ମୁମ୍ବାଇ,|୦୨ : ଟି୨୦ ବିଶ୍ୱକପରେ ଆମେରିକା ବିପକ୍ଷରୁ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଭାରତ ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଦଳର ଓପନର ଏବଂ ମିଡିଲ ଅର୍ଡର ପୁରା ଫେଲ୍ ମାରିଥିଲା । ଅଭିଷେକ ଶର୍ମା ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଷାନ ଏବଂ ତିଲକ ବର୍ମା ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେହିପରି ରିଙ୍କୁ ସିଂ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ କାହାରି ବ୍ୟାଟ୍ ଚାଲିନଥିଲା । କେବଳ ସୂର୍ଯ୍ୟ କୁମନାର ଯାଦବ ହିଁ କ୍ରିଜରେ ଶେଷ ଯାଏଁ ରହିଥିଲେ । ଫଳରେ ଦଳ ୧୬୧ ରନ୍ କରିପାରିଥିଲା ।

ଆମେରିକୀୟ ବୋଲରଙ୍କୁ ଖୁବ୍ ପ୍ରହାର କରିଥିଲେ ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସବୁ ବୋଲରଙ୍କ ସେ ନିଦ ହଜାଇ ଦେଇଥିଲେ । ତେବେ ସୂର୍ଯ୍ୟଙ୍କ ଆକ୍ରମଣର ସବୁଠୁ ବେଶି ଶିକାର ହୋଇଥିଲେ ୟୁଏସ ବୋଲର ସୌରଭ ନେତ୍ରଭଲକର । ସେ ୪ ଓଭର ବୋଲିଂ କରିଥିଲେ ମଧ୍ୟ କୌଣସି ଓ୍ୱିକେଟ୍ ନେଇନଥିଲେ । ଓଲଟା ୬୫ ରନ୍ ବ୍ୟୟ କରିଥିଲେ । ଏପରି ଖରାପ ବୋଲିଂ କରି ସେ ଟି୨୦ ବିଶ୍ୱକପ୍ ଇତିହାସରେ ସନତ ଜୟସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିଛନ୍ତି । ସନତ ୨୦୦୭ରେ ପାକିସ୍ତାନ ବିପକ୍ଷରେ ୬୪ ରନ୍ ବ୍ୟୟ କରିଥିଲେ ।

ମ୍ୟାଚକୁ ସୂର୍ଯ୍ୟ ନିଜ ନିୟନ୍ତ୍ରଣରେ ରଖିଥିଲେ । ୧୬ ତମ ଓଭରରେ ସୌରଭଙ୍କ ବଲକୁ ସେ ଖୁବ୍ ପିଟିଥିଲେ । ଓଭରରେ ସେ ତିନୋଟି ଚଉକା ଲଗାଇବା ସହ ଏକ ବିଶାଳ ଛକା ତାଙ୍କ ବ୍ୟାଟରୁ ବାହାରିଥିଲା । ସେହପରି ସୌରଭଙ୍କ ଶେଷ ଓଭରରେ ସ୍କାଏ ୨୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ଦୁଇଟି ଛକା ସାମିଲ ଥିଲା । ଫଳରେ ଭାରତ ୧୬୦ ରନ୍ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲା ।

​​​​​​​ଏହି ଖବରଟି ପଢନ୍ତୁ... ଦ୍ୱିତୀୟ ଥର ମାଆ ହେଲା 'ଆଶା', କୁନୋରେ ୩୫ରେ ପହଁଚିଲା ଚିତା ସଂଖ୍ୟା

ମୁକାବିଲାରେ ୪୯ ବଲରୁ ସୂର୍ଯ୍ୟ ୮୪ ରନ୍ କରିଥିଲେ । ଏହାଦ୍ୱାରା କୌଣସି ଟି୨୦ ବିଶ୍ୱକପର ପ୍ରଥମ ମ୍ୟାଟରେ ଅଧିନାୟକ ଭାବେ ଦ୍ୱିତୀୟ ସର୍ବାଧିକ ରନ୍ ହାସଲ କରିଛନ୍ତି ।ପୂର୍ବରୁ କ୍ରିସ୍ ଗେଲ ୨୦୦୮ରେ ୮୮ ରନ୍ ସ୍କୋର କରିଥିଲେ । ତାଙ୍କ ପରେ ସୂର୍ଯ୍ୟ କୁମାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ବାବର ଆଜମ ଥିବା ବେଳେ ଚତୁର୍ଥରେ ମାହେଲା ଜୟବର୍ଧନେ ରହିଛନ୍ତି । ସେ ୨୦୦୭ରେ କେନିୟା ବିପକ୍ଷରେ ୬୫ ରନ୍ କରିଥିଲେ ।