ନୂଆଦିଲ୍ଲୀ ୦୯।୦୯; ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମରେ  ବଡ଼ଧରଣର ବୈଷୟିତ ତ୍ରୁଟି । ଏହି କାରଣରୁ ଦେଶବ୍ୟାପୀ ହଜାରରୁ ଅଧିକ ବିମାନ ବାତିଲ୍ କରାଯାଇଛି । ମଙ୍ଗଳବାର ରାତି ପର୍ଯ୍ୟନ୍ତ ଏହି ସମସ୍ୟା ଲାଗିରହିବା ଯୋଗୁଁ ବ୍ରିଟେନର ଆକାଶମାର୍ଗ ଏବଂ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିମାନ ଉପରେ ନଜର ରଖୁଥିବା ଓ୍ଵେବ୍ସାଇଟ୍ 'Flightradar24' ପକ୍ଷରୁ ଏହି ସୂଚନା ଦିଆଯାଇଛି । ବ୍ରିଟେନର 'ନ୍ୟାସନାଲ୍ ଏୟାର ଟ୍ରାଫିକ୍ ସର୍ଭିସେସ୍' (NATS) ପକ୍ଷରୁ କୁହାଯାଇଛି ଯେ ଗତକାଲି ସନ୍ଧ୍ୟା ସୁଦ୍ଧା ସେମାନଙ୍କର ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମର ତ୍ରୁଟିକୁ ସୁଧାରି ନିଆଯାଇଥିଲା । କିନ୍ତୁ, ବିମାନ ଚଳାଚଳରେ ବିଳମ୍ବ ଯୋଗୁଁ ଦେଶର ୧୫ରୁ ଅଧିକ ବିମାନବନ୍ଦରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବହୁସଂଖ୍ୟକ ବିମାନ ଅଟକି ରହିଥିବାରୁ ଏୟାରଲାଇନ୍ସ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

୩ ଘଣ୍ଟା ଧରି ଫସି ରହିଲେ ଯାତ୍ରୀ:

ଆୟର୍ଲାଣ୍ଡ ଯିବାକୁ ଥିବା ରାୟନଏୟାର ବିମାନ ବାତିଲ୍ ହେବା ପୂର୍ବରୁ 'ଜୋସି ଡୋନୋଗ୍ୟୁ ଗ୍ୟାଟଭିକ୍' ନାମକ ଜଣେ ମହିଳା ଯାତ୍ରୀ ୩ ଘଣ୍ଟା ଧରି ବିମାନ ଭିତରେ ହିଁ ଫସି ରହିଥିଲେ । ସେ ପ୍ରତିକ୍ରିୟା ରଖି କହିଛନ୍ତି, "ଏହି ଏୟାରପୋର୍ଟରୁ ବାହାରିବା ଏମିତି ଲାଗୁଥିଲା ଯେପରି ଆମେ ଆଲ୍କାଟ୍ରାଜ୍ ଜେଲ୍ରୁ ବାହାରିବାକୁ ଚେଷ୍ଟା କରୁଛୁ ।" ଅନେକ ଯାତ୍ରୀ ଏୟାରପୋର୍ଟରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ବିମାନ ବାତିଲ ହୋଇସାରିଛି । ଏୟାରଲାଇନ୍ସ ପକ୍ଷରୁ ଆଗୁଆ ସୂଚନା ନ ମିଳିବା ଏବଂ ପ୍ରବଳ ଭିଡ଼ ଯୋଗୁଁ ବିମାନବନ୍ଦରଗୁଡ଼ିକରେ ଏକ ଅରାଜକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅନେକ ବିମାନ ବାତିଲ:

ଏନ୍ଏଟିଏସ୍ (NATS) ର ସିଷ୍ଟମ୍ ଫେଲ୍ ହେବା କାରଣରୁ ବ୍ରିଟିଶ୍ ଏୟାରୱେଜ୍, ଇଜିଜେଟ୍, କେଏଲଏମ୍ ଏବଂ ଲୁଫ୍ଥାନସା ଭଳି ପ୍ରମୁଖ ବିମାନ ସଂସ୍ଥାର ଶହ ଶହ ବିମାନ ବାତିଲ୍ ବା ବିଳମ୍ବିତ ହୋଇଛି । ଏପରିକି ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ମଧ୍ୟ ଜୁରିକ୍ ଡାଇଭର୍ଟ କରାଯାଇଥିଲା । ୟୁକେରେ ୧,୩୦୦ରୁ ଅଧିକ ବିମାନ ବାତିଲ ହେବାର ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳୁଛି । ଏୟାରପୋର୍ଟଗୁଡ଼ିକରେ ସାଧାରଣଠାରୁ ଅଧିକ ଭିଡ଼ ଜମିଛି । ଏୟାରଲାଇନ୍ସଗୁଡ଼ିକ ନିଜର ବିମାନ ଏବଂ କ୍ରୁ ମେମ୍ବରମାନଙ୍କୁ ସଠିକ୍ ସ୍ଥାନରେ ପହଞ୍ଚାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରଭାବରେ ଆଜି ମଧ୍ୟ ୧୭୭ରୁ ଅଧିକ ବିମାନ ବାତିଲ କରାଯାଇଛି।

ୟୁରୋପର ସବୁଠାରୁ ବଡ଼ ଏୟାରଲାଇନ୍ 'ରାୟନଏୟାର' କହିଛି ଯେ ଏହାର ୬୫,୦୦୦ରୁ ଅଧିକ ଯାତ୍ରୀ ୮ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବର ଶିକାର ହୋଇଛନ୍ତି । 'ବ୍ରିଟିଶ୍ ଏୟାରୱେଜ୍' ମଧ୍ୟ ବିମାନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଥିବା ସ୍ୱୀକାର କରିଛି । ବାରମ୍ବାର ଏଭଳି ତ୍ରୁଟି ଦେଖାଯାଉଥିବାରୁ ବିଭିନ୍ନ ଏୟାରଲାଇନ୍ କମ୍ପାନିଗୁଡ଼ିକ NATS ର ମୁଖ୍ୟଙ୍କ ଇସ୍ତଫା ଦାବି କରିଛନ୍ତି ।