ବାରିପଦା: ଘର ବାରଣ୍ଡାରେ ଖେଳୁଥିଲା କୁନି ଝିଅ । ପାଖରେ ପଡ଼ିଥିଲା ତା’ର ଖେଳନା । ମାଆ ରୋଷେଇ କରିବା ପାଇଁ କିଛି ସମୟ ଘର ଭିତରକୁ ଯାଇଥିଲେ । ହେଲେ ଫେରି ଆସି ଦେଖିବା ବେଳକୁ ଝିଅ ନିଖୋଜ । ଘର ସମ୍ମୁଖରୁ ଚାରି ବର୍ଷର ଶିଶୁକନ୍ୟା ନିଖୋଜ ହେବା ଘଟଣା ବାରିପଦା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଶିଶୁଟିକୁ କେହି ଅପହରଣ କରି ନେଇଥିବା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଉଦ୍ଧାର କରିବା ପାଇଁ ପୋଲିସର ତିନୋଟି ଦଳ ତନାଘନା ଚଳାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶିଶୁକନ୍ୟାର ମାଆ ଚାନ୍ଦମଣି ମୁର୍ମୁ ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ଏକ ଭଡ଼ାଘରେ ରହୁଛନ୍ତି । ରବିବାର ଦିନ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କ ଝିଅ ମାହି ମାଇରା ସୋରେନ (ସିଦ୍ଧି) ଘର ବାରଣ୍ଡାରେ ଖେଳୁଥିଲା । ମାଆ ରୋଷେଇ କରିବା ପାଇଁ କିଛି ସମୟ ଘର ଭିତରକୁ ଯାଇଥିଲେ । ତେବେ ବାହାରକୁ ଫେରିବା ପରେ ଝିଅକୁ ଆଉ ଦେଖିବାକୁ ପାଇ ନଥିଲେ । ଘଟଣା ସ୍ଥଳରେ କେବଳ ଶିଶୁଟିର ଚପଲ ଓ ଖେଳନା ପଡ଼ିଥିବା ଦେଖି ମାଆଙ୍କ ମନରେ ଛନକା ପଶିଥିଲା ।

ଏହାପରେ ପରିବାର ଲୋକେ ଘର ପାଖାପାଖି ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ । ମାତ୍ର ଶିଶୁଟିର କୌଣସି ସନ୍ଧାନ ମିଳି ନଥିଲା । ଶେଷରେ ମାଆ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଓ ପରିବାର ଲୋକେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଶିଶୁଟିର ସନ୍ଧାନ ମିଳିପାରି ନାହିଁ । ଏବେ ପରିବାରର ଆଖିରୁ ନିଦ ହଜିଯାଇଥିବା ବେଳେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ । ଘର ବାରଣ୍ଡାରୁ କୁନି ଝିଅଟି କେଉଁଆଡ଼େ ଗଲା ? କିଏ ନେଇଗଲା ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।