ଚେନ୍ନାଇ: ସୁପର-୮ର ‘କର ବା ମର’ ମ୍ୟାଚରେ ଭାରତ ଧମାକାଦାର ବିଜୟ। ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ୭୨ ରନରେ ହରାଇଛି ସୂର୍ଯ୍ୟ ବାହିନୀ। ଏହି ମୁକାବିଲା ଜିତିବା ସହ ଭାରତର ସେମି ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ଵେ ୬ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଛି। ବ୍ରିୟାନ ବେନେଟ୍ ୯୭ ରନର ଅପରାଜିତ ଦମଦାର ଇନିଂସ ଖେଳିଛନ୍ତି। ବ୍ୟାଟିଂରେ ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲିଂରେ ଅର୍ଶଦୀପ ସିଂ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏବେ ମାର୍ଚ୍ଚ ୧ରେ ଭାରତ ନିଜର ଶେଷ ସୁପର-୮ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିବ। ଏହି ମ୍ୟାଚର ବିଜେତା ଦଳ ହିଁ ସେମିକୁ ଯିବ।

୨୫୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେର ଦୁଇ ଓପନର ବ୍ରିୟାନ ବେନେଟ୍ ଓ ତାଡିଓ୍ଵାନଶେ ମାରୁମାନି ୪୪ ରନ ଯୋଡ଼ିଥିଲେ। ଜିମ୍ବାଓ୍ଵେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ନ ଥିଲେ ବି ଦ୍ରୁତ ଗତିରେ ନ ସଂଗ୍ରହ କରି ପାରି ନ ଥିଲା। ଅଧିନାୟକ ସିକନ୍ଦର ରାଜା ୩୧ ରନ କରି ଆଉଟ୍ ହୋଇଥିଲେ। ଟୋନି ମୁନୟୋଙ୍ଗା ୧୧ ରନ କରିଥିଲେ। ଜିମ୍ବାଓ୍ଵେ ମ୍ୟାଚରେ ପଛେଇ ଯାଇଥିଲେ ହେଁ ବେନେଟ୍ ଦମଦାର ବ୍ୟାଟିଂ କରିଥିଲେ।

Also read: ୧୪ ବଲ୍‌ରେ ଅର୍ଦ୍ଧଶତକ, ଡିଓ୍ବାଇ ପାଟିଲ ଟି୨୦ କପରେ କମାଲ କଲେ ବୈଭବ ସୂର୍ଯ୍ୟବଂଶୀ

ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୯ ବଲରୁ ୯୭ ରନର ପ୍ରଶଂସନୀୟ ଇନିଂସ ଖେଳିଛନ୍ତି। ଏଥିରେ ୮ ଚୌକା ଓ ୬ ଛକା ସାମିଲ୍। ଶେଷରେ ଜିମ୍ବାଓ୍ଵେ ୬ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଛି। ତେବେ ଭାରତ ଶେଷ ଆଡ଼କୁ ବେପରୁଆ ବୋଲିଂ କରିବା କାରଣରୁ ଜିମ୍ବାଓ୍ଵେ ଏହି ସ୍କୋରରେ ପହଞ୍ଚି ପାରିଥିଲା। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୨୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଭାରତ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆଜି ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ। ସଞ୍ଜୁ ସାମସନଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିଥିଲା। ସେ ୧୫ ବଲରୁ ୨୪ ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ଏହା ପରେ ଅଭିଷେକ ଓ ଇଶାନ କିଶନ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଇଶାନ ୨୪ ବଲରୁ ୪ ଚୌକା ଓ ୧ ଛକା ସହ ୩୮ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଭିଷେକ ଶର୍ମା ଅର୍ଦ୍ଧଶତକ ହାସଲ କରିବା ସହ ୩୦ ବଲରୁ ୪ ଚୌକା ଓ ୪ ଛକା ସହ ୫୫ ରନର ଭଲ ଇନିଂସ ଖେଳିଥିଲେ।

Also read: ​​​​​​​T20 World Cup: ଭାରତୀୟ ଟିମକୁ ବଡ଼ ଆଶ୍ଵସ୍ତି, ଓ୍ଵେଷ୍ଟଇଣ୍ଡିଜକୁ ଏକତରଫା ୯ ଓ୍ଵିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଆଜି ମ୍ୟାଚରେ ଟପ୍ ଅର୍ଡରଠୁ ନେଇ ମଧ୍ୟକ୍ରମ ସମସ୍ତ ବ୍ୟାଟର ଲୟରେ ନଜର ଆସିଥିଲେ। ସୂର୍ଯ୍ୟ ମାତ୍ର ୧୩ ବଲରୁ ୩ ଚୌକା ଓ ୨ ଛକା ସହ ୩୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ବାକି ମୋର୍ଚ୍ଚା ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା। ଉଭୟ ଧୂଆଁଧାର ବ୍ୟାଟିଂ କରି ୮୪ ରନ ଯୋଡ଼ି ଭାରତର ସ୍କୋରକୁ ୪ ଓ୍ଵିକେଟରେ ୨୫୬ ରନରେ ପହଞ୍ଚାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୨ ଚୌକା ଓ ୪ ଛକା ସହ ୫୦ ରନ ଓ ତିଳକ ବର୍ମା ୧୬ ବଲରୁ ୩ ଚୌକା ଓ ୪ ଛକା ସହ ୪୪ ରନ କରି ଅପରାଜିତ ଅଛନ୍ତି।