ନୂଆଦିଲ୍ଲୀ: ବଢିବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ମୁସ୍କିଲ । ଭାରତୀୟ ନିର୍ବାଚନ ଆୟୋଗ (ECI) ଭିତରେ କ୍ଷମତାର କେନ୍ଦ୍ରୀକରଣ ଏବଂ ଏକପାଖିଆ ନିଷ୍ପତ୍ତି ନିଆଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଆଗତ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପୀଠରେ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?

ସୁପ୍ରିମକୋର୍ଟରେ ଦାୟର ଆବେଦନରେ ଅଭିଯୋଗ ହୋଇଛି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆୟୋଗର ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ (ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ)ଙ୍କ ସମ୍ମତି କିମ୍ବା ଆଲୋଚନା ବିନା ମନମୁଖୀ ଭାବେ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି । ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୋର୍ଟ ଏହାକୁ ନିୟମିତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read: ଷଷ୍ଠ ଶ୍ରେଣୀରେ ଲାଗୁ ହେବନି ତ୍ରିଭାଷୀ ନୀତି : ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନ

ଆବେଦନରେ ଦର୍ଶାଯାଇଛି ଯେ ନିର୍ବାଚନ ଆୟୋଗ ହେଉଛି ଏକ ବହୁ-ସଦସ୍ୟବିଶିଷ୍ଟ ସାମ୍ବିଧାନିକ ସଂସ୍ଥା । ନିୟମାନୁସାରେ, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସହମତି ନହେଲେ ବହୁମତ ଆଧାରରେ ନିଷ୍ପତ୍ତି ନିଆଯିବା କଥା । ମାତ୍ର ଭୋଟର ତାଲିକା ସଂଶୋଧନ ଓ ଆବେଦନ ଦାଖଲ ଭଳି ସଂବେଦନଶୀଳ ନିଷ୍ପତ୍ତିଗୁଡ଼ିକରେ ଅନ୍ୟ ଆୟୁକ୍ତମାନଙ୍କୁ ଆଡ଼େଇ ଦିଆଯାଉଥିବା ଅଭିଯୋଗ ହୋଇଛି ।

୨୦୨୫ ଅକ୍ଟୋବରରୁ ୨୦୨୬ ଅଗଷ୍ଟ ମଧ୍ୟରେ ଅନ୍ୟ ଦୁଇଜଣ ଆୟୁକ୍ତ ଆୟୋଗ ନାମରେ ନିଆଯାଇଥିବା ଅନେକ ଏକପାଖିଆ ନିଷ୍ପତ୍ତି ଉପରେ ପ୍ରାୟ ୧୪ରୁ ଉର୍ଦ୍ଧ୍ୱ ଆପତ୍ତି ଦର୍ଶାଇଥିଲେ। ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତାକୁ ଜଣେ ବ୍ୟକ୍ତିବିଶେଷ କେନ୍ଦ୍ରୀଭୂତ କରି ଚଲାଇବା ସାମ୍ବିଧାନିକ ଶୃଙ୍ଖଳା ପ୍ରତି ବିପଦ ବୋଲି ଆବେଦନରେ ଦାବି କରାଯାଇଛି।

Also Read: ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ଦିନେ ମଇଁଷି ଚରାଇ ଘର ଚଳାଉଥିଲେ, ଏବେ ଆଇଏଏସ୍ ଅଫିସର