ନୂଆଦିଲ୍ଲୀ, ୨୦/୦୯: ସାଉଦି ଆରବର ରାଜଧାନୀ ରିୟାଦର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଶନିବାର ଅଚାନକ ଭୀଷଣ ଅଗ୍ନିଶିଖା ଦେଖାଯିବା ପରେ ଅତଙ୍କ ସୃଷ୍ଟି ହୋଇଥିଲା । ମୋଟା କଳା ଧୂଆଁର କୁଣ୍ଡଳୀ ଆକାଶକୁ ଆଚ୍ଛାଦିତ କରିଥିଲା। ଏହି ଘଟଣା ଯୋଗୁ ଅନେକ ବିମାନର ଉଡ଼ାଣ ପ୍ରଭାବିତ ହୋଇଥିଲା। ବିମାନବନ୍ଦରରେ ଜରୁରି ଆଲର୍ଟ ଜାରି କରାଯାଇଥିଲା। ହୁତି ବିଦ୍ରୋହୀଙ୍କ ଦ୍ବାରା କରାଯାଇଥିବା ସନ୍ଦିଗ୍ଧ ଆକ୍ରମଣ ପରେ ଏହି ଘଟଣା ଘଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି।

ବିମାନବନ୍ଦର ପରିସର ନିକଟରେ ଥିବା ଏକ ତୈଳ ଭଣ୍ଡାରଣ ଡିପୋରୁ ଘନ କଳା ଧୂଆଁ ଉଠିଥିବା ସେ କହିଛନ୍ତି। ଅଦ୍ୟାବଧି ଏହାକୁ ନେଇ ସାଉଦି ପ୍ରଶାସନ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରିନାହିଁ। ତେବେ ସାଉଦି ସିଭିଲ୍ ଡିଫେନ୍ସ ଫୋର୍ସ ଶୁକ୍ରବାର ରାତିରେ ହିଁ ରିୟାଦ୍ ଏବଂ ରାଜଧାନୀ ନିକଟସ୍ଥ ସହର ଅଲ-ଖର୍ଜର ଲୋକଙ୍କୁ ଫୋନରେ ଏମର୍ଜେନ୍ସି ଆଲର୍ଟ ପଠାଇଥିଲା। ଶନିବାର ସକାଳୁ ସ୍ଥିତି ସ୍ବଭାବିକ ଦେଖିବା ପରେ ପ୍ରଶାସନ ବିପଦ ଟଳିଯାଇଥିବା ସଂପର୍କରେ ମେସେଜ୍ ଦେଇଥିଲା। ଏହାପରେ ବିମାନବନ୍ଦର ନିକଟରେ ଧୂଆଁର କୁଣ୍ଡଳୀ ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ ।

Also Read :- ଆସୁଛି ବାତ୍ୟା : ଏହି ସବୁ ଜିଲ୍ଲାକୁ ବେଶି ବିପଦ, ଜଣାପଡିଲା ଲ୍ୟାଣ୍ଡଫଲ୍ ସ୍ପଟ୍ !

ସୂଚନାଥାଉକି,ୟେମେନର ହୁତି ବିଦ୍ରୋହୀମାନେ ନିକଟରେ ସାଉଦି ଆରବ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି। ସେମାନେ ସାଉଦି ଆରବର ଗୁରୁତ୍ବପୂର୍ଣ ତୈଳ କେନ୍ଦ୍ର,ସାମରିକ ଠିକଣା ଏବଂ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍ କରୁଛନ୍ତି। ଏହାଦ୍ୱାରା ସାଉଦି ଆରବର ଆର୍ଥିକ ଏବଂ ରଣନୈତିକ ଢାଞ୍ଚାକୁ କ୍ଷତି ପହଞ୍ଚାଇବା ସେମାନଙ୍କର ଉଦ୍ଦେଶ୍ୟ। ପୂର୍ବରୁ ହୁତି ବିଦ୍ରୋହୀ ସାଉଦିର ଆରମକୋ ତେଲ କେନ୍ଦ୍ର ଏବଂ ଅନ୍ୟ କିଛି ସହରରେ ଡ୍ରୋନ୍,ମିସାଇଲ୍ ଆକ୍ରମଣ କରିଥିବା ଦାବି କରିଥିଲେ।