ଭୁବନେଶ୍ୱର: ଚୀନ ସ୍ପାଏ ମାମଲାରେ ଫସି ବଦନାମ ହେବା ପରେ ଏନଭିଡିଆର ସିଇଓ ପଦରୁ ଇସ୍ତଫା ଦେଇଥିଲେ ଏହାର ସଂସ୍ଥାପକ ଜେନସନ ହୁଆଙ୍ଗ। ହେଲେ ଇସ୍ତଫା ଦେବାର ମାତ୍ର ୧୧ ଦିନ ପରେ ସେ ପୁଣିଥରେ ନିଜ ଚେୟାରକୁ ଫେରିଛନ୍ତି। କମ୍ପାନୀର ବୋର୍ଡ ତାଙ୍କୁ ପୁଣିଥରେ ଅଧ୍ୟକ୍ଷ ଏବଂ ସିଇଓ ଭାବେ ନିଯୁକ୍ତ କରିଛି। ଏହି ଖବର ପରେ ଏନଭିଡିଆର ସେୟାରରେ ଦେଖିବାକୁ ମିଳିଛି ଏକ ବଡ଼ ବୃଦ୍ଧି। ତେବେ କେବଳ ହୁଆଙ୍ଗ ନୁହଁନ୍ତି, ଏହାପୂର୍ବରୁ ମଧ୍ୟ ଅନେକ ବଡ଼ କମ୍ପାନୀର ସିଇଓ ଇସ୍ତଫା ଦେବା ପରେ ପୁଣିଥରେ ନିଜ ପଦକୁ ଫେରିଛନ୍ତି। ଏନଭିଡିଆ ସହିତ ଏହିଭଳି ୬ଟି ବଡ଼ କର୍ପୋରେଟ୍ କମବ୍ୟାକ୍ ବିଷୟରେ ଆସନ୍ତୁ ଜାଣିବା।


NVIDIA: ଜେନସେନ ହୁଆଙ୍ଗଙ୍କ ସିଇଓ ପଦରେ ପୁଣିଥରେ ଧମାକାଦାର ରିଟର୍ଣ୍ଣ ହୋଇଛି। ନଭେମ୍ବର ୨୩ରେ NVIDIA ବୋର୍ଡ  ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଜେନସେନ୍ ହୁଆଙ୍ଗଙ୍କୁ ପୁଣିଥରେ କମ୍ପାନୀର ଅଧ୍ୟକ୍ଷ ଏବଂ ସିଇଓ ଭାବେ ନିଯୁକ୍ତ ଦେଇଛି। ଏହି ନିଯୁକ୍ତି ତୁରନ୍ତ ଲାଗୁ ହୋଇଛି। ନଭେମ୍ବର ୧୨ରେ ହୁଆଙ୍ଗ ଇସ୍ତଫା ଦେବା ପରେ ସିଏଫ୍‌ଓ କୋଲେଟ୍ କ୍ରେସ୍ ଅନ୍ତରୀଣ ସିଇଓ ଦାୟିତ୍ୱ ତୁଲାଇଥିଲେ। ଏବେ ସେ ପୁଣିଥରେ ନିଜ ଆର୍ଥିକ ବିଭାଗର ଦାୟିତ୍ୱ ତୁଲାଇବେ। ଏହି ଘୋଷଣା ପରେ NVIDIAର ସେୟାର ୩୦ ପ୍ରତିଶତରୁ ଅଧିକ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ (ବଜାର ପୁଞ୍ଜିକରଣରେ) ପ୍ରାୟ ୧ ଟ୍ରିଲିୟନ ଡଲାର ଯୋଡ଼ି ହୋଇଛି।

Also Read- ମାରୁତି ସୁଜୁକି ପରେ ଏବେ ହ୍ୟୁଣ୍ଡାଇ ବଢ଼ାଇଲା ଗାଡ଼ି ଦାମ: ୮ ହଜାର ଟଙ୍କା ପର୍ଯ୍ୟନ୍ତ ମୃଲ୍ୟ ବୃଦ୍ଧି

ଆପଲ: କର୍ପୋରେଟ୍ ଦୁନିଆରେ ସବୁଠାରୁ ଚର୍ଚ୍ଚିତ କମବ୍ୟାକ୍ ମଧ୍ୟରୁ ଗୋଟିଏ ହେଉଛି ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ସିଇଓ ପଦରେ ପ୍ରତ୍ୟାବର୍ତ୍ତନ। ୧୯୮୫ରେ କମ୍ପାନୀ ଛାଡ଼ିଥିବା ଜବ୍ସ ୧୯୯୭ରେ ପୁଣି ଆପଲକୁ ଫେରିଥିଲେ। ସେତେବେଳେ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ୧୯୯୭ରେ ଆପଲକୁ ୧.୦୪୫ ବିଲିୟନ ଡଲାରର କ୍ଷତି ହୋଇଥିଲା। କିନ୍ତୁ ପରବର୍ତ୍ତୀ ବର୍ଷ କମ୍ପାନୀ ୩୦୯ ନିୟୁତ ଡଲାରର ଲାଭ କରିଥିଲା। ଜବ୍ସଙ୍କ ନେତୃତ୍ୱରେ ଆଇପଡ୍, ଆଇଫୋନ୍ ଏବଂ ଆଇପ୍ୟାଡ୍ ଭଳି ଉତ୍ପାଦ ବଜାରକୁ ଆସିଥିଲା। ଆଉ ଆପଲ୍ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ଭାବେ ଉଭା ହୋଇଥିଲା।

ଗୁଗଲ: ଗୁଗଲର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ମଧ୍ୟ ଏହି ତାଲିକାରେ ଅଛନ୍ତି। ୨୦୦୧ରେ ସେ ସିଇଓ ପଦ ଛାଡ଼ି ଏରିକ୍ ସ୍ମିଟଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ୨୦୧୧ରେ ପୁଣିଥରେ ସିଇଓ ଭାବେ ଫେରିଥିଲେ। ତାଙ୍କ ନେତୃତ୍ୱରେ ଗୁଗଲର ବ୍ୟବସାୟ ଜବରଦସ୍ତ ବଢ଼ିଥିଲା। ୨୦୧୦ରେ କମ୍ପାନୀର ରାଜସ୍ୱ ପ୍ରାୟ ୨୯.୩ ବିଲିୟନ ଡଲାର ଥିବା ବେଳେ ୨୦୧୯ରେ ଏହା ୧୬୧.୯ ବିଲିୟନ ଡଲାରରେ ପହଞ୍ଚିଥିଲା।


ସାମସଙ୍ଗ: ସାମସଙ୍ଗର ପୂର୍ବତନ ଚେୟାରମ୍ୟାନ୍ ଲି କୁନ୍-ହିଙ୍କ କମବ୍ୟାକ୍ ମଧ୍ୟ ଥିଲା ଚର୍ଚ୍ଚାରେ। ୨୦୦୮ରେ ଟିକସ ଠକେଇ ଏବଂ ବିଶ୍ୱାସ ଭାଙ୍ଗିବା ମାମଲାରେ ଅଭିଯୁକ୍ତ ହେବା ପରେ ସେ ପଦ ଛାଡ଼ିଥିଲେ। ୨୦୦୯ରେ ରାଷ୍ଟ୍ରପତିଙ୍କ କ୍ଷମା ପାଇବା ପରେ ୨୦୧୦ ମାର୍ଚ୍ଚରେ ପୁଣି ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଚେୟାରମ୍ୟାନ୍ ହୋଇଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀର ବ୍ୟବସାୟ ଆହୁରି ବଢ଼ିଥିଲା। ୨୦୧୩ ମସିହାରେ, ଏହି ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ୩୬.୮ ଟ୍ରିଲିୟନ ୱନର ଅପରେଟିଂ ପ୍ରଫିଟ ଘୋଷଣା କରିଥିଲା। ଯାହା ସେହି ସମୟରେ ଏକ ରେକର୍ଡ ଥିଲା। ଲି ୨୦୧୪ ମସିହାରେ ଡାକ୍ତରଖାନାରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିଥିଲେ। ୨୦୨୦ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଥିଲା।

ଓପନଏଆଇ: AI ଦୁନିଆରେ ସାମ୍ ଅଲ୍ଟମ୍ୟାନଙ୍କ ସିଇଓ ପଦକୁ ଫେରିବା ଥିଲା ସବୁଠାରୁ ନାଟକୀୟ ଘଟଣା ମଧ୍ୟରୁ ଗୋଟିଏ। ୨୦୨୩ ନଭେମ୍ବର ୧୭ରେ OpenAI ବୋର୍ଡ ତାଙ୍କୁ CEO ପଦରୁ ହଟାଇ ଦେଇଥିଲା। ଏହାପରେ କମ୍ପାନୀରେ ଆରମ୍ଭ ହୋଇଥିଲା ବଡ଼ ବିବାଦ। ୭୦୦ରୁ ଅଧିକ କର୍ମଚାରୀ ଅଲ୍ଟମ୍ୟାନଙ୍କ ସମର୍ଥନରେ ଚାକିରି ଛାଡ଼ିବାର ଧମକ ଦେଇଥିଲେ। ଶେଷରେ ନଭେମ୍ବର ୨୨ରେ ତାଙ୍କ ଫେରିବା ନେଇ ସହମତି ହୋଇଥିଲା ଏବଂ ନଭେମ୍ବର ୨୯ରେ ସେ ପୁଣି ସିଇଓ ଦାୟିତ୍ୱ ଗ୍ରହଣ କରିଥିଲେ ଅଲ୍ଟମ୍ୟାନ। ଏହାପରେ କମ୍ପାନୀ ନିବେଶକମାନଙ୍କ ଆକୃଷ୍ଟ କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ଏଆଇ କ୍ଷେତ୍ରରେ ଓପନଏଆଇର ସ୍ଥିତି ମଜଭୁତ ରହିଛି।

Also read- ବିସଲେରୀ ପାଣିରେ ମିଳିଲା କେମିକାଲ, କମ୍ପାନିର ସଫେଇ- ଆମର ପାଣି ସଂପୂର୍ଣ୍ଣ ପିଇବା ଯୋଗ୍ୟ

ଟ୍ୱିଟର: ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡର୍ସି ମଧ୍ୟ ୨୦୧୫ରେ ପୁଣିଥରେ ସିଇଓ ପଦକୁ ଫେରିଥିଲେ। ଏହା ପୂର୍ବରୁ ସେ ୨୦୦୮ରେ ଏହି ପଦ ଛାଡ଼ିଥିଲେ। ତାଙ୍କ ଦ୍ୱିତୀୟ ଇନିଂସରେ ଟ୍ୱିଟରର ରାଜସ୍ୱ ବଢ଼ିଥିଲା। ୨୦୧୫ରେ ୨.୨ ବିଲିୟନ ଡଲାର ଥିବା ରାଜସ୍ୱ ୨୦୨୧ରେ ପ୍ରାୟ ୫.୧ ବିଲିୟନ ଡଲାରରେ ପହଞ୍ଚି ଯାଇଥିଲା। ତେବେ କମ୍ପାନୀ କ୍ଷତିରୁ ମୁକୁଳି ପାରିନଥିଲା। ୨୦୨୧ରେ ଡର୍ସି ପୁଣିଥରେ ସିଇଓ ପଦ ଛାଡ଼ି ଦେଇଥିଲେ। ଏହାପରେ ପରାଗ ଅଗରୱାଲ ଏହି ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୨୨ ମସିହା ଅକ୍ଟୋବର ମାସରେ ଏଲନ୍ ମସ୍କ ପ୍ରାୟ ୪୪ ବିଲିୟନ ଡଲାର୍ ବିନିମୟରେ ଟ୍ୱିଟରକୁ କିଣିଥିଲେ।

ଜେସି-ପେନି: କିନ୍ତୁ ସବୁ ସିଇଓଙ୍କ ପ୍ରତ୍ୟାବର୍ତ୍ତନ କିନ୍ତୁ ସଫଳ ହୋଇନାହିଁ। ଆମେରିକାର ରିଟେଲ୍ କମ୍ପାନୀ J.C. Penney ଏହାର ଏକ ଉଦାହରଣ। ୨୦୧୩ରେ କମ୍ପାନୀ ପୂର୍ବତନ ସିଇଓ ମାଇକ୍ ଉଲମ୍ୟାନଙ୍କୁ ପୁଣି ଫେରାଇ ଆଣିଥିଲା। ତେବେ ତାଙ୍କ ପ୍ରତ୍ୟାବର୍ତ୍ତନ କମ୍ପାନୀର ଭାଗ୍ୟ ବଦଳାଇ ପାରିନଥିଲା। କ୍ରମାଗତ ଆର୍ଥିକ ସଙ୍କଟ ଯୋଗୁ ଶେଷରେ ୨୦୨୦ ମସିହା ମେ' ମାସରେ କମ୍ପାନୀ ଦେବାଳିଆ ସୁରକ୍ଷା ପାଇଁ ଆବେଦନ କରିଥିଲା।ତେବେ ଏହି ସବୁ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ, କୌଣସି କମ୍ପାନୀର ପୂର୍ବତନ ସିଇଓଙ୍କ ପ୍ରତ୍ୟାବର୍ତ୍ତନ କେବଳ ନେତୃତ୍ୱ ପରିବର୍ତ୍ତନ ନୁହେଁ, ବରଂ କମ୍ପାନୀର ଭବିଷ୍ୟତ ପାଇଁ ଏକ ବଡ଼ ନିଷ୍ପତ୍ତି। କେଉଁଠି ଏହି ରିଟର୍ଣ୍ଣ କମ୍ପାନୀର ଭାଗ୍ୟ ବଦଳାଇଛି, ତ ଆଉ କେଉଁଠି ଏହା ବିଫଳ ହୋଇଛି। ତେବେ NVIDIA ଜେନସେନ୍ ହୁଆଙ୍ଗଙ୍କ ଦ୍ୱିତୀୟ ଇନିଂସ୍ ସଫଳ ହେବ ନା ବିଫଳ, ଏବେ ସମସ୍ତଙ୍କ ନଜର ତା’ ଉପରେ।