ନୂଆଦିଲ୍ଲୀ : ପରିସ୍ଥିତି ଯେମିତି ବି ହେଉନା କାହିଁକି କୁହନ୍ତି ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। କିନ୍ତୁ ଏଥିପାଇଁ ଦରକାର କଠିନ ପରିଶ୍ରମ, ଧର୍ଯ୍ୟ, ନିଷ୍ଠା ଓ ଅଧ୍ୟବସାୟ। ଯାହାର ଜ୍ୱଳନ୍ତ ଉଦାହରଣ ତାମିଲନାଡୁର ସି. ଭାନମତି। ଜୀବନରେ ଅନେକ ବାଧାବିଘ୍ନକୁ ସାମ୍ନା କରିଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ନିଜର ଜିଦ୍, ଅଟଳ ବିଶ୍ୱାସ ଯୋଗୁ ସେ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି।

ତାମିଲନାଡୁର ଇରୋଡ ଜିଲ୍ଲାର ଏକ ସାଧାରଣ ପରିବାରରେ ସି. ଭାନମତିଙ୍କ ଜନ୍ମ। ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲା। ତାଙ୍କ ବାପା ଜଣେ ଟ୍ୟାକ୍ସି ଡ୍ରାଇଭର । ତାଙ୍କ ରୋଜଗାରରେ ପରିବାର ଚଳାଇ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବା ଥିଲା ଏକ ବଡ଼ ଚ୍ୟାଲେଞ୍ଜ । ଏପରି ପରିସ୍ଥିତିରେ ଭନମତିଙ୍କୁ ପାଠପଢ଼ା ସହିତ ଘରର ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡ଼ୁଥିଲା। ସ୍କୁଲରୁ ଫେରିବା ପରେ ସେ ମଇଁଷି ଚରାଉଥିଲେ। ସେମାନଙ୍କ ପାଇଁ ଘାସ ସଂଗ୍ରହ କରି ଘରର ଅନ୍ୟାନ୍ୟ କାମ ମଧ୍ୟ କରୁଥିଲେ। ଅଧିକାଂଶ ସମୟ ସ୍କୁଲ୍ ଓ ଘର କାମରେ ଯାଉଥିଲେ ବି ସେ ସେଲ୍ଫ ଷ୍ଟଡି କରିବାକୁ ଭୁଲୁ ନଥିଲେ। ଅନେକ ସମୟରେ ଆର୍ଥିକ ଅନଟନ ଯୋଗୁଁ ପିଲାମାନଙ୍କ ସ୍ୱପ୍ନ ଅଧାରେ ରହିଯାଏ। କିନ୍ତୁ ଭାନମତି କୌଣସି ବି ପରିସ୍ଥିତିରେ ପାଠପଢ଼ାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ସେ ଯେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ, ସେହି ସମୟରେ ତାଙ୍କ ବିବାହକୁ ନେଇ ପରିବାରରେ ଆଲୋଚନା ଆରମ୍ଭ ହୋଇଥିଲା। ସମ୍ପର୍କୀୟ ଓ ଆଖପାଖର ଲୋକମାନେ ତାଙ୍କ ବିବାହ କରାଇଦେବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ଭାନମତିଙ୍କ ମନରେ ଥିଲା ଅଲଗା ସ୍ୱପ୍ନ। ସେ ନିଜର ପାଠପଢ଼ା ଶେଷ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ। ତେଣୁ ସେ ବିବାହ ପରିବର୍ତ୍ତେ ଶିକ୍ଷାକୁ ଗୁରୁତ୍ୱ ଦେବାର ନିଷ୍ପତ୍ତି ନେଇଥିଲେ। ଏଥିରେ ତାଙ୍କ ବାପାମାଆ ମଧ୍ୟ ସମର୍ଥନ ଦେଇଥିଲେ। ଯାହା ଭାନମତିଙ୍କ ପାଇଁ ଥିଲା ଏକ ବଡ଼ ଶକ୍ତି ।

ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ଭାନମତି ପ୍ରଶାସନିକ ସେବା ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିଲେ। ଏହି ସ୍ୱପ୍ନ ପଛରେ ଏକ ଟେଲିଭିଜନ ସିରିଏଲର ଭୂମିକା ଥିଲା। ସେ ଏକ ସିରିଏଲରେ ମହିଳା IAS ଅଧିକାରୀଙ୍କ ଚରିତ୍ର ଦେଖିଥିଲେ। ଯାହା ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ସେହି ଦିନଠାରୁ ସେ ମଧ୍ୟ ଜଣେ IAS ଅଧିକାରୀ ହେବାକୁ ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ ଓ ଉଚ୍ଚଶିକ୍ଷା ଆବଶ୍ୟକ ବୋଲି ସେ ବୁଝିଥିଲେ। ତେଣୁ ଦ୍ୱାଦଶ ପାସ୍ ପରେ ଭାନମତି ବ୍ୟାଚେଲର ଅଫ୍ କମ୍ପ୍ୟୁଟର ଆପ୍ଲିକେସନରେ ନାମ ଲେଖାଇଥିଲେ। ଏହାପରେ ସେ ମାଷ୍ଟର୍ସ ଅଫ୍ କମ୍ପ୍ୟୁଟର ଆପ୍ଲିକେସନ ମଧ୍ୟ ପଢ଼ିଥିଲେ। ଉଚ୍ଚଶିକ୍ଷା ଶେଷ ହେବା ପରେ ତାଙ୍କ ଲକ୍ଷ୍ୟ ଥିଲା UPSC ସିଭିଲ ସର୍ଭିସ ପରୀକ୍ଷା। ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଲେ। କିନ୍ତୁ ଘରର ଆର୍ଥିକ ପରିସ୍ଥିତିକୁ ଦେଖିଲେ କେବଳ ପାଠପଢ଼ା ଉପରେ ନିର୍ଭର କରିବା ତାଙ୍କ ପାଇଁ ନଥିଲା ସମ୍ଭବ । ତେଣୁ ସେ ନିଜର ପ୍ରସ୍ତୁତି ସହିତ ଚାକିରି କରିବାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଭାନମତି ବ୍ୟାଙ୍କ ନିଯୁକ୍ତି ପରୀକ୍ଷା ଦେଇଥିଲେ। ସେଥିରେ ସଫଳ ହେବା ପରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଚାକିରି ପାଇଥିଲେ। ବ୍ୟାଙ୍କରେ ଚାକିରିକେ ତାଙ୍କୁ ଆର୍ଥିକ ସହାୟତା ତ ମିଳିଥିଲା। କିନ୍ତୁ IAS ହେବାର ସ୍ୱପ୍ନ କିନ୍ତୁ ଅଧାରେ ରହିଥିଲା। କାରଣ ଚାକିରିର ଦାୟିତ୍ୱ ସହ UPSC ପାଇଁ ପଢ଼ା ଜାରି ରଖିବା ତାଙ୍କ ପାଇଁ ନଥିଲା ସହଜ । ତଥାପି ସମୟ ବାହାର କରି ସେ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

UPSCରେ ଭାନମତିଙ୍କୁ ଅନେକ ଥର ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମ ପ୍ରୟାସରେ ସେ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ଶେଷ ମେରିଟ ତାଲିକାରେ ତାଙ୍କ ନାଁ ନଥିଲା। ବିଫଳତାରେ ନିରାଶ ନ ହୋଇ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରବର୍ତ୍ତୀ ପ୍ରୟାସଗୁଡ଼ିକରେ ମଧ୍ୟ ତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ବିଫଳତା ମିଳିଥିଲା। କାରଣ ସେ ଯେତେବେଳେ UPSC ପାଇଁ ପ୍ରସ୍ତୁତି କରୁଥିଲେ ସେହି ସମୟରେ ତାଙ୍କ ବାପା ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା। ଗୋଟିଏ ପଟେ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା, ଅନ୍ୟପଟେ ପରୀକ୍ଷା । ଏପରି ସ୍ଥିତିରେ ମାନସିକ ଚାପକୁ ସମ୍ଭାଳି ନିଜର ପ୍ରସ୍ତୁତି ଜାରି ରଖିବା ଏକ ବଡ଼ ଆହ୍ୱାନ ଥିଲା। ତଥାପି ସେ ହାର ନ ଇଣ୍ଟରଭ୍ୟୁ ଦେଇଥିଲେ। ଶେଷରେ ସେ ସଫଳ ହୋଇଥିଲା।

 Also Read - AI ସହାୟତାରେ ପୁସ୍ତକ ଲେଖିବାରୁ ପୁରସ୍କାର ଦୌଡ଼ରୁ ବାଦ ପଡ଼ିଲେ କାନାଡ଼ା ଲେଖକ

ବାରମ୍ବାର ବିଫଳତା, ଆର୍ଥିକ ଅନଟନ ଓ ପାରିବାରିକ ସମସ୍ୟାକୁ ପଛରେ ପକାଇ ଭନମତି ଶେଷରେ UPSC ସିଭିଲ ସର୍ଭିସ ପରୀକ୍ଷା ୨୦୧୪ରେ ସଫଳତା ହାସଲ କରିଥିଲେ। ସେ ସର୍ବଭାରତୀୟ ସ୍ତରରେ ୧୫୨ତମ ରାଙ୍କ ହାସଲ କରିଥିଲେ। ଏହି ସଫଳତା ସହ ସେ IAS ହୋଇଥିଲେ। ତାଙ୍କ ତପାଇଁ ଏହା କେବଳ ଏକ ପରୀକ୍ଷାରେ ସଫଳତା ନଥିଲା, ବରଂ ତାଙ୍କର ବହୁବର୍ଷର ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଫଳ ଥିଲା। ଯେଉଁ ଝିଅ ଦିନେ ମଇଁଷି ଚରାଇ ପରିବାର କୁ ସହଯୋଗ କରୁଥିଲେ, ପରବର୍ତ୍ତୀ ସମୟରେ ସେ ଜଣେ ପ୍ରଶାସନିକ ସେବା ଅଧିକାରୀ। ପରେ ସେ ମହାରାଷ୍ଟ୍ର କ୍ୟାଡରର IAS ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ଭାନମତିଙ୍କ କାହାଣୀ ଦର୍ଶାଏ ଜୀବନରେ ଆସୁଥିବା ଅସୁବିଧା ଭବିଷ୍ୟତ ନିର୍ଦ୍ଧାରଣ କରେ ନାହିଁ। ଶିକ୍ଷା, ନିଜ ଲକ୍ଷ୍ୟ ପ୍ରତି ନିଷ୍ଠା ଓ ପରିବାରର ସମର୍ଥନ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଗାଁରେ ମଇଁଷି ଚରାଉଥିବା ଝିଅରୁ IAS ଅଧିକାରୀ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ନିହାତି ଭାବେ ପ୍ରେରଣା।