ନୂଆଦିଲ୍ଲୀ:ଯଦି ଆପଣଙ୍କ ବେତନରୁ ବର୍ଷସାରା ଟଙ୍କାଟିଏ ବି ଟିଡିଏସ୍ କଟିନି ଏହାମାନେ ନୁହେଁ ଯେ ଆପଣଙ୍କ ଟ୍ୟାକ୍ସ ‘ଜିରୋ’। ଆଇଟିଆର ଦାଖଲ କରିବା ସମୟରେ ଫିକ୍ସଡିପୋଜିଟ ସୁଧ, ସଞ୍ଚୟଜମା ସୁଧ ଓ ଅନ୍ୟ ଆୟ ମିଶିଲେ ଟ୍ୟାକ୍ସ ଏମାଉଣ୍ଟ ଆସିପାରେ। ୨୦୨୫ ବଜେଟ୍ ରେ ସରକାର ନୂଆ ଟ୍ୟାକ୍ସ ରିଜିମରେ ସେକ୍ସନ ୮୭-ଏ ର ଟ୍ୟାକ୍ସ ଲିମିଟ୍ ରିହାତି ୧୨ଲକ୍ଷ ଟଙ୍କା କରିଦେଇଥିଲେ। ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫,୦୦୦ ଟଙ୍କା ମିଶାଇଲେ ପାଖାପାଖି ୧୨.୭୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନଭୋଗୀ କର୍ମଚାରୀଙ୍କ ବେତନରୁ ସାଧାରଣତଃ ଟିଡିଏସ କଟେନା। ଏହିଠାରେ ହିଁ ଆପଣ ଭୁଲ ଧାରଣାର ଶିକାର ହୁଅନ୍ତି। ଅନେକ ଲୋକ ଭାବନ୍ତି ଯେତେବେଳେ ଟ୍ୟାକ୍ସ ଡିଡକ୍ସନ ଆଟ ସୋର୍ସ (ଟିଡିଏସ) କଟିନି ତେବେ ଟ୍ୟାକ୍ସ ବି ଦେବାକୁ ପଡିବନି। ତେବେ ଏପରି ସବୁବେଳେ ହୁଏ ନାହିଁ।

ନିଯୁକ୍ତିଦାତା କେବଳ ଆପଣଙ୍କ ବେତନ ଆଧାରରେ ଟିଡିଏସ୍ କାଟିଥାନ୍ତି। ହେଲେ ସେ ଜଣନ୍ତିନି ଯେ ଆପଣ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ (ଏଫଡି)ରୁ କେତେ ସୁଧ ଅର୍ଜ କରିଛନ୍ତି, ସଞ୍ଚୟ ଜମାରୁ କେତେ ସୁଧପାଇଛନ୍ତି, ଘରଭଡ଼ା ଅଥବା ଅନ୍ୟ କୌଣସି ସୂତ୍ରରୁ କେତେ ଆୟ କରିଛନ୍ତି। ଚାର୍ଟାଡ ଆକାଉଣ୍ଟାଣ୍ଟଙ୍କ ଅନୁସାରେ ସବୁଠୁ ବଡ଼ ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ କର୍ମଚାରୀଙ୍କ ବେତନ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ଓ ପୁରା ବର୍ଷ ଟିଡିଏସ କଟେନା। ହେଲେ ଆଇଟିଆର ପୁରଣ କରିବା ବେଳେ ଯେମିତି ଏଫଡି ସୁଧ, ସଞ୍ଚୟ ଜମା ସୁଧ ଓ ଅନ୍ୟ ଆୟ ମିଶେ ସେତେବେଳେ ଟ୍ୟାକ୍ସ ଏମାଉଣ୍ଟ ସାମ୍ନାକୁ ଆସିଯାଏ। ମନେ ରଖନ୍ତୁ ଚୂଡ଼ାନ୍ତ ଟ୍ୟାକ୍ସ ଆପଣଙ୍କ ମୋଟ ଆୟ ଆଧାରରେ ନିର୍ଦ୍ଧାରଣ ହୁଏ, କେବଳ ବେତନ ଆଧାରରେ ନୁହେଁ। ଏଥିରେ ଯଦି ଆପଣଙ୍କ ବାର୍ଷିକ ଆୟ ୧୨ଲକ୍ଷ ଟଙ୍କା ଉପରକୁ ଚାଲିଯାଏ ତେବେ ସେକ୍ସନ ୮୭-ଏ ଅନୁସାରେ ମିଳୁଥିବା ଟ୍ୟାକ୍ସ ରିହାତି ହ୍ରାସ ହେବାରେ ଲାଗେ।

ସେହିପରି କ୍ୟାପିଟାଲ ଗେନ ଭଳି ଆୟ ଉପରେ ଅନ୍ୟ ନିୟମ ଲାଗୁ ହୋଇଥାଏ। ଏପରି ଆୟ ଉପରେ ଅଲଗା ଟ୍ୟାକ୍ସ ହାର ଲାଗେ। ଏହାକୁ ୧୨ଲକ୍ଷ ଟଙ୍କା ଟ୍ୟାକ୍ସ ଲିମିଟ୍ ରେ ସାମିଲ କରାଯାଏନା। ଯଦିଓ ସରକାର ମାର୍ଜିନାଲ ରିଲିଫର ପ୍ରାବଧାନ ଦେଇଛନ୍ତି, ଯାହା ଦ୍ୱାରା ଆପଣଙ୍କ ଆୟ ୧୨ ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ ହେଲେ ଆପଣଙ୍କୁ ଅଚାନକ ଅଧିକ ଟ୍ୟାକ୍ସ ଦେବାକୁ ନ ପଡେ। ଉଦାହରଣ ରୂପେ ଯଦି କାହାର ଗ୍ରସ ସାଲାରୀ ୧୩.୧୦ଲକ୍ଷ ଟଙ୍କା ତେବେ ୭୫ ଲକ୍ଷ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ବାଦେ ଟ୍ୟାକ୍ସେବଲ ଇନକମ ୧୨.୩୫ଲକ୍ଷ ଟଙ୍କା ହେବ। ଟ୍ୟାକ୍ସ ସ୍ଲାବ ଅନୁସାରେ ଆପଣଙ୍କ ଟ୍ୟାକ୍ସ ପାଖାପାଖି ୬୫ ହଜାର ୨୫୦ ଟଙ୍କା ହେଉଛି। ତେବେ ମାର୍ଜିନାଲ ରିଲିଫ କାରଣରୁ ଆପଣଙ୍କ ଟ୍ୟାକ୍ସ ୩୫,୦୦୦ ଟଙ୍କାରୁ ଅଧିକ ହେବ ନାହିଁ।