ଭୁବନେଶ୍ୱର ୨୦।୦୯ : ସୁସ୍ଥ ଅଛନ୍ତି ଓରାଙ୍ଗଉଟାନ  । ନନ୍ଦନକାନନରେ ରଖାଯାଇଥିବା ୫ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି । ସେମାନଙ୍କ ଖାଦ୍ୟ ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି ଟେକନିକାଲ ଟିମ୍ ସଦସ୍ୟ।

ଦିଲ୍ଲୀ ଚିଡିଆଖାନାରୁ ଆସିଥିବା ଭେଟନାରୀ ଅଧିକାରୀ ଡକ୍ଟର ଅଭିଜିତ ଭାବଲ ଏବଂ ଡାକ୍ତର ସନତ କ୍ରୀଷ୍ଣା ମୂଲୀୟ ଡେରାଡ଼ୁରୁ ଆସି ଗତକାଲି ଶାବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ପାଣି ଖାଦ୍ୟ ସହ ସଲିଡ଼ ଫୁଡ଼ ଧୀରେ ଧୀରେ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଟେକନିକାଲ ଟିମ୍।  ଏହା ଛଡା କୃମି ନାଶ ପାଇଁ ଔଷଧ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଅଛି ବୋଲି ଟେକନିକାଲ ଟିମ୍ ସଦସ୍ୟ କହିଛନ୍ତି।

Also Read:-Orangutans : ନନ୍ଦନକାନନରେ ବିରଳ ଓରାଙ୍ଗଉଟାନ, ଓଡ଼ିଶାକୁ ଆସିଲେ କେମିତି ?

ସୂଚନାଯୋଗ୍ୟ ଯେ, ବାଲେଶ୍ବରର ବିଚିତ୍ରପୁର ଜଙ୍ଗଲରୁ ଏହି ୫ ଓରାଙ୍ଗଉଟାନ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ୩ଟି ଅଣ୍ଡିରା, ୨ଟି ମାଈ ଅଛନ୍ତି। ସମସ୍ତଙ୍କ ବୟସ ୧ ବର୍ଷରୁ କମ୍। ଇଣ୍ଡୋନେସିଆ, ମାଲେସିଆ ଭଳି ଚିରହରିତ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ ବନ୍ୟଜନ୍ତୁ କେଉଁଠୁ କେଉଁ ରୁଟ୍ ଦେଇ ଓଡ଼ିଶା ଆସିଲେ ତାହା ସଭିଙ୍କୁ ତାଜୁବ କରିଛି। 

ତେବେ ଏହି ଘଟଣାକୁ ନେଇ ସନ୍ଦେହ କରାଯାଉଛି କି, ଏହା ପଛରେ ଏକ ବିରାଟ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରି ରାକେଟ୍ ସକ୍ରିୟ ଅଛି। ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଚୋରାରେ ଚାଲାଣ କରାଯାଇଥାଇପାରେ। ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି। ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି। ଯାହାକୁ ନେଇ ବନ୍ୟଜନ୍ତୁ ତସ୍କରିର ଗନ୍ଧ ବାରି ହେଉଛି। ବନ ଅଧିକାରୀମାନେ ଏହାର ଲିଙ୍କ୍ ଖୋଜୁଛନ୍ତି। ଯଦି କିଛି ପ୍ରମାଣ ମିଳେ, ତେବେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଅନ୍ତର୍ଜାତୀୟ ରାକେଟର ତଦନ୍ତ କରାଯିବ।