ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଭୟଙ୍କର ଆତ୍ମଘାତୀ କାର୍ ବିସ୍ଫୋରଣ ଘଟିଛି। ଏକ ସୁରକ୍ଷା ଚେକ୍ପୋଷ୍ଟକୁ ଟାର୍ଗେଟ୍ କରି ହୋଇଥିବା ଏହି ବିସ୍ଫୋରଣରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଆକ୍ରମଣକାରୀ ଏବଂ ୨ ଜଣ ସାଧାରଣ ନାଗରିକ ଅଛନ୍ତି।

ଶୁକ୍ରବାର ଜଣେ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ କାଣ୍ଡା ୱା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏହି ଅଞ୍ଚଳ ଜାତୀୟ ରାଜପଥ N-25 ନିକଟରେ ଅବସ୍ଥିତ। ସୂଚନା ଅନୁସାରେ, ବିସ୍ଫୋରକ ଭର୍ତ୍ତି ଏକ କାର୍ ଦ୍ରୁତଗତିରେ ଆସି ସୀମା ସୁରକ୍ଷା ବାହିନୀ ଫ୍ରଣ୍ଟିୟର କର୍ପସ୍ (FC)ର ଚେକ୍ପୋଷ୍ଟକୁ ଧକ୍କା ଦେଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।

ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣରେ ମୃତ ୩ ଜଣଙ୍କ ମଧ୍ୟରେ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ସାମିଲ ଅଛି। ଅନ୍ୟ ଦୁଇଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଆହତଙ୍କ ମଧ୍ୟରେ ଫ୍ରଣ୍ଟିୟର କର୍ପସ୍ର କିଛି ଯବାନ ମଧ୍ୟ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି।

ତେବେ ପାକିସ୍ତାନର ଖବରକାଗଜ 'ଡନ୍'ରେ ବଲୁଚିସ୍ତାନ ପୋଲିସକୁ ଉଦ୍ଧୃତ କରି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆହତଙ୍କ ସଂଖ୍ୟା ୧୬ ହୋଇପାରେ। ଏହା ମଧ୍ୟରେ ସୀମା ସୁରକ୍ଷା ବାହିନୀର ୩ ଜଣ ସଦସ୍ୟ ମଧ୍ୟ ଅଛନ୍ତି I ଏହି ଆତ୍ମଘାତୀ ଆକ୍ରମଣର ଦାୟିତ୍ୱ ନିଷିଦ୍ଧ ସଂଗଠନ ବଲୁଚ୍ ଲିବରେସନ୍ ଆର୍ମି ନେଇଥିବା ବେଳେ ସଂଗଠନ ପକ୍ଷରୁ ଆକ୍ରମଣକାରୀଙ୍କ ନାମ ଓସାମା ଶାହୱାନୀ ବୋଲି ଚିହ୍ନଟ କରାଯାଇଛି। ସେ ୨୦୨୨ ମସିହାରେ ସଂଗଠନରେ ଯୋଗ ଦେଇଥିବା ମଧ୍ୟ ଦାବି କରାଯାଇଛି।

ALSO READ- ଇଣ୍ଡୋନେସିଆରେ ସର୍ବସାଧାରଣରେ ମହିଳାଙ୍କୁ ବେତ୍ରାଘାତ, ଶରିଆ ଆଇନ ଉଲ୍ଲଂଘନ ଅଭିଯୋଗରେ ୬ ଜଣଙ୍କୁ ଦଣ୍ଡ

ତେବେ ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଶାହୱାନୀଙ୍କ ନାମ ୨୦୨୪ ମସିହାରେ ଏକ ନିଖୋଜ ବ୍ୟକ୍ତି ସମ୍ପର୍କିତ ମାମଲାରେ ରହିଥିଲା। ଯୁବ ବଲୁଚ୍ ଯୁବକଙ୍କୁ ସଂଗଠନରେ ସାମିଲ କରିବା ଏବଂ ସେମାନଙ୍କ ନିଖୋଜ ହେବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଭ୍ରମିତ କରିବା ପାଇଁ ଏଭଳି ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି।

ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ର ଏବଂ ଆକ୍ରମଣକାରୀଙ୍କ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କକୁ ନେଇ ଖୋଳତାଡ଼ ଜାରି ରହିଛି। ବଲୁଚିସ୍ତାନରେ ଏଭଳି ଆକ୍ରମଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ପାଇଁ ପୁଣିଥରେ ଚିନ୍ତା ବଢ଼ାଇଛି।