ଭୁବନେଶ୍ୱର ୧୪।୦୪ : ଏଇତ ଆରମ୍ଭ । ଆଗକୁ ଆହୁରି ତାତି । ପ୍ରବଳ ଖରା ସାଙ୍ଗକୁ ଭୀଷଣ ଗରମ । ଦିନ ଗୋଟାଏ ବେଳକୁ ଦେହ, ହାତ ପୋଡ଼ି ପକାଉଥିଲା । ତାତିର ଜ୍ୱାଳାରେ ମୁଣ୍ଡ ବୁଲାଇଥିଲା । ଇଏ କିଛି ନୁହେଁ, ଆଗକୁ ସ୍ଥିତି ଭୟଙ୍କର।

ମଙ୍ଗଳବାର ଟିଟିଲାଗଡ଼ରେ ୪୫ ଡିଗ୍ରୀ ଛୁଇଁପାରେ ତାତି । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୪୩ ଡିଗ୍ରୀ ରହିବ। ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ। ଦିନ ତାପମାତ୍ରା ଆହୁରି ବଢ଼ିବ। ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଭାଗ ତାତିକୁ ନେଇ ପୂର୍ବାନୁମାନ ଜାରି କରିବା ସହ ଏଭଳି ସତର୍କ କରାଇଛି । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତାତିରେ କଲବଲ ହେବ । ଉପକୂଳ ଅଞ୍ଚଳରେ ଅପେକ୍ଷାକୃତ କମ୍ ତାତି ଅନୁଭୂତ ହେଲେ ବି ୪୦ ଡିଗ୍ରୀ ପାଖାପାଖି ରହିବ । ଏଠାରେ ଗରମସାଙ୍ଗକୁ ଭୀଷଣ ଗୁଳୁଗୁଳି ହୋଇପାରେ ।

Also Read:-Surya Gochar ୨୦୨୬: ସୂର୍ଯ୍ୟଙ୍କ ମେଷ ରାଶିରେ ମହାଗୋଚର, ୪ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ

ବୁଧବାର(୧୫ ତାରିଖ) ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିପାରେ । ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ସୋନପୁରରେ ୪୩, ବୌଦ୍ଧରେ ୪୨, ନୂଆପଡ଼ା, ଭବାନୀପାଟଣା ଓ ବାରିପଦାରେ ୪୧ ଡିଗ୍ରୀ ରହିପାରେ ।

୧୬ ତାରିଖରେ ବି ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ଭାଜି ହେବ । ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିବାର ଆଶଙ୍କା ଅଛି । ଏହାର ୪ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରହିପାରେ । ଅଧିକାଂଶ ସ୍ଥାନରେ ତାତି ୪୩ରୁ ୪୫ ଡିଗ୍ରୀ ପାଖାପାଖି ରହିବ । ୧୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ଯୋଗୁ ତତଲା ପବନ ବହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳିବନି ।

ସୋମବାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଥିଲା ।  ଛୋଟ ପିଲା, ବରିଷ୍ଠ ନାଗରିକ, ଅସୁସ୍ଥ ଥିବା ଲୋକେ ଖରାରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅନ୍ୟମାନେ ଖରାରୁ ରକ୍ଷା ପାଇଁ ଛତା ବ୍ୟବହାର କରିବା ସହ ମୁଣ୍ଡକୁ କପଡ଼ାରେ ଘୋଡ଼ାଇବା ସହ ହାଲୁକା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।