Taiwan overtakes India: କେନ୍ଦ୍ର ସରକାର ଯେତେ ଦମ୍ଭ ଭରିଲେ ବି ଏହି ସଂକଟ ସମୟରେ, ଅନ୍ୟ ପଡ଼ୋଶୀଙ୍କ ତୁଳନାରେ ଭାରତର ସ୍ଥିତି ଯେ ଶୋଚନୀୟ ଏକଥା ସ୍ପଷ୍ଟ ଜଣାପଡ଼ୁଛି। ତୈଳ ସଂକଟ ଚାପ, ମୁଦ୍ରା ମୂଲ୍ୟ ହ୍ରାସ ସହିତ ଭାରତୀୟ ଷ୍ଟକ ବଜାରର ସ୍ଥିତି ଖରାପ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଛୋଟ ଦ୍ୱୀପ ଦେଶ ତାଇୱାନ ବି ଭାରତକୁ ଟପିଯାଇଛି।

ଶେୟାର ବଜାର ଭାଲ୍ୟୁ (ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପ୍) ଦୃଷ୍ଟିରୁ ତାଇୱାନ ଭାରତକୁ ପଛରେ ପକାଇ ଦେଇଛି। ବିଶ୍ୱର ସର୍ବବୃହତ ଚିପ୍ ନିର୍ମାତା ତାଇୱାନ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ କମ୍ପାନୀ (TSMC)ର ସେୟାରରେ ବୃଦ୍ଧି, କୃତ୍ରିମ ବୁଦ୍ଧିମତ୍ତା ବା AIର ବର୍ଦ୍ଧିତ ଡିମାଣ୍ଡ ଯୋଗୁ ହୋଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସୋମବାର ସୁଦ୍ଧା ତାଇୱାନର ବଜାର ପୁଞ୍ଜି $୪.୯୫ ଟ୍ରିଲିୟନ (ପ୍ରାୟ ₹୪୧୫ ଲକ୍ଷ କୋଟି)ରେ ପହଞ୍ଚିଥିବା ବେଳେ ଭାରତର ମୂଲ୍ୟ $୪.୯୨ ଟ୍ରିଲିୟନ (ପ୍ରାୟ ₹୪୧୩ ଲକ୍ଷ କୋଟି)କୁ ହ୍ରାସ ପାଇଛି। ତାଇୱାନ ଏବେ ଆମେରିକା, ଚୀନ୍, ଜାପାନ ଏବଂ ହଂକଂ ପରେ ବିଶ୍ୱର ଶ୍ରେଷ୍ଠ ପଞ୍ଚମ ଷ୍ଟକ୍ ମାର୍କେଟ୍ ହୋଇଛି।

ସଫଳତା ପଛରେ ଚିପ୍ କମ୍ପାନୀର ହାତ

ତାଇୱାନର ଷ୍ଟକ୍ ବଜାରରେ ଏହି ବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି TSMC। ତାଇୱାନର ମୁଖ୍ୟ ଇଣ୍ଡେକ୍ସରେ କେବଳ ଏହି କମ୍ପାନୀର ୪୨% ଅଂଶ ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହାର ସେୟାର ୪୯% ବୃଦ୍ଧି ପାଇଛି। ସାରା ବିଶ୍ୱରେ AI ଟେକ୍ନୋଲୋଜୀ ପାଇଁ ବ୍ୟବହୃତ ହେଉଥିବା ସେମିକଣ୍ଡକ୍ଟର (ଚିପ୍ସ)ର ସପ୍ଲାଏରେ ଏହି କମ୍ପାନୀ ପ୍ରାଧାନ୍ୟ ରହିଛି। ଆଉ ବର୍ତ୍ତମାନ ସମୟରେ ଏଆଇର ଡିମାଣ୍ଡ ବଢିଥିବାରୁ କମ୍ପାନୀ ସପ୍ଲାଏ ବଢ଼ାଇ ଏହି ସଫଳତା ପାଇଛି। ଯାହାର ଫାଇଦା ତିଇୱାନ ବଜାରକୁ ମିଳିଛି।

Also Read- ଡିଜେଲ ମୂଲ୍ୟ ବଢ଼ିବାରୁ ୧୯ ଲକ୍ଷ ଟ୍ରକ ବନ୍ଦ, ମାଲ୍ ଭଡ଼ା ୧୫% ମହଙ୍ଗା

ନୂଆ ନିୟମ ଯୋଗୁ ଚଢ଼ିଲା ଶେୟାର ମାର୍କେଟ୍

ନିକଟରେ ତାଇୱାନର ନିୟାମକମାନେ ନିବେଶ ନିୟମକୁ କୋହଳ କରିଛନ୍ତି। ଘରୋଇ ଫଣ୍ଡ କୌଣସି ଏକ ବଡ଼ କମ୍ପାନୀରେ ନିଜର ନେଟ ଆସେଟର ୨୫% ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହି ସୀମା ପୂର୍ବରୁ ୧୦% ଥିଲା। ବର୍ତ୍ତମାନ ସମୟରେ କେବଳ TSMC ଏହି ମାନଦଣ୍ଡ ପୂରଣ କରୁଛି। JP ମୋର୍ଗାନଙ୍କ ଅନୁଯାୟୀ, ଏହି ପରିବର୍ତ୍ତନ ତାଇୱାନ ବଜାରରେ ୬ ବିଲିୟନ ଡଲାର (ପ୍ରାୟ ୫୦,୦୦୦ କୋଟି ଟଙ୍କା) ଅତିରିକ୍ତ ନିବେଶକୁ ଆକର୍ଷିତ କରିପାରିବ।

ଭାରତରୁ ୨ ଲକ୍ଷ ଟଙ୍କା କାଢ଼ି ନେଲେ ବିଦେଶୀ ନିବେଶକ

ଭାରତୀୟ ଷ୍ଟକ୍ ବଜାର ପାଇଁ ଚଳିତ ବର୍ଷ ଖୁବ ଆହ୍ୱାନପୂର୍ଣ୍ଣ ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପ୍ରାୟ ୨୪ ବିଲିୟନ ଡଲାର (ପ୍ରାୟ ୨ ଲକ୍ଷ କୋଟି ଟଙ୍କା) ପ୍ରତ୍ୟାହାର କରିସାରିଛନ୍ତି। ଏହା ମୁଖ୍ୟତଃ ଭାରତୀୟ ଷ୍ଟକଗୁଡ଼ିକର ହାଇ ଭାଲ୍ୟୁଏସନ ଏବଂ ଟଙ୍କାର ଦୁର୍ବଳତା ଯୋଗୁ ହୋଇଛି। ଠିକ୍ ଏହାର ବିପରୀତରେ ନିବେଶକମାନେ ତାଇୱାନ ଏବଂ ଦକ୍ଷିଣ କୋରିଆ ଭଳି ବଜାରରେ ନିବେଶ କରୁଛନ୍ତି। କାରଣ ଏହି ଦେଶଗୁଡ଼ିକର ଶେୟାର ମାର୍କେଟ୍ AI ହାର୍ଡୱେୟାର ଏବଂ ମେନୁଫେକ୍ଚରିଂ ସହିତ ସିଧାସଳଖ ଜଡିତ। ଆଉ ବର୍ତ୍ତମାନ ସମୟରେ ଏଗୁ଼ଡ଼ିକର ଡିମାଣ୍ଡ ବଢ଼ୁଥିବାରୁ ନିବେଶକ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ଏହି ଛୋଟ ଦେଶଗୁଡ଼ିକରେ ଲଗାଉଛନ୍ତି।

Also Read- ୨୦୩୦ ସୁଦ୍ଧା ଭାରତ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା, ଆମେରିକାକୁ ପଛରେ ପକାଇ ଚୀନ୍ ହେବ ମହାଶକ୍ତିଶାଳୀ

ଏହି ୩ କାରଣରୁ ପଛରେ ପଡ଼ିଲା ଭାରତୀୟ ବଜାର
• ମହଙ୍ଗା ଏନର୍ଜୀ ଏବଂ ମୁଦ୍ରାସ୍ଫୀତି: ଏନର୍ଜୀରେ ଖର୍ଚ୍ଚ ବଢ଼ୁଥିବାରୁ ଭାରତରେ ମହଙ୍ଗା ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଅଭିବୃଦ୍ଧି ଆଶା ମଉଳି ଯାଇଛି।
• AI କମ୍ପାନୀର ଅଭାବ: ଭାରତରେ ବିଶ୍ୱ AI ଭିତ୍ତିଭୂମି କିମ୍ବା ହାର୍ଡୱେୟାର ନିର୍ମାଣରେ ସିଧାସଳଖ ଜଡିତ କମ୍ପାନୀର ଅଭାବ ଅଛି।
• କର୍ପୋରେଟ୍ ଆୟରେ ମନ୍ଥରତା: ଭାରତୀୟ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ମଧ୍ୟ ମନ୍ଥର ହୋଇଛି, ଯାହା ନିବେଶକଙ୍କ ବିଶ୍ୱାସକୁ ହ୍ରାସ କରିଛି।

ଦିନେ ଯେଉଁ ବୈଶ୍ୱିକ ନିବେଶକମାନେ ଭାରତକୁ ଚୀନ୍ ସହ ସମକକ୍ଷ କରିବା ପାଇଁ ପୋର୍ଟଫୋଲିଓ ପ୍ରସ୍ତୁତ କରୁଥିଲେ, ସେମାନେ ଏବେ ଚିପ୍ ନିର୍ମାଣ (chip manufacturing), କମ୍ପ୍ୟୁଟିଂ ଇନଫ୍ରାଷ୍ଟ୍ରକ୍ଚର (computing infrastructure) ଏବଂ AI ମଡେଲ୍ ଭଳି କ୍ଷେତ୍ରକୁ ପସନ୍ଦ କରୁଛନ୍ତି, ଯାହା ଭାରତୀୟ ବଜାରରେ ପ୍ରାୟତଃ ନାହିଁ। ଯଦିଓ ଭାରତ ପାଖରେ ପ୍ରତିଭା, ଚାହିଦା ଏବଂ ଡିଜିଟାଲ୍ ସ୍କେଲ୍ ଅଛି, ତଥାପି ଏଠାକାର ପ୍ରମୁଖ କମ୍ପାନୀଗୁଡ଼ିକ ଏହି AI ଭିତ୍ତିଭୂମି ନିର୍ମାଣ ସହ ଜଡ଼ିତ ନୁହନ୍ତି। ଫଳରେ ଭାରତୀୟ ବଜାର ଏବେ କେବଳ ଘରୋଇ ବ୍ୟବହାର ବା କଞ୍ଜମ୍ପସନ ଉପରେ ନିର୍ଭର କରି ରହିଯାଇଛି।

ଅର୍ଥ ବ୍ୟବସ୍ଥାରେ ଆଗରେ ଭାରତ

ଶେୟାର ବଜାରରେ ତାଇୱାନ ଟପିଯାଇଥିଲେ ବି ଅର୍ଥନୈତିକ ଆକାର (GDP) ଦୃଷ୍ଟିରୁ ଭାରତ ଏବେ ବି ପ୍ରାଧାନ୍ୟ ବିସ୍ତାର କରି ଚାଲିଛି। IMF ଆକଳନ ଅନୁଯାୟୀ, ଭାରତର ଅର୍ଥନୀତିର ମୂଲ୍ୟ $୪.୧୫ ଟ୍ରିଲିୟନ, ଯେତେବେଳେ ତାଇୱାନର ଜିଡିପି ମାତ୍ର $୯୭୭ ବିଲିୟନ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଛି।

ମାର୍କେଟ କ୍ୟାପର କ’ଣ ?

କୌଣସି ଦେଶର ଷ୍ଟକ୍ ବଜାରର "ମାର୍କେଟ କ୍ୟାପିଟଲାଇଜେସନ"ର ଅର୍ଥ ସେଠାକାର ସମସ୍ତ ତାଲିକାଭୁକ୍ତ କମ୍ପାନୀର ଶେୟାରର ମୋଟ ମୂଲ୍ୟକୁ ବୁଝାଏ। ଯଦି କୌଣସି ଦେଶର ବଜାର ପୁଞ୍ଜି ବଢ଼ୁଛି, ତେବେ ଏହା ସୂଚିତ କରେ ଯେ ଏହାର କମ୍ପାନୀଗୁଡ଼ିକ ପ୍ରତି ନିବେଶକମାନଙ୍କର ବିଶ୍ୱାସ ବଢ଼ୁଛି।