ବେଙ୍ଗାଲୁରୁ: ତାମିଲନାଡୁର ହୋସୁରସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ର ଆପଲ୍ ଆଇଫୋନ୍ ପାର୍ଟସ୍ ତିଆରି କରୁଥିବା କାରଖାନା ଏବେ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। କାରଖାନାରୁ ନିର୍ଗତ ହେଉଥିବା ଦୂଷିତ ଜଳ ଯୋଗୁଁ ନିକଟସ୍ଥ ଚାଷଜମି ଏବଂ ଭୂତଳ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (TNPCB) କମ୍ପାନୀକୁ କଡ଼ା ଚେତାବନୀ ଦେବା ସହ ସନ୍ତୋଷଜନକ ସ୍ପଷ୍ଟୀକରଣ ମାଗିଛି। ଯଦି କମ୍ପାନୀ ଉପଯୁକ୍ତ ଉତ୍ତର ନଦିଏ, ତେବେ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚେତାବନୀ ଦେଇଛି।

ଚାଷୀଙ୍କ ଅଭିଯୋଗ ଓ ଭୂତଳ ଜଳ ପ୍ରଦୂଷଣ
ହୋସୁରରେ ଥିବା ଏହି ଟାଟା ପ୍ଲାଣ୍ଟରେ ଆଇଫୋନ୍‌ର ବ୍ୟାକ୍ ପ୍ୟାନେଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପାର୍ଟସ ବା ଉପକରଣ ପ୍ରସ୍ତୁତ କରାଯାଏ। କାରଖାନା ନିକଟରେ ଚାଷ ଜମି ରଖିଥିବା ସ୍ଥାନୀୟ ଚାଷୀମାନେ ଗତ କିଛି ମାସ ହେବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଅଭିଯୋଗ କରିଆସୁଥିଲେ। ଚାଷୀଙ୍କ କହିବାନୁଯାୟୀ, କାରଖାନାରୁ ବାହାରୁଥିବା ଦୂଷିତ କେମିକାଲ୍ ଯୁକ୍ତ ଜଳ (Wastewater) ଆଖପାଖର ଚାଷଜମି ମଧ୍ୟକୁ ପଶିଯାଉଛି। ଏହାଫଳରେ ସେଠାକାର ଭୂତଳ ଜଳ ଏବଂ ଚାଷ ପାଇଁ ବ୍ୟବହୃତ ହେଉଥିବା ଖୋଲା କୂଅଗୁଡ଼ିକର ଜଳ ସମ୍ପୂର୍ଣ୍ଣ ଭାବରେ ପ୍ରଦୂଷିତ ଓ ବିଷାକ୍ତ ହୋଇପଡ଼ିଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ
ଚାଷୀମାନଙ୍କ ଅଭିଯୋଗକୁ ଆଧାର କରି ନିୟାମକ ସଂସ୍ଥା ଏହି ମାମଲାର ଯାଞ୍ଚ କରିଥିଲା। ପ୍ରାଥମିକ ଯାଞ୍ଚରେ ପ୍ରଦୂଷଣର ସତ୍ୟତା ଜଣାପଡ଼ିବା ପରେ ବୋର୍ଡ ଏହାକୁ ଗମ୍ଭୀରତାର ସହ ନେଇଛି। ପ୍ରଦୂଷଣ ବୋର୍ଡ ପକ୍ଷରୁ ଟାଟା ଇଲେକ୍ଟ୍ରୋନିକ୍ସକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କମ୍ପାନୀର ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଯଦି କମ୍ପାନୀ ଏହି ପ୍ରଦୂଷଣ ରୋକିବା ନେଇ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ସମାଧାନର ବାଟ ନଦେଖାଏ, ତେବେ କାରଖାନାର କାର୍ଯ୍ୟକଳାପକୁ ଜବରଦସ୍ତି ବନ୍ଦ କରିଦିଆଯିବ।

ଚୀନ୍ ଉପରେ ନିର୍ଭରଶୀଳତା କମାଇବା ଏବଂ ଭାରତରେ ନିଜର ଆଇଫୋନ୍ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆପଲ୍ କମ୍ପାନୀ ଯେଉଁ ରଣନୀତି ପ୍ରସ୍ତୁତ କରିଛି, ସେଥିରେ ଟାଟା ଇଲେକ୍ଟ୍ରୋନିକ୍ସର ଏହି କାରଖାନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।  ଦକ୍ଷିଣ ଏସିଆରେ ତାଇୱାନର କମ୍ପାନୀ ଫକ୍ସକନ୍ (Foxconn) ପରେ ଟାଟା ହେଉଛି ଆପଲ୍‌ର ଦ୍ୱିତୀୟ ସବୁଠାରୁ ବଡ଼ ସପ୍ଲାୟର୍ । ଏଭଳି ସ୍ଥିତିରେ ଯଦି ପ୍ରଦୂଷଣ ସମସ୍ୟା ଯୋଗୁଁ ହୋସୁର ପ୍ଲାଣ୍ଟ ବନ୍ଦ ହୁଏ, ତେବେ ଏହା କେବଳ ଟାଟା ନୁହେଁ, ବରଂ ଗ୍ଲୋବାଲ୍ ବ୍ରାଣ୍ଡ୍ ‘ଆପଲ୍’ର ଆଇଫୋନ୍ ସପ୍ଲାଏ ଚେନ୍ ଏବଂ ଉତ୍ପାଦନ ଉପରେ ବଡ଼ ପ୍ରଭାବ ପକାଇବ।