ବାରାଣସୀ ୨୦।୯: ଝାଡ଼ଖଣ୍ଡର ନକ୍ସଲ କମାଣ୍ଡରକୁ ବାରାଣସୀରେ ଏନକାଉଣ୍ଟର। ବାରାଣସୀ ରାମନଗର ଥାନା ଅଞ୍ଚଳରେ ୟୁପି ଏଟିଏସ୍ ଏବଂ ପୋଲିସର ମିଳିତ ଅପରେସନ । ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ କମାଣ୍ଡର ବ୍ରିଜେଶ ସିଂହ ନିହତ । ମୁଣ୍ଡ ଉପରେ ଲାଗିଥିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର । ମୃତ ନକ୍ସଲ ବ୍ରିଜେଶ ଓରଫ ଗୋପାଳ ସିଂହ ବୋଲି ଚିହ୍ନଟ କରାଯାଇଛି । ଗୋପାଳ ଝାଡ଼ଖଣ୍ଡର ନିଷିଦ୍ଧ ନକ୍ସଲ ସଂଗଠନ ତୃତୀୟ ପ୍ରସ୍ତୁତି କମିଟିର କମାଣ୍ଡର ଥିଲା । ଏହି ଏନକାଉଣ୍ଟର ବାରାଣସୀର ରାମନଗର ଥାନା ଅଞ୍ଚଳରେ ହୋଇଛି । ନିହତ ନକ୍ସଲଙ୍କ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ ଟଙ୍କା ଏବଂ ଏନଆଇଏ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।

ୟୁପି ଆଇନ ଶୃଖଂଳା ADG ଅମିତାଭ ୟସ କହିଛନ୍ତି, ନକ୍ସଲ କମାଣ୍ଡର ବ୍ରିଜେଶ ତାଙ୍କର ଜଣେ ସାଥୀ ସହ ବାରାଣସୀର ରାମନଗର ଥାନା ଅଞ୍ଚଳର ଲଙ୍କା ମଇଦାନ ଦେଇ ମୁଗଲସରାଇ ଅଭିମୁଖେ ଏକ ମୋଟରସାଇକେଲରେ ଯାଉଥିବା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଘେରାବନ୍ଦୀ କରାଯାଇଥିଲା । ତାଙ୍କ ବାଇକ୍କୁ ଅଟକାଇ ଗିରଫ କରିବା ପୋଲିସ ପକ୍ଷରୁ ଇସାରା ଦିଆଯାଇଥିଲା । କିନ୍ତୁ ଧରାପଡ଼ିବା ଭୟରେ ସେ ତାଙ୍କ ପିସ୍ତଲରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ସମୟରେ ଡିଏସପି ଏବଂ ହେଡ୍ କନଷ୍ଟେବଳ ନୀତିନ କୃଷ୍ଣଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଉପରେ ଗୁଳି ବାଜିଥିଲା ।

Also Read:- ବଞ୍ଚାଇ ପାରିଲାନି ଦାମୀ କାର୍ : ବ୍ରିଜ୍ ତଳକୁ ଖସିପଡିଲା BMW, ୩ ଯୁବକ ମୃତ

ଏହାପରେ ପୋଲିସ ପକ୍ଷରୁ ଜୋରଦାର ପାଲଟା ଆକ୍ରମଣ କରାଯାଇଥିଲା । ବ୍ରିଜେଶଙ୍କ ଦେହରେ ଗୁଳି ଲାଗିବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ । ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କ ସହଯୋଗୀ ଖସି ପଳାଇଛି । ବ୍ରିଜେଶ ଝାଡ଼ଖଣ୍ଡର ଚତରା ଜିଲ୍ଲାର ଲାୱାଲାଉଙ୍ଗ ଥାନା ଅଞ୍ଚଳର ବାସିନ୍ଦା । ସେ ପରିବହନକାରୀ, କୋଇଲା ଖଣି କମ୍ପାନି ଏବଂ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏନଆଇଏ ତାଙ୍କୁ ଏକ ଆତଙ୍କୀ ପାଣ୍ଠି ମାମଲାରେ ୱାଣ୍ଟେଡ୍ ଘୋଷଣା କରିଥିଲା । ବ୍ରିଜେଶଠାରୁ ଏଟିଏସ ଦୁଇଟି ପିସ୍ତଲ ଜବତ କରିଛି। ତାଙ୍କ ନିକଟରୁ ଅନେକ କାର୍ଟ୍ରିଜ୍ ଏବଂ ଗୁଳି ମଧ୍ୟ ମିଳିଛି ।

Watch Video: