ବାଲିଗୁଡ଼ା: ପରିଚୟ ଦେଉଥିଲେ ଆର୍ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମଭିଆଇ) ବୋଲି । ଠାଣି ବି ରଖିଥିଲେ ସେଭଳି । ଖାଲି କ’ଣ ଠାଣି ? ଅଧିକାରୀଙ୍କ ଭଳି ଡ଼ି ବି ଚଢ଼ି ଯାଉଥିଲେ... ରେଡ୍ ବି କରୁଥିଲେ... ହେଲେ ଏସବୁ କିନ୍ତୁ ଥିଲା ପୂରା ମିଥ୍ୟା । ମାନେ ଜଣେ ନକଲି ଏମଭିଆଇଙ୍କ ଅସଲ ମୁଖା ଏବେ ଖୋଲିଯାଇଛି । ଧରାପଡ଼ିବା ପରେ ଏବେ ତାଙ୍କର କଳା କାରନାମା ସାମ୍ନାକୁ ଆସିଛି। ସାରଙ୍ଗଡ଼ ଥାନା ପୋଲିସ ଏଭଳି ଜଣେ ନକଲି ଏମଭିଆଇଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଗିରଫ ଯୁବକ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ (୩୦) ନିଜକୁ କେତେବେଳେ ଗଞ୍ଜାମ ତ’ ପୁଣି କେତେବେଳେ କନ୍ଧମାଳ ଆରଟିଓର ଏମଭିଆଇ ବୋଲି ପରିଚୟ ଦେଉଥିଲ । ଏମିତିକି ଏହି ନକଲି ଏମଭିଆଇ ପରିଚୟରେ ସେ ଚେକିଙ୍ଗ ମଧ୍ୟ କରୁଥିଲେ । ଏହି ନକଲି ଚେକିଂରୁ ପୋଲିସ ମଧ୍ୟ ବାଦ୍ ପଡ଼ିନାହାନ୍ତି।

ତେବେ କଥା ଏତିକିରେ ସରିନି... ପୋଲିସର ସୂଚନା ଅନୁସାରେ, ସରକାରୀ ଚାକିରି କରାଇଦେବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ଠାରୁ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇଥିଲେ ଏହି ନକଲି ଏମଭିଆଇ । ଆଉ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ଅଭିଯୁକ୍ତ ନକଲି ଏମଭିଆଇଙ୍କୁ ଧରିଛି।

Also Read: ନକଲି ଜମି ମାଲିକ ସାଜି ଜମି ବିକ୍ରି, ମୁଖ୍ୟ ଅଭିଯୁକ୍ତ ଅଭୟ ପଣ୍ଡାଙ୍କୁ ବାନ୍ଧିଲା ପୋଲିସ

ଗିରଫ ପରେ ତାଙ୍କ ନିକଟରୁ OMVD ୟୁନିଫର୍ମ, ନାମ ଫଳକ, ଦୁଇଟି କାର୍, ବ୍ୟାଙ୍କ ପାସ୍ ବୁକ୍ , କମଳା ରଙ୍ଗର ଲାଇଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ସାରଙ୍ଗଡ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଏକାଧିକ ମହିଳା ଓ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନିଜର ଓଏସ ଆରାମ ର ଜୀବନ ଅତିବାହିତ କରୁଥିବା ବେଳେ ଅନ୍ୟ ପୀଡ଼ିତା ଓ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଥିବା କହିଛନ୍ତି କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ।