ ବା ଘରୋଇ ପରିସରରେ ହତ୍ୟା କରାଯାଇଛି। ଅନ୍ୟପକ୍ଷରେ, ଏଭଳି ପରିସ୍ଥିତିରେ ପ୍ରାଣ ହରାଇଥିବା ପୁରୁଷଙ୍କ ସଂଖ୍ୟା ୧୧ ପ୍ରତିଶତ ରହିଛି।

ଘରୋଇ ହିଂସା ନିବାରଣ କ୍ଷେତ୍ରରେ କେବଳ ଜୀବନସାଥୀ ନୁହଁନ୍ତି ବରଂ ପାରିବାରିକ ସମ୍ପର୍କ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ଜାତିସଂଘ ଗୁରୁତ୍ବାରୋପ କରିଛି। ବିଶ୍ବର କୌଣସି ଦେଶ ବା କ୍ଷେତ୍ର ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲେ ବି ଆଫ୍ରିକାରେ ଏହି ଅସୁରକ୍ଷା ସର୍ବାଧିକ ରହିଛି। ଆଫ୍ରିକା ମହାଦେଶରେ ବର୍ଷକରେ ସର୍ବାଧିକ ୨୨,୧୦୦ ମହିଳା ଏବଂ ବାଳିକା ସେମାନଙ୍କ ପରିବାର ସଦସ୍ୟ କିମ୍ବା ଜୀବନସାଥୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି। ଏହା ପଛକୁ ଏସିଆରେ ୧୫,୧୦୦, ଆମେରିକାରେ ୭,୪୦୦, ୟୁରୋପରେ ୨,୧୦୦ ଏବଂ ଓସେନିଆରେ ୩୦୦ ମହିଳା ଏବଂ ବାଳିକା ଏଭଳି ପରିସ୍ଥିତିରେ ଜୀବନ ହରାଇଛନ୍ତି।

Also Read :- ଗାଡ଼ିରେ ଥର୍ଡପାର୍ଟି ଇନ୍‌ସୁରାନ୍ସ ଅଛି କି ନାହିଁ, ଟୋଲ୍‌ ପ୍ଲାଜାରେ ଧରାପଡ଼ିବ: ନୂଆ ଟେକ୍ନୋଲୋଜୀ ଆଣିବେ ସରକାର

ବିଶ୍ଵସ୍ତରରେ ସାଧାରଣ ହତ୍ୟା ହାର ହ୍ରାସ ପାଇଥିବା ବେଳେ, ବିଶେଷକରି ଆମେରିକା ଏବଂ ୟୁରୋପରେ ମହିଳା ହତ୍ୟା ହାର ଅପେକ୍ଷାକୃତ ଭାବେ ଧୀରେ ଧୀରେ ହ୍ରାସ ପାଉଥିବା ରିପୋର୍ଟରେ କୁହାଯାଇଛି। ସାମାଜିକ ଚଳଣି ଏବଂ ଲିଙ୍ଗଗତ ଭେଦଭାବ ତଥା ରୁଢ଼ିବାଦୀ ଚିନ୍ତାଧାରା ତଥା ମାନସିକତା ଏଭଳି ଅପରାଧର ମୂଳ କାରଣ ହୋଇଛି। ଏଥିସହ କୋହଳ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଏହି ଅପରାଧ ବୃଦ୍ଧିକୁ ଅନେକ ସମୟରେ ପ୍ରୋତ୍ସାହିତ କରୁଛି। ଘରୋଇ ପରିସର ବାହାରେ ଘଟୁଥିବା ମହିଳା ବିରୋଧୀ ଅପରାଧ ବା ହତ୍ୟା ସମ୍ବନ୍ଧିତ ମାମଲା ଅତ୍ୟନ୍ତ ସୀମିତ ରହିଥିବାରୁ ଏ ବାବଦ ବାସ୍ତବ ତଥ୍ୟ ସାମନାକୁ ଆସିପାରୁ ନଥିବା ରିପୋର୍ଟରେ ଦର୍ଶାଯାଇଛି ।