ଚେନ୍ନାଇ: ଏବେ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ସପ୍ତାହରେ ଗୋଟିଏ ଦିନ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନୀ। ଏମିତି ଯୋଜନା କରୁଛନ୍ତି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ। ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ କରାଯିବ ବୋଲି କହିଛନ୍ତି ତାମିଲନାଡ଼ୁର ଶିକ୍ଷା ମନ୍ତ୍ରୀ ରାଜ ମୋହନ।

ସେ କହିଛନ୍ତି, ପ୍ରଥମେ କିଛି ବିଦ୍ୟାଳୟକୁ ନେଇ ଏହି ପ୍ରୋଜେକ୍ଟ ଆରମ୍ଭ ହେବ। ପ୍ରଥମେ ନିରୀକ୍ଷଣ କରାଯିବ ଯେ, ଖାଦ୍ୟ ପ୍ରସ୍ତୁତି ନିର୍ଦ୍ଧାରିତ ମାନଦଣ୍ଡରେ ସ୍ଵଚ୍ଛତାର ସହ ହେଉଛି କି ନାହିଁ। ଏହା ପରେ ଯୋଜନାକୁ ବଡ଼ ସ୍ତରରେ ଲାଗୁ କରାଯିବ। ମନ୍ତ୍ରୀ କହିଛନ୍ତି ସରକାରଙ୍କ ଇଚ୍ଛା ସରକାରୀ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକେନ ବିରିୟାନୀର ବିକଳ୍ପ ମିଳୁ।

Also Read: ChatGPT ବ୍ୟବହାର ଅଭିଯୋଗ ପରେ IIT ବମ୍ବେ ଛାତ୍ରଙ୍କ ଆତ୍ମହତ୍ୟା, ସ୍ପଷ୍ଟୀକରଣ ରଖିଲା ପ୍ରତିଷ୍ଠାନ

ଏହା ପୂର୍ବରୁ ଜେଲମାନଙ୍କରେ କଏଦୀଙ୍କୁ ଚିକେନ୍ ବିରିୟାନୀ ଦିଆଯାଉଛି। କଣ ଆମ ଛାତ୍ରଛାତ୍ରୀଙ୍କୁ ଏତିକି ମିଳି ପାରିବ ନାହିଁ ? ତେଣୁ ଏହି ଯୋଜନା ଲାଗୁ କରିବା ପାଇଁ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ବ୍ୟବସ୍ଥାର ଯାଞ୍ଚ କରାଯିବ। ଏହା ପରେ ଭୋଜନର ପ୍ରସ୍ତୁତି, ସ୍ଵଚ୍ଛତା ଓ ସ୍କୁଲ ପର୍ଯ୍ୟନ୍ତ କେମିତି ପହଞ୍ଚିବ ବ୍ୟବସ୍ଥାର ତଦାରଖ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

କେମିତି ଆସିଲା ବିଚାର

ଏହି ପ୍ରସ୍ତାବ ପ୍ରଥମ ଥର ଜୁଲାଇ ମାସରେ ସାମ୍ନାକୁ ଆସିଥିଲା। ତାମିଲନାଡୁ ସରକାର ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଚିକେନ ବିରିୟାନୀ ଦେବା ଉପରେ ବିଚାର କରୁଥିଲେ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାମ୍ନାରେ ରଖାଯାଇଥିଲା ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କୁ ହିଁ ନେବାର ଅଛି। ମନ୍ତ୍ରୀ କହିଛନ୍ତି, ପିଲାଙ୍କୁ ପର୍ଯ୍ୟାପ୍ତ ପ୍ରୋଟିନର ଆବଶ୍ୟକତା ରହିଛି। ତେଣୁ ଆମ ସରକାର ଏହାକୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।