ସିଓଲ୍: ଦକ୍ଷିଣ କୋରିଆରେ ପରୀକ୍ଷା ସମୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରି ନକଲ କରିବା ଘଟଣାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାରେ ଦାୟିତ୍ୱ ଗ୍ରହଣ କରି ଦେଶର ଶିକ୍ଷାମନ୍ତ୍ରୀ ଚୋଇ କ୍ୟୋ-ଜିନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଗୁରୁବାର ଅନୁଷ୍ଠିତ ଦେଶର ବାର୍ଷିକ କଲେଜ ପ୍ରବେଶିକା ପରୀକ୍ଷା 'ସୁନେଉଙ୍ଗ୍'ରେ ଏଆଇ ସହାୟତାରେ ନକଲ ରୋକିବା ପାଇଁ ଶେଷ ମୁହୂର୍ତ୍ତରେ ନିଆଯାଇଥିବା କେତେକ ତରବରିଆ ପଦକ୍ଷେପ ଯୋଗୁଁ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ପାଇଁ ସେ ନିଜକୁ ଦାୟୀ କରିଛନ୍ତି।

ଦକ୍ଷିଣ କୋରିଆର ସରକାରୀ ସମାଚାର ସଂସ୍ଥା ୟୋନହାପ୍  ଅନୁଯାୟୀ, ରବିବାର ମନ୍ତ୍ରୀ ଚୋଇ କହିଛନ୍ତି, "ଶିକ୍ଷାମନ୍ତ୍ରୀ ଭାବେ ମୁଁ ଅନୁଭବ କରୁଛି ଯେ, ଆଗୁଆ ପ୍ରସ୍ତୁତି ନ କରିପାରିବା କାରଣରୁ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ପାଇଁ ମୋତେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ। ପରୀକ୍ଷା ଶେଷ ହୋଇଥିବାରୁ ମୁଁ ନିଜର ଗଭୀର ଦାୟିତ୍ୱବୋଧ ଅନୁଭବ କରୁଛି ଏବଂ ଇସ୍ତଫା ଦେଉଛି।" ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ୍ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ନିଜେ ଦେଶର ବର୍ତ୍ତମାନର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି।

ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷର ସୁନେଉଙ୍ଗ୍ ପରୀକ୍ଷାରେ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧୧ ଜଣ ପରୀକ୍ଷାର୍ଥୀଙ୍କ ନିକଟରୁ ଅନୁମତି ନଥିବା ସ୍ମାର୍ଟ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଥିଲା। ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ନକଲ ଘଟଣାକୁ ନେଇ କିଛି ସପ୍ତାହ ଧରି ଚିନ୍ତା ବଢ଼ିଥିଲା। ବିଶେଷକରି ଏଆଇ ସଂଯୁକ୍ତ ଉପକରଣ ବ୍ୟବହାର କରି ପରୀକ୍ଷାର୍ଥୀମାନେ ନକଲ କରୁଥିବା ଖବର ସାମ୍ନାକୁ ଆସିବା ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଥିଲା।

ଏହି ଘଟଣାର ମୁଖ୍ୟ କାରଣ ପାଲଟିଥିଲା ଏପ୍ରିଲ୍ ମାସରେ ଅନୁଷ୍ଠିତ ଜାତୀୟ ଟିକସ ହିସାବରକ୍ଷଣ (Tax Accountancy) ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୩୪ ବର୍ଷୀୟ ହାନ୍ ୱନ୍-ସିଓକ୍ଙ୍କ ନକଲ ସ୍ୱୀକାରୋକ୍ତି। ୧୬୦ଟି ପ୍ରଶ୍ନ ମଧ୍ୟରୁ ମାତ୍ର ଗୋଟିଏ ପ୍ରଶ୍ନର ଉତ୍ତର ଭୁଲ୍ ହୋଇଥିବାରୁ ତାଙ୍କର ଅସାଧାରଣ ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ସେ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜେ ନକଲ କରିଥିବା ସ୍ୱୀକାର କରିଥିଲେ। ସେ କହିଥିଲେ, "ମୁଁ ଏକ ମାଇକ୍ରୋ କ୍ୟାମେରା ବ୍ୟବହାର କରି ପରୀକ୍ଷା ପ୍ରଶ୍ନଗୁଡ଼ିକର ଫଟୋ ଉଠାଇ ଏଆଇକୁ ପଠାଉଥିଲି। ଏହାପରେ ସ୍ମାର୍ଟଫୋନ୍ରେ ଉତ୍ତର ଯାଞ୍ଚ କରି ନକଲ କରୁଥିଲି।" ତାଙ୍କର ଏହି ସ୍ୱୀକାରୋକ୍ତି ପରେ ସରକାରୀ ଅଧିକାରୀମାନେ ତୁରନ୍ତ ସତର୍କ ହୋଇଯାଇଥିଲେ। ତେବେ ସୁନେଉଙ୍ଗ୍ ପରୀକ୍ଷା ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାରୁ ନକଲ ରୋକିବା ପାଇଁ ଜରୁରୀକାଳୀନ ପଦକ୍ଷେପ ନିଆଯାଇଥିଲା।

ପରୀକ୍ଷା ଦିନ ଗୁରୁବାର ସରକାର ପ୍ରଥମ ଥର ପାଇଁ ନକଲ ରୋକିବା ଉଦ୍ଦେଶ୍ୟରେ ଦେଶର ଜାତୀୟ ବିପର୍ଯ୍ୟୟ ସତର୍କତା ବ୍ୟବସ୍ଥାକୁ ବ୍ୟବହାର କରିଥିଲେ।ସକାଳ ୮ଟାରୁ ଅପରାହ୍ନ ୩ଟା ମଧ୍ୟରେ ତିନିଥର ଦେଶବ୍ୟାପୀ ଜରୁରୀକାଳୀନ ଆଲର୍ଟ ପଠାଯାଇଥିଲା। ଫଳରେ ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ୍ ଫୋନ୍ ଏକାସାଙ୍ଗରେ ଜୋର୍ରେ ଶବ୍ଦ କରିଥିଲା। ଫୋନ୍ ସାଇଲେଣ୍ଟ୍ ମୋଡ୍ରେ ଥିଲେ ମଧ୍ୟ ଏହି ଆଲର୍ଟ ଶବ୍ଦ କରୁଥିଲା। ଏପରିକି ଡାଟା ରୋମିଂ ବ୍ୟବହାର କରୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଫୋନ୍ରେ ମଧ୍ୟ ଆଲର୍ଟ ବାଜିଥିଲା। କେବଳ ଫୋନ୍ ସୁଇଚ୍ ଅଫ୍ କିମ୍ବା ଏୟାରପ୍ଲେନ୍ ମୋଡ୍ରେ ଥିଲେ ଏହି ଆଲର୍ଟ ଶୁଣିବାକୁ ମିଳିନଥିଲା। ନକଲ ରୋକିବା ପାଇଁ ଦକ୍ଷିଣ କୋରିଆର ଜାତୀୟ ବିପର୍ଯ୍ୟୟ ସତର୍କତା ବ୍ୟବସ୍ଥାର ଏଭଳି ବ୍ୟବହାର ପ୍ରଥମ ଘଟଣା ଥିଲା।

ALSO READ- ମାଲେସିଆ ଦେଇ ଚୀନକୁ ଯାଉଥିଲା AI ଚିପ୍, ଦୁଇ ବର୍ଷ ହେଲା ଗୁଇନ୍ଦା ମିଶନ ଚଲାଉଥିଲା ଡ୍ରାଗନ୍ !

କେବଳ ମୋବାଇଲ୍ ଫୋନ୍ ଯାଞ୍ଚ ନୁହେଁ, ଲୁଚାଇ ରଖାଯାଇଥିବା କ୍ୟାମେରା ଓ ଅନ୍ୟାନ୍ୟ ଗୁପ୍ତ ଉପକରଣ ଚିହ୍ନଟ କରିବା ପାଇଁ ପରୀକ୍ଷାର୍ଥୀଙ୍କ ପୋଷାକ ଓ ଚଷମା ମଧ୍ୟ ଯାଞ୍ଚ କରାଯାଇଥିଲା। ସାର୍ଟ ଓ ଜ୍ୟାକେଟ୍ର ବଟନ୍ଗୁଡ଼ିକୁ ମଧ୍ୟ ଢାଙ୍କି ରଖିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଥିଲା, ଯାହାଦ୍ୱାରା ସେଥିରେ ଲୁଚାଯାଇଥିବା କ୍ୟାମେରା ମାଧ୍ୟମରେ ନକଲ କରିବା ସମ୍ଭବ ହେବ ନାହିଁ। ଏଥିସହ ଚଷମାଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା।ଏହି କଡ଼ା ଯାଞ୍ଚ ପ୍ରକ୍ରିୟା ଯୋଗୁଁ ନିର୍ଦ୍ଦୋଷ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ମଧ୍ୟ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା।

ପରୀକ୍ଷା ପୂର୍ବରୁ ଜଣେ ହାଇସ୍କୁଲ୍ ଛାତ୍ର 'କୋରିଆ ଟାଇମ୍ସ'କୁ କହିଥିଲେ ଯେ, ତାଙ୍କର ମୋଟା କଳା ଫ୍ରେମ୍ର ଚଷମାକୁ କାଳେ ସ୍ମାର୍ଟ ଚଷମା ବୋଲି ଭୁଲ୍ ବୁଝାଯିବ, ସେଥିପାଇଁ ସେ ଚିନ୍ତିତ ଥିଲେ। ସେହିପରି ଅନ୍ୟ ଜଣେ ପରୀକ୍ଷାର୍ଥୀ ୟୋନହାପ୍କୁ କହିଥିଲେ ଯେ, ସେ ସାଧାରଣତଃ ଚଷମା ପିନ୍ଧୁଥିଲେ ମଧ୍ୟ ପରୀକ୍ଷା ଦିନ କୌଣସି ସନ୍ଦେହ ସୃଷ୍ଟି ନହେବା ପାଇଁ କଣ୍ଟାକ୍ଟ ଲେନ୍ସ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଦକ୍ଷିଣ କୋରିଆର ସୁନେଉଙ୍ଗ୍ ପରୀକ୍ଷା ପ୍ରାୟ ୯ ଘଣ୍ଟା ଧରି ଚାଲିଥାଏ। ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ଭବିଷ୍ୟତର ଚାକିରି ଓ କ୍ୟାରିୟର ନିର୍ଦ୍ଧାରଣରେ ଏହି ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ପରୀକ୍ଷାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ଉଠିଥିବା ପ୍ରଶ୍ନ ଦକ୍ଷିଣ କୋରିଆର ଶିକ୍ଷା ବ୍ୟବସ୍ଥାକୁ ଏକ ବଡ଼ ଆହ୍ୱାନ ଦେଇଛି।