ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାକୁ ଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ଓ ଅତି ପ୍ରବଳ ବର୍ଷାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ହୋଇପଡ଼ିଛନ୍ତି। ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୮ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ମୈଦାନକୁ ଓହ୍ଲାଇଛନ୍ତି।

୮ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ

ସିଧାସଳଖ ସ୍ଥିତି ଅନୁଧ୍ୟାନ ଓ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ୮ ଜଣ ମନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ଏହି ମନ୍ତ୍ରୀମାନେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ରହି ବାତ୍ୟା ପ୍ରଶମନ ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବେ।

କୋରାପୁଟ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

ରାୟଗଡ଼ା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କନ୍ଧମାଳ: ମନ୍ତ୍ରୀ ରବି ନାଏକ

ଗଞ୍ଜାମ: ମନ୍ତ୍ରୀ ବିଭୂତି ଜେନା

ନବରଙ୍ଗପୁର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ମାଲକାନଗିରି: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

କଳାହାଣ୍ଡି: ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଗଜପତି: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଆନ୍ଧ୍ର ଆଡ଼କୁ ମୁହାଁଇବ, ଓଡ଼ିଶାରେ ପ୍ରବଳ ବର୍ଷିବ

ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ। ୨୭ରୁ ୨୮ ତାରିଖ ମଧ୍ୟରେ ଏହା ଅଧିକ ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଛୁଇଁବ। ଏହା ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା-ଛତିଶଗଡ଼ ସୀମା ଦେଇ ଉତ୍ତର ଆଡ଼କୁ ଗତି କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଓଡ଼ିଶାରେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଅଧିକ ରହିବ।

କୋରାପୁଟ, ଗଞ୍ଜାମ, ଗଜପତିରେ ଅରେଞ୍ଜ ଆଲର୍ଟ୨୬ ତାରିଖ ଅପରାହ୍ନରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତନ୍ମଧ୍ୟରୁ ୨୮ ତାରିଖରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୨୦ ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୭ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୬୦ ରୁ ୭୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ବାତ୍ୟା ସହ ତାମିଲନାଡୁରୁ ଆସୁଥିବା ଅନ୍ୟ ଏକ ପାଣିପାଗ ସିଷ୍ଟମ୍ ମିଶି ଓଡ଼ିଶାରେ ବର୍ଷାର ପରିମାଣକୁ ଆହୁରି ବୃଦ୍ଧି କରିବ। ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ଓ ରିଲିଫ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।