ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଡିଜିଟାଲ ସଙ୍ଗଠନ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)ର ଯାଞ୍ଚ ଦାବି କରୁଥିବା ଆବେଦନ ଉପରେ ତତ୍କାଳ ଶୁଣାଣି ପାଇଁ ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ମେ ୧୫ ତାରିଖ ଦିନ ଏକ ଶୁଣାଣି କାଳରେ କଥିତ ରୂପେ ଯୁବକଙ୍କ ଏକ ବର୍ଗକୁ ଟିପ୍ପଣୀରେ ‘ଅସରପା’ ଓ ‘ପରଜୀବୀ’ ବୋଲି କହିଥିଲେ।  ଏହାର ଜବାବରେ ଏବେ କକ୍ରୋଚ ଜନତା ପାର୍ଟିର ଜନ୍ମ ହୋଇଥିବା ବେଳେ ସୋସିଆଲ ମିଡିଆରେ ମୁଖ୍ୟତଃ ଯୁବ ବର୍ଗ ଏହାକୁ ବେଶ୍ ସମର୍ଥନ କରୁଛନ୍ତି।

ଆବେଦନରେ ମାମଲାର ସେପରି ଗୁରୁତ୍ୱ ନଥିବା ଓ ତତ୍କାଳ ଶୁଣାଣି ପାଇଁ ସେପରି କୌଣସି ପ୍ରସଙ୍ଗ ନଥିବାରୁ  ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ ଆବେଦନକାରୀଙ୍କ ପକ୍ଷରୁ ହାଜର ଓକିଲ ଏନ.କେ. ଗୋସ୍ୱାମୀଙ୍କୁ ମାମଲାକୁ ନେଇ ଏତେ ଭାବନାତ୍ମକ ନ ହେବାକୁ କହିଛନ୍ତି। ଏଥିରେ ଆଡଭୋକେଟ ଗୋସ୍ୱାମୀ କହିଛନ୍ତି ଯେ ମୁଖ୍ୟ ନ୍ୟାୟାଧୀଶ ତାଙ୍କ ଟିପ୍ପଣୀକୁ ନେଇ ସ୍ପଷ୍ଟିକରଣ ଦେବା ପରେ ଏକ ବିକୃତ ତଥା ଦୁର୍ଭାବନା ପୂର୍ଣ୍ଣ କାହାଣୀ ଜାରି ରହିଛି।

ଏଥିରେ ଅନ୍ୟ ଜଣେ ଓକିଲ କହିଛନ୍ତି ଯେ ନକାଲୀ ଆଇନ ଡିଗ୍ରି ପ୍ରସଙ୍ଗରେ ସେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏହା ଛଡା ସେ କହିଛନ୍ତି ଯେ କୋର୍ଟରେ ହେଉଥିବା କଥାବାର୍ତ୍ତାକୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ଉପଯୋଗ କରାଯାଇ ପାରିବନି। ତେବେ ସିଜେଆଇ କହିଛନ୍ତି ଯେ ଏବେ ଏପରି କୌଣସି ଜରୁରିକାଳୀନ ପରିସ୍ଥିତି ନାହିଁ, ତେବେ ଯାହା ହେବ ସେ ଦେଖିବେ ବୋଲି କହିଛନ୍ତି। ଆବେଦନରେ କୋର୍ଟ ଶୁଣାଣି କାଳରେ ଦେଉଥିବା ବିଭିନ୍ନ ମୌଖିକ ଟିପ୍ପଣୀକୁ ନେଇ କଥିତ ବ୍ୟବସାୟୀକ ଶୋଷଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ମେ ୧୬ ତାରିଖରେ ସିଜେଆଇ ତାଙ୍କ ଟିପ୍ପଣୀ ଉପରେ ସ୍ପଷ୍ଟିକରଣ ଜାରି କରିଥିବା ବେଳେ କଡ଼ା ଶବ୍ଦରେ କହିଥିଲେ ଯେ ‘ମିଡିଆ ରିପୋର୍ଟ ଦେଖି ଦୁଃଖ ଲାଗିଲା, ଯେଉଁଥିରେ ସେ ଯୁବବର୍ଗଙ୍କୁ ସମାଲୋଚନା କରିଥିବା କୁହାଯାଇଛି’। ସିଜେଆଇ ଏ କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ ତାଙ୍କ ଟିପ୍ପଣୀ ବିଶେଷ କରି ସେହି ଲୋକଙ୍କ ଉଦ୍ଦେଶ୍ୟରେ ଥିଲା ଯେଉଁମାନେ ନକଲୀ ସାର୍ଟିଫିକେଟ୍ ମାଧ୍ୟମରେ ଆଇନ ପେଷାକୁ ପ୍ରବେଶ କରୁଛନ୍ତି। ତେବେ ଗଣମାଧ୍ୟମର ଏକ ବର୍ଗ ସିଜେଆଇଙ୍କ ମନ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କରିଥିଲା।