ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ପୁଣି ବଢ଼ିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକାର ଏକ MQ-1 ଡ୍ରୋନ୍କୁ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଖସାଇ ଦେଇଥିବା ଇରାନ ଦାବି କରିଛି। ଅନ୍ୟପକ୍ଷରେ, ଆମେରିକାର ଏକ ଟେଲିକମ୍ ଟାୱାର୍ ଉପରେ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ବାହାରିନ୍ରେ ଥିବା ଆମେରିକୀୟ ରାଡାର୍ କେନ୍ଦ୍ରକୁ ଟାର୍ଗେଟ୍ କରିଥିବା ଇରାନୀ ସେନା କହିଛି। ତେବେ ରାଡାର୍ ଧ୍ୱଂସ ହୋଇଥିବା ଆମେରିକା ଅସ୍ୱୀକାର କରିଛି।

ଇରାନର ସେନା, ନୌସେନା ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ ହର୍ମୁଜ୍ ପ୍ରଣାଳୀ ନିକଟସ୍ଥ ସିରିକ୍ ଉପକୂଳ ଏବଂ କୁହେସ୍ତାକ୍ ଓ କେଶମ୍ ଦ୍ୱୀପ ଅଞ୍ଚଳରେ ଏକ ଆମେରିକୀୟ MQ-1 ଡ୍ରୋନ୍କୁ ଚିହ୍ନଟ କରି ଖସାଇ ଦିଆଯାଇଥିବା ଦାବି କରାଯାଇଛି।

ଇରାନର କହିବା ଅନୁଯାୟୀ, ଏହି ଡ୍ରୋନ୍କୁ ଦେଶର ସମନ୍ୱିତ ବାୟୁ ପ୍ରତିରକ୍ଷା ନେଟୱର୍କ ଅଧୀନରେ କାର୍ଯ୍ୟ କରୁଥିବା ଏକ ନୂତନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଜରିଆରେ ଟ୍ରାକ୍ କରାଯାଇ ନଷ୍ଟ କରାଯାଇଛି। ଏହି ବ୍ୟବସ୍ଥା ଇରାନୀ ନୌସେନା ଦ୍ୱାରା ପରିଚାଳିତ ହେଉଥିବା ବିବୃତିରେ ଉଲ୍ଲେଖ ରହିଛି। ଦେଶର ଭୌଗୋଳିକ ଅଖଣ୍ଡତା, ସାମୁଦ୍ରିକ ସୀମା ଏବଂ ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଇରାନ କୌଣସି ପରିସ୍ଥିତିରେ ପଛକୁ ହଟିବ ନାହିଁ ବୋଲି ମଧ୍ୟ ଏହି ବିବୃତିରେ କୁହାଯାଇଛି।

ଏହି ଘଟଣା ପୂର୍ବରୁ ଇରାନର ହର୍ମୁଜ୍ ପ୍ରଣାଳୀ ନିକଟସ୍ଥ ହର୍ମୋଜଗାନ୍ ପ୍ରଦେଶର ସିରିକ୍ ଅଞ୍ଚଳରେ ଥିବା ଏକ ଟେଲିକମ୍ୟୁନିକେସନ୍ ଟାୱାର୍କୁ ଆମେରିକୀୟ ସେନା ଟାର୍ଗେଟ୍ କରିଥିବା ଇରାନ ଅଭିଯୋଗ କରିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ବାହାରିନ୍ରେ ଥିବା ଆମେରିକାର ଏକ ସାମରିକ ରାଡାର୍ କେନ୍ଦ୍ର ଉପରେ ଆକ୍ରମଣ କରିଥିବା IRGC ପକ୍ଷରୁ ଦାବି କରାଯାଇଛି।

ଏହି ରାଡାର୍ ବ୍ୟବସ୍ଥା ଶତ୍ରୁପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଆକ୍ରମଣକୁ ଆଗୁଆ ଚିହ୍ନଟ କରିବାରେ ସହାୟତା କରିଥାଏ। ତେବେ ଆମେରିକୀୟ ସେନା ଇରାନର ଏହି ଦାବିକୁ ଖଣ୍ଡନ କରିଛି। ଆମେରିକାର ସେନା କହିଛି ଯେ, ବାହାରିନ୍ ଆଡ଼କୁ ଆସୁଥିବା ଇରାନର ଦୁଇଟି ଆକ୍ରମଣକାରୀ ଡ୍ରୋନ୍କୁ ମଝି ଆକାଶରେ ନଷ୍ଟ କରାଯାଇଛି। ଏହି ଘଟଣାରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନଥିବା ଆମେରିକା ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ମୁଖ୍ୟ ଅହମଦ୍ ୱାହିଦି ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି। ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଇରାନ ଉପରେ ଆମେରିକା ପକ୍ଷରୁ ପୁଣି କୌଣସି ଆକ୍ରମଣ କରାଗଲେ ଏହାର ଜବାବ ଅତ୍ୟନ୍ତ ଭୟଙ୍କର ଓ ଯନ୍ତ୍ରଣାଦାୟକ ହେବ। ସେ ଆହୁରି କହିଛନ୍ତି, ଆମେରିକା ନିଜର ପୂର୍ବ ପରାଜୟରୁ ଶିକ୍ଷା ନେବା ଉଚିତ। ନଚେତ୍ ଆଗାମୀ ଦିନରେ ଏହାକୁ ଆହୁରି ବଡ଼ ପରିଣାମ ଭୋଗିବାକୁ ପଡ଼ିପାରେ। ତାଙ୍କର ଏହି ବୟାନ ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନାକୁ ଆହୁରି ଚର୍ଚ୍ଚାକୁ ଆଣିଛି।

ALSO READ- ଇଣ୍ଡୋନେସିଆରେ ସର୍ବସାଧାରଣରେ ମହିଳାଙ୍କୁ ବେତ୍ରାଘାତ, ଶରିଆ ଆଇନ ଉଲ୍ଲଂଘନ ଅଭିଯୋଗରେ ୬ ଜଣଙ୍କୁ ଦଣ୍ଡ

ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରୁ ଅନ୍ୟତମ। ଏହି ଜଳପଥ ଦେଇ ବିଶ୍ୱର ବହୁ ପରିମାଣର ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ପରିବହନ ହୋଇଥାଏ। ଏହି ଅଞ୍ଚଳରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ଫଳରେ ଅନ୍ତର୍ଜାତୀୟ ତୈଳ ଯୋଗାଣ ଓ ସାମୁଦ୍ରିକ ବାଣିଜ୍ୟ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ବଢ଼ିଛି।

ତେବେ ଇରାନ ପକ୍ଷରୁ ଆମେରିକୀୟ MQ-1 ଡ୍ରୋନ୍ ଖସାଇବା ଏବଂ ବାହାରିନ୍ରେ ରାଡାର୍ ଧ୍ୱଂସ କରିବା ନେଇ କରାଯାଇଥିବା ଦାବିଗୁଡ଼ିକର ସ୍ୱାଧୀନ ପୁଷ୍ଟି ମିଳିନାହିଁ। ତେଣୁ ଏହି ଘଟଣାର ପ୍ରକୃତ ସ୍ଥିତି ଜାଣିବା ପାଇଁ ଉଭୟ ପକ୍ଷର ଅଧିକାରିକ ବୟାନ ଓ ନିରପେକ୍ଷ ତଥ୍ୟକୁ ଅପେକ୍ଷା କରାଯାଉଛି।