ଓସ୍ଲୋ: ଡିଜିଟାଲ ଶିକ୍ଷାକୁ ସର୍ବାଗ୍ରେ ରଖିଥିବା ଦେଶ ନରୱେ ଏବେ ନିଜର ନିଷ୍ପତ୍ତି ଉପରେ ଦ୍ୱିତୀୟବାର ବିଚାର କରୁଛି। ୩ ବର୍ଷ ପୂର୍ବେ ଯେଉଁ ଶିକ୍ଷକଙ୍କୁ ଶ୍ରଣୀରେ ଆଇପ୍ୟାଡ୍ ବଦଳେ ପେନସିଲ ଓ ବହିରେ ପଢାଉଥିବାରୁ ତାଗିଦ କରାଯାଇଥିଲା ଆଜି ସାରା ଦେଶ ସେହି ଶିକ୍ଷକଙ୍କ ରାସ୍ତାରେ ଚାଲିବା ଆରମ୍ଭ କରିଛି। ଏହି କାହାଣୀ ୨୦୨୩ ମସିହାରେ ରାଜଧାନୀ ଓସ୍ଲୋର ଟ୍ରୋଷ୍ଟେରୁଡ ସ୍କୁଲରୁ ଆରମ୍ଭ ହୋଇଥିଲା। ସେଠାରେ ତୃତୀୟ ଶ୍ରେଣୀରେ ପଢାଉଥିବା ଶିକ୍ଷକ ପାଲ ଲୁଡୱିଗ୍ ଫିନଷ୍ଟାଣ୍ଡ ଅନୁଭବ କରିଥିଲେ ଯେ ତାଙ୍କ ଛାତ୍ରଛାତ୍ରୀ ଆଇପ୍ୟାଡରେ ଭଲ ପଢୁଛନ୍ତି ହେଲେ ସେମାନଙ୍କ ପଢିବା ଓ ଲେଖିବା କ୍ଷମତା ଦୁର୍ବଳ ହେଉଛି।

ପ୍ରାୟ ଦୁଇ ଦଶନ୍ଧୀ ହେଲା ନରୱେର ସ୍କୁଲମାନଙ୍କରେ କମ୍ପ୍ୟୁଟର ଓ ଟାବଲେଟକୁ ପ୍ରୋତ୍ସାହନ ଦିଆଯାଉଥିଲା, ଯାହା କରୋନା ମହାମାରୀ ପରେ ଆହୁରି ବଢି ଯାଇଛି। ୨୦୨୩ରେ ଦେଶରେ ନିୟମ ହୋଇଥିଲା ଓସ୍ଲୋର ସବୁ ପ୍ରାଇମେରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଡିଭାଇସା ଦିଆଯାଉ। ତେବେ ଫିନଷ୍ଟାଣ୍ଡ ଏହି ବ୍ୟବସ୍ଥା ବିରୋଧରେ ଯାଇ ତାଙ୍କ ଶ୍ରେଣୀରେ ଆଇପ୍ୟାଡ ବନ୍ଦ କରିଦେଇଥିଲେ ଓ ଛାତ୍ରଛାତ୍ରୀଙ୍କୁ ପେନସିଲ ଖାତାରେ ପଢାଇବା ଆରମ୍ଭ କରିଥିଲେ।

ସେ ଭାବୁଥିଲେ ପିଲାମାନଙ୍କ ମୌଳିକ ବୁଝାମଣା ପାଇଁ ପାରମ୍ପରିକ ପଦ୍ଧତୀ ସର୍ବୋତ୍ତମ ତଥାପି ତାଙ୍କର ଏହି ନିଷ୍ପତ୍ତି ସ୍କୁଲରେ ବିବାଦର କାରଣ ପାଲଟିଥିଲା ଏବଂ ପ୍ରଧାନ ଶିକ୍ଷକ ତାଙ୍କୁ ଲିଖିତ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଫିନଷ୍ଟାଣ୍ଡ ପଛକୁ ହଟିନଥିଲେ। ଖୁବଶୀଘ୍ର ତାଙ୍କ ପରୀକ୍ଷଣର ସକରାତ୍ମକ ଫଳାଫଳ ଆସିଥିଲା ଏବଂ ତାଙ୍କ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲ ରିଡିଂ ପ୍ରତିଯୋଗୀତାରେ ବିଜୟୀ ହୋଇଥିଲେ। ପିଲାମାନଙ୍କର ଉନ୍ନତୀ ଦେଖି ୧୭ ଜଣ ଅଭିଭାବକ ଶିକ୍ଷକଙ୍କ ସପକ୍ଷରେ ସ୍କୁଲକୁ ପତ୍ର ଲେଖିଥିଲେ। ସ୍କୁଲ ପ୍ରଶାସନରେ ବିବାଦ ବଢିବାରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରିଦେଇଥିଲେ। ଏଥିମଧ୍ୟରେ ମାମଲା ନରୱେ ଶିକ୍ଷକ ନୀତି ପରିଷଦଙ୍କ ନିକଟରେ ପହଞ୍ଚିଥିଲା। ପରିଷଦ ଫିନଷ୍ଟାଣ୍ଡଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇ କହିଥିଲେ ଯେ ସେ ପିଲାମାନଙ୍କ ସର୍ବୋତ୍ତମ ସ୍ୱାର୍ଥରେ କାର୍ଯ୍ୟ କରିଥିଲେ।

ଏହି ଘଟଣା ପରେ ସାରା ଦେଶରେ ପିଲାମାନଙ୍କ ଶିକ୍ଷା ଉପରେ ସ୍କ୍ରିନର ନକରାତ୍ମକ ପ୍ରଭାବ ବିଷୟରେ ବିତର୍କ ଆରମ୍ଭ ହୋଇଥିଲା। ନରୱେ କମିଶନ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ପିଲାମାନେ ସ୍କ୍ରିନ ଅପେକ୍ଷା କାଗଜରେ ଦୀର୍ଘ ଲେଖାକୁ ଭଲଭାବେ ବୁଝନ୍ତି। ଶେଷରେ ନଭେମ୍ବର ୧୦ ତାରିଖରେ ଓସ୍ଲୋ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାକୁ ଏକ ପୃଥକ ଡିଜିଟାଲ ଡିଭାଇସ ରଖିବାର ନିୟମକୁ ଉଚ୍ଛେଦ କରିଛନ୍ତି। ଏବେ ସ୍କୁଲମାନେ ନିଷ୍ପତ୍ତି ନେବେ ଯେ କେଉଁ ବିଷୟରେ ସ୍କ୍ରିନ ଆବଶ୍ୟକ।