ନୂଆଦିଲ୍ଲୀ, ୦୭/୦୫: ରୋଚକ ସ୍ଥିତିରେ ତାମିଲନାଡୁ ନିର୍ବାଚନ । ଭୋଟ୍ ସରିଛି । ଫଳାଫଳ ପ୍ରକାଶ ପାଇଛି । ସର୍ବ ବୃହତ ଦଳ ଭାବେ ଉଭା ହୋଇଛି ଆକ୍ଟର୍ ଟର୍ଣ୍ଣଡ୍ ପଲିଟିସିଆନ ବିଜୟଙ୍କ ପାର୍ଟି ଟିଭିକେ । କିନ୍ତୁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ସିଟ୍ ନାହିଁ । ସରକାର ଗଠନ ପାଇଁ ୧୧୮ ଆସନର ଆବଶ୍ୟକତା ଥିବା ବେଳେ ଟିଭିକେ ୧୦୮ ସିଟ୍ ପାଇଛି । ଏସବୁ ଭିତରେ ରାଜ୍ୟରେ ମେଣ୍ଟ ସରକାର ନେଇ ଯୋଜନା ହେଉଛି । ତେବେ ଟିଭିକେ ଯଦି ସରକାର ଗଠନ ପାଇଁ ଅନ୍ୟ କେଉଁ ଦଳର ସହଯୋଗ ନିଏ ତାହାଲେ ଡିଏମକେ ଏଥିରେ ବାଧା ଦେବନି ବୋଲି ଡିଏମକେ କହିଛି।

ଡିଏମକେର ସୂତ୍ରାନୁସାରେ, ଦଳ ସରକାର ଗଠନରେ ବାଧା ଦେବନି । ଯଦି ବିଜୟ ଅନ୍ୟ କାହାର ସହଯୋଗ ନେଉଛନ୍ତି ତାହାଲେ ନେଇପାରିବେ । ଛୋଟଛୋଟ ଦଳ ବିଜୟଙ୍କୁ ସମର୍ଥନ କରିବାରେ କିଛି ଅସୁବିଧା ନାହିଁ ।

ଷ୍ଟାଲିନଙ୍କ ଅନୁମାନ

ବୁଧବାର ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ କହିଥିଲେ ଯେ, ଡିଏମକେ ଅପେକ୍ଷା କରିବ । ଟିଭିକେ ଏବଂ ବିଜୟ କିପରି ସରକାର ଗଠନ କରୁଛନ୍ତି ତାହା ସେମାନେ ଦେଖିବେ । ସେମାନଙ୍କୁ ୬ ମାସ କୌଣସି ସମସ୍ୟା ହେବ ନାହିଁ । ଡିଏମକେ କେବେହେଲେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଆସିବାକୁ ଦେବ ନାହିଁ । ଟିଭିକେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ବୋଲି ଷ୍ଟାଲିନ୍ ଆଶା କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଟିଭିକେ ସ୍କୁଲରେ ବ୍ରେକଫାଷ୍ଟ୍ ଯୋଜନା ଆରମ୍ଭ କରିବ ବୋଲି କହିଥିଲା । ସେହିପରି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା, ଦେବେ ବୋଲି ବିଜୟ କହିଥିଲେ । ଏହି ସବୁ ପ୍ରତିଶ୍ରୁତି ରକ୍ଷା କରିବା ସହଜ ହେବନି । ଏହା ବହୁତ କଷ୍ଟକର ବ୍ୟାପାର । ତେବେ ଡିଏମକେ ସରକାରରେ ଥିବା ବେଳେ ସେମାନେ ଦେଇଥିବା ପ୍ରତିଶ୍ରୁତିର ୯୦ ପ୍ରତିଶତ ପୂରଣ କରିଛନ୍ତି । ସେମାନେ ଯାହା କହିଥିଲେ ସବୁ ପୂରଣ କରିବାରେ ସଫଳ ହୋଇଥିବା ଷ୍ଟାଲିନ୍ ପ୍ରକାଶ କରିଛନ୍ତି ।