ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜନୈକ ପତିଙ୍କୁ ତାଙ୍କ ପତ୍ନୀଙ୍କ ସ୍ଥାୟୀ ଭରଣ ପୋଷଣ ବାବଦକୁ ୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରସ୍ପରଙ୍କଠାରୁ ପୃଥକ ହୋଇସାରିଥିବା ଦମ୍ପତ୍ତିଙ୍କ ଏହି ମାମଲାକୁ କୋର୍ଟ ‘ମହାଭାରତ ଯୁଦ୍ଧ’ ସହ ତୁଳନା କରିଛନ୍ତି। ‘ବାର ଆଣ୍ଡ ବେଞ୍ଚ’ଙ୍କ ଅନୁସାରେ କୋର୍ଟ କହିଛନ୍ତି ଯେ ବ୍ୟବହାରିକ ରୂପେ ଏହି ବିବାହ ସମାପ୍ତ ହୋଇ ସାରିଛି ଓ ଏହା ସମ୍ବିଧାନର ଅନୁଚ୍ଛେଜ ୧୪୨ ଅନୁସାରେ ବିଶେଷ ଶକ୍ତି ପ୍ରୟୋଗ ନିମନ୍ତେ ଏକ ଅତ୍ୟନ୍ତ ଉପଯୁକ୍ତ ମାମଲା, ଯାହାଦ୍ୱାରା ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ବିବାଦକୁ ସମାପ୍ତ କରାଯିବା ସହ ପୂର୍ଣ୍ଣ ନ୍ୟାୟ କରାଯାଇ ପାରିବ।

ଏହି ମାମଲା ସମସ୍ତ ସୀମା ପାର କରିସାରିଛି ଓ ଏହି ବୈବାହିକ ଯୁଦ୍ଧ ‘ମହାଭାରତ’ ରୂପ ଗ୍ରହଣ କରିଛି। ସୁ୍ପ୍ରିମକୋର୍ଟଙ୍କ ପୀଠ ପତ୍ନୀଙ୍କ ଦ୍ୱାରା ବମ୍ବେ ଉଚ୍ଚନ୍ୟାୟାଳୟଙ୍କ ସେପ୍ଚେମ୍ବର ୨୦୨୪ର ସେହି ଆଦେଶ ବିରୋଧରେ ରୁଜୁ ନିବେଦନ ଉପରେ ଶୁଣାଣି କରିଛନ୍ତି, ଯେଉଁଥିରେ ଉଭୟପକ୍ଷଙ୍କ ବୈବାହିକ ବିବାଦ ଯୋଗୁ ସୃଷ୍ଟ ଭରଣପୋଷଣ ବାବଦ ବକେୟା ରାଶି ଆଦାୟ ନିମନ୍ତେ ଦ୍ରୁତ କାର୍ଯ୍ୟାନୁଷ୍ଠାନକୁ ଅସ୍ୱୀକାର କରି ଦିଆଯାଇଥିଲା। କୋର୍ଟ ମହିଳାଙ୍କ ପତିଙ୍କ ଦ୍ୱାରା ରୁଜୁ କରାଯାଇଥିବା ୨୦ କୋଟି ଟଙ୍କାର ଦାବିକୁ ମଧ୍ୟ ଖାରଜ କରିଦେଇଛନ୍ତି।

ଆସନ୍ତୁ ଜାଣିବା ମାମଲା କ’ଣ?
ଏହି ଦମ୍ପତ୍ତି ୨୦୧୦ ମସିହାରେ ବିବାହ କରିଥିଲେ ଓ ପରବର୍ତ୍ତି ୬ ବର୍ଷରେ ସେମାନଙ୍କର ଦୁଇଟି ପୁଅ ବି ହୋଇଥିଲେ। ହେଲେ ସମୟ ସହିତ ସେମାନଙ୍କ ସମ୍ପର୍କ ବିଗିଡି ଯାଇଥିଲା ଓ ୨୦୧୬ ମସିହାରେ ସେମାନେ ପୃଥକ ହୋଇଯାଇଥିଲେ। ସେବେଠାରୁ ସେମାନଙ୍କ ଆଇନଗତ ଲଢେଇ ଜାରି ରହିଛି। ପତ୍ନୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ୨ ପିଲା ଓ ପରିବାର ଭରଣ ପୋଷଣ ଦାୟିତ୍ୱରୁ ଓହରି ଯାଇଛନ୍ତି।

ପତ୍ନୀ ମୁମ୍ବାଇର ଲୋଖଣ୍ଡୱାଲାରେ ଥିବା ତାଙ୍କ ଶ୍ୱଶୂରଙ୍କ ଏକ ଥ୍ରୀ ବିଏଚକେ ଫ୍ଲାଟରେ ରହୁଥିଲେ, ଯାହାକୁ ତାଙ୍କ ପତି ଖାଲି କରିବାକୁ ଚାହୁଁଥିଲେ। ଏହି ମୋକଦ୍ଦମା କାଳରେ ପତି ନା କେବଳ ତାଙ୍କ ପତ୍ନୀ ଓ ସମ୍ପର୍କିୟଙ୍କ ବିରୋଧରେ ବରଂ ଓକିଲମାନଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ କରିଥିବା କୋର୍ଟ ଜାଣିବାକୁ ପାଇଛନ୍ତି। ପାଖାପାଖି ୧ ଦଶନ୍ଧୀରୁ ଅଧିକ କାଳ ହେଲା ଜାରି ଏହି ମାମଲା କେତେବେଳେ ଦିବାନୀ ତ ଆଉ କେତେବେଳେ ଅପରାଧିକ ପୁଣି କେତେବେଳେ ବୈବାହିକ ମୋକଦ୍ଦମାରେ ରୂପାନ୍ତରିତ ହୋଇଥିବା ଦେଖା ଯାଇଛି। ଏଥିରେ ଭରଣ ପୋଷଣ ଦାବି, ପିଲାଙ୍କ ଦାୟିତ୍ୱ ସମ୍ପର୍କିତ ବିବାଦ ଓ ନିର୍ଯାତନା ଅଭିଯୋଗ ମଧ୍ୟ ସାମିଲଥିଲା।

ସର୍ବୋଚ୍ଚନ୍ୟାୟାଳୟ କହିଛନ୍ତି ଯେ ପତି, ପତ୍ନୀଙ୍କ ଅତ୍ୟଧିକ ମାମଲାଖୋର ମନଭାବ ଯୋଗୁ ମୋକଦ୍ଦମା ବିବାଦପୂର୍ଣ୍ଣ ହୋଇଯାଇଛି। ଏଣୁ ଏହାର ପ୍ରଭାବ ନା କେବଳ ପକ୍ଷ ବରଂ ସେମାନଙ୍କ ପିଲାଙ୍କ ଉପରେ ମଧ୍ୟ ପଡିଥିଲା। ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ କୋର୍ଟ ଏହାକୁ ‘ମହାଭାରତ ଭଳି ବୈବାହିକ ବିବାଦ’ ବୋଲି କହି ଏହି ବିବାହ ଅପରିବର୍ତ୍ତନୀୟ ଭାବେ ଭାଙ୍ଗିସାରିଥିବା ଓ ଏହାକୁ ଏବେ ଆଉ ରକ୍ଷା କରାଯାଇ ପାରିବନି ବୋଲି କହିଛନ୍ତି।

Also Read..Sabarimala Entry Case : ମହିଳାଙ୍କୁ ତିନି ଦିନ ପାଇଁ ଅଛୁଆଁ ଭାବେ ବିବେଚନା କରାଯାଇପାରିବ ନାହିଁ- ସୁପ୍ରିମକୋର୍ଟ