ନୂଆଦିଲ୍ଲୀ, ୦୧|ନ୍ୟୁଜିଲାଣ୍ଡ ବିପକ୍ଷରେ ତିରୁବନ୍ତପୁରମରେ ଖେଳାଯାଇଥିବା ପଞ୍ଚମ ଟି୨୦ରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଇଶାନ କିଷାନଙ୍କ ବିସ୍ଫୋରକ ଶତକ ସହ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିଷେକ ଶର୍ମାଙ୍କ ଉପଯୋଗୀ ଇନିଂସ ପାଇଁ ଭାରତ ବିଶାଳ ରନ୍ ସ୍କୋର କରିଥିଲା । ଯାହାକୁ ଚେଜ୍ କରିବାରେ ଭ୍ରମଣକାରୀ କିଓ୍ୱି ଟିମ୍ ବିଫଳ ହୋଇଥିଲା ।

ତେବେ ମୁକାବିଲାରେ ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି ସଞ୍ଜୁ ସାମସନ୍ । ସେ ସିରିଜର ସବୁ ମୁକାବିଲାରେ ବିଫଳ ହୋଇଛନ୍ତି । ତାଙ୍କ ବ୍ୟାଟରୁ ରନ୍ ବାହାରୁନି । ସଅଳ ସେ ଆଉଟ୍ ହୋଇଯାଉଛନ୍ତି । ବଲ୍ ବି ବ୍ୟାଟରେ ବାଜୁନି । ଯାହା ସିରିଜରେ ଦେଖିବାକୁ ମିଳିଛି । ଟି୨୦ ବିଶ୍ୱକପ୍ ଟିମରେ ତାଙ୍କୁ ସ୍ଥାନ ମିଳିଥିବାରୁ ଏବେ ସେ ହିଁ ଦଳ ପାଇଁ ଚିନ୍ତାର କାରଣ ପାଲଟଛନ୍ତି ।

ତେବେ ଟି୨୦ ବିଶ୍ୱକପରେ କାହାକୁ ସୁଯୋଗ ମିଳିବ । ସ଼ଞ୍ଜୁଙ୍କୁ ଭରସା କରିବ ଟିମ୍ ନା ତାଙ୍କ ଜାଗାରେ ତିଲକ ଶର୍ମା ଏବଂ ଇଶାନ କିଷାନଙ୍କୁ ସୁଯୋଗ ମିଳିବ । ଏମିତି ଅନେକ ପ୍ରଶ୍ନ । ଯାହାର ଜବାବ ଦେଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଶେଷ ଟି୨୦ ମୁକାବିଲା ପରେ ସେ ଦୁଇ ଖେଳାଳିଙ୍କ ମଧ୍ୟରୁ କିଏ ବିଶ୍ୱକପ୍ ଖେଳିବ ସେନେଇ ସସପେନ୍ସକୁ ଶେଷ କରିଛନ୍ତି ।

ସ୍କାଏ କହିଛନ୍ତି ଯେ, ଓ୍ୱିକେଟ୍ କିପିଂକୁ ନେଇ ସିରିଜ୍ ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ତିଲକ ବର୍ମା ଉପଲବ୍ଧ ନଥିଲେ । ତେଣୁ ପ୍ରଥମ ମ୍ୟାଚରେ ଦୁଇ କିପର ପ୍ଲେଇଂ ଇଲେଭେନରେ ସାମିଲ ଥିଲେ । ସିରିଜ୍ ଆରମ୍ଭରୁ ସଞ୍ଜୁ ତିନୋଟି ଏବଂ ଓ୍ୱିକେଟ୍ ଏବଂ ଇଶାନ ଦୁଇଟି ମ୍ୟାଚରେ କିପିଂ କରିବେ ।

ସେ ଆହୁରି କହିଛନ୍ତି ଯେ, ଇଶାନ ସଦାବେଳେ ନିର୍ଭୟରେ ଖେଳିଥାନ୍ତି । ଦଳ ମଧ୍ୟ ତାଙ୍କୁ ଏହି ସନ୍ଦେଶ ଦେଇଥାଏ । ଇଶାନଙ୍କ ପାଖରେ ଭରପୁର ଦକ୍ଷତା ରହିଛି । ଘରୋଇ ସିରିଜରେ ସେ ଜବରଦସ୍ତ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ଟି୨୦ରେ ସାମିଲ ହୋଇଛନ୍ତି । ସେ ଓପନିଂ କରନ୍ତୁ ବା ତିନି ନମ୍ବରରେ ବ୍ୟାଟିଂ, ତାଙ୍କର ପ୍ରଦର୍ଶନ ସଦାବେଳେ ଭଲ ରହିବ ।

ତେବେ ଟି୨୦ ବିଶ୍ୱକପରେ କିଏ ଓପନିଂ କରିବା ପ୍ରଶ୍ନରେ ସୂର୍ଯ୍ୟ ସିଧାସଳଖ କିଛି କହିନଥିଲେ । ବରଂ ଆଗକୁ ଦଳ ଏଦିଗରେ ବିଚାର କରିବ । ଟିମରେ ତିନି ଜଣ କିପର ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟ ଦିଗରେ ସଞ୍ଜୁ ଫର୍ମରେ ନଥିବାରୁ ବିଶ୍ୱକପରେ ଦଳ କେବେହେଲେ ରିସ୍କ ନେବାକୁ ଚାହିଁବନି । ତେଣୁ ତିଲକ ବର୍ମା ଆସିଲେ ସଞ୍ଜୁ ଏକପ୍ରକାର ବାଦ୍ ପଡିବେ ବୋଲି ଆଲୋଚନା ହେଉଛି ।