ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ୮ ଅକ୍ଟୋବର ଗୁରୁବାର ଦେଶ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୨ ଦିନ ହେଲା ଜାରି ବିରୋଧ ପ୍ରଦର୍ଶନ ବୁଧବାର ଉଗ୍ରରୂପ ଧାରଣ କରିଛି। ଏବେ କଂଗ୍ରେସ ପାର୍ଟ ଅକ୍ଟୋବର ୮ ରେ ଦେଶବ୍ୟାପୀ ଆନ୍ଦୋଳନ ଆହ୍ୱାନ କରିଛି। ଏହା ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନକୁ ଦେଶରେ କଳାଦିନ ବୋଲି ଦଳ କହିଛି। ପ୍ରିୟଙ୍କା ଗାନ୍ଧି ଅଭିଯୋଗ କରିଛନ୍ତି ଯେ ବିରୋଧ ପ୍ରଦର୍ଶନ କାଳରେ ପୋଲିସ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଛି। ସେ କହିଛନ୍ତି ଯେ ଆମେ ସମ୍ବିଧାନ ପାଇଁ ଆମର ଜୀବନ ପର୍ଯ୍ୟନ୍ତ ବଳି ଦେବାକୁ ପ୍ରସ୍ତୁତ।

ତେବେ ବୁଧବାର ଆନ୍ଦୋଳନ କାଳରେ ଦିଲ୍ଲୀ ପୋଲିସ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଗିରଫ କରିବାର କିଛି ସମୟ ପରେ ମୁକ୍ତ କରିଦେଇଛି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାହୁଲ ଗାନ୍ଧି ଜନ୍ତରମନ୍ତର ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଗିରଫ କରିଥିଲା। ତେବେ ପୋଲିସ ତାଙ୍କୁ ବସ୍ ରେ ନେଇ ଯାଉଥିବା ବେଳେ କଂଗ୍ରେସ ବିକ୍ଷୋଭକାରୀ ବସ୍ ଚକା ପଙ୍କଚର କରିଦେଇଥିଲେ। ଏହା ପରେ ଜନ୍ତରମନ୍ତରରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପ୍ରଦର୍ଶନ କାଳରେ ପୋଲିସ ଆରଜେଡି ସାଂସଦ ମନୋଜ କୁମାର ଝାଙ୍କୁ ମଧ୍ୟ ଗିରଫ କରିଥିଲା। ତେବେ ତାଙ୍କୁ ଗିରଫ କରାଯିବା ବେଳେ ଲାଠି ଚାର୍ଜ ହୋଇଛି ବୋଲି ଝା ଅଭିଯୋଗ କରିଛନ୍ତି। ଏହି ଲାଠି ଚାର୍ଜ ପାଇଁ ଝା ଜ୍ଞାନେଶ କୁମାର, ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟି କରିଛନ୍ତି। ଝା କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା ଆମେ ଏହି ଦୃଷ୍ୟ ଦେଖିନଥିଲୁ। ସେ କହିଛନ୍ତି ଯେ ଆପଣମାନଙ୍କ ମୁଖା ଖୋଲି ଯାଇଛି, ଆପଣମାନେ ହାରି ଯାଇଛନ୍ତି।