ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ର ନିର୍ବାଚନ ଆୟୋଗଙ୍କ ଏସଆଇଆରରେ ଭୋଟର ଲିଷ୍ଟରେ ନାମ ଯୋଡିବା, ଦାବି ଓ ଆପତ୍ତି ରୁଜୁ କରିବାକୁ ଏବେ ତାରିଖ ସମ୍ପ୍ରସାରଣ କରିବାକୁ ମନା କରିଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀ ଅଋଣ ଆନନ୍ଦଗିରିଙ୍କ ପିଟିସନ ଉପରେ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି, ଯେଉଁଥିରେ ଅଭିଯୋଗ କରାଯାଇଛି ଏସଆଇର ପ୍ରକ୍ରିୟାରେ ରାଜ୍ୟର ୩୩ ପ୍ରତିଶତ ଭୋଟରଙ୍କ ନାମ ତାଲିକାରୁ ହଟାଇ ଦିଆଯାଇଛି।

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ଅରବିନ୍ଦ ଦାତାର ହାଜିର ହୋଇଥିଲେ। ସେ କୋର୍ଟଙ୍କୁ କହିଛନ୍ତି ଯେ ମୁମ୍ବାଇ ଓ ପୁଣେରେ ପାଖାପାଖି ୩ହଜାର ୫୦୦ ରିଡେଭଲପମେଣ୍ଟ ପ୍ରକଳ୍ପ କାମ ଜାରି ରହିଛି। ଏଣୁ ପୁରୁଣା କଲୋନୀ ଓ ସୋସାଇଟି ଭଙ୍ଗା ଯିବା କାରଣରୁ ହଜାର ହଜାର ଲୋକ ରହିବା ପାଇଁ ଅନ୍ୟସ୍ଥାନକୁ ଚାଲି ଯାଇଛନ୍ତି। ଏଣୁ ଭୋଟରଙ୍କ ବର୍ତ୍ତମାନ ଠିକଣା ଓ ଅନ୍ୟ ବିବରଣୀ ମେଳ ହେଉ ନଥିବାରୁ ତାଲିକାରୁ ସେମାନଙ୍କ ନାମ ହଟିଯିବାର ବିପଦ ସୃଷ୍ଟି ହୋଇଛି।

ବରିଷ୍ଠ ଓକିଲ ତର୍କ ଦେଇଛନ୍ତି ଯେ ଏପରି ଭୋଟରଙ୍କ ଲାଗି ନିର୍ବାଚନ ଆୟୋଗ ଏକ ନୂଆ ଫର୍ମ ଜାରି କରିବା ଆବଶ୍ୟକ ଯେଉଁମାନେ ପିଛିଲା ଭୋଟର ଲିଷ୍ଟରେ ଥିଲେ ଓ ଭୋଟ ଦେଉଥିଲେ। ସେ କହିଛନ୍ତି ଯେ ଭୋଟର ଲିଷ୍ଟରେ ଥିବା ଭୋଟରଙ୍କ ଦ୍ୱାରା ଫର୍ମ-୬ ପୂରଣ କରିବା ଭୁଲ, କାରଣ ଏହି ଫର୍ମ କେବଳ ପ୍ରଥମ ଥର ପଞ୍ଜିକରଣ କରାଉଥିବା ଭୋଟରଙ୍କ ଲାଗି ଓ ପୂରୁଣା ଭୋଟରଙ୍କ ଲାଗି ନୁହେଁ। ଏଣୁ ଓକିଲ ଦାବି କରିଥିଲେ ଯେ ଆପତ୍ତି କରିବା ପାଇଁ ଶେଷ ସମୟକୁ ସମ୍ପ୍ରସାରଣ କରାଯାଉ, ଯାହାଦ୍ୱାରା ଲୋକଙ୍କୁ ଜରୁରି କାଗଜପତ୍ର ଜମା କରିବାକୁ ପର୍ଯ୍ୟାପ୍ତ ସମୟ ମିଳିବ। ସେହିପରି ଯେଉଁ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ଚୂଡ଼ାନ୍ତ ଭୋଟର ଲିଷ୍ଟ ଜାରି ଉପରେ ରୋକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି।

ତେବେ ସୁପ୍ରିମକୋର୍ଟ ଅଚାନକ ସମୟସୀମା ବଢାଇବାକୁ ମନା କରିଦେଇଛନ୍ତି। ତେବେ ଆବେଦନକାରୀଙ୍କୁ ଏହି ମାମଲାର ଶୀଘ୍ର ଶୁଣାଣି ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଆପଣ ଏଥି ପାଇଁ ଚିନ୍ତା କରନ୍ତୁନି ଆପଣ ଜଣେ ’ହ୍ୱିସିଲ ବ୍ଲୋଅର’ ଓ ଆପଣ ଆମ ପାଖକୁ ଆସିଛନ୍ତି। ଆମେ ପରେ ତାରିଖ ବଢାଇ ପାରୁ, ଯେପରି ଆମେ ପୂର୍ବରୁ ଏସଆଇଆର ତାରିଖ ବଢାଇଛୁ। ଯଦି ଲାଗେ ଲୋକେ ଏବେବି ସେମାନଙ୍କ ଡକ୍ୟୁମେଣ୍ଟେସନ କରିପାରି ନାହାନ୍ତି ତେବେ ଆମେ ଆଦେଶ ଜାରି କରିବୁ।

ଇସିଆଇ ପୂର୍ବରୁ ମହାରାଷ୍ଟ୍ରରେ ଭୋଟର ଲିଷ୍ଟ ଏସଆଇଆର କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିଥିଲେ। ଏଣୁ ଚୂଡ଼ାନ୍ତ ଭୋଟର ଲିଷ୍ଟ ପ୍ରକାଶନକୁ ନଭେମ୍ବର ୧୬ ତାରିଖକୁ ଘୁଞ୍ଚା ଯାଇଥିଲା। ଦାବି ଓ ଆପତ୍ତି ଦାଖଲ କରିବା ଲାଗି ଶେଷ ତାରିଖ ପୂର୍ବରୁ ସେପ୍ଟେମ୍ବର ୩୦ରୁ ବଢାଇ ଅକ୍ଟୋବର ୧୨ ତାରିଖ କରାଯାଇଥିଲା। ଭୋଟରଙ୍କ ଦାବି ଓ ଆପତ୍ତି ସମାଧାନ ପ୍ରକ୍ରିୟା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।