ରାଞ୍ଚୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା ରୁପୀ ସୋରେନଙ୍କର ବୁଧବାର ପରଲୋକ ହୋଇଛି। ରାଞ୍ଚୀର ହିଲ ଭ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୂପୀ ସୋରେନ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସଂସ୍ଥାପକ ପଦ୍ମ ଭୂଷଣ ସମ୍ମାନୀତ ନେତା ଦିଶୋମ ଗୁରୁ ଶିବୁ ସୋରେନଙ୍କ ପତ୍ନୀ ଥିଲେ। ରାଞ୍ଚୀ ବରିୟାତୁସ୍ଥିତ ହିଲଭ୍ୟୁ ହସ୍ପିଟାଲରେ ରୁପୀଙ୍କ ପରୋଲୋକ ସୂଚନା ପରେ ସୋରେନ ପରିବାର ସହିତ ପାର୍ଟି ନେତା ଓ ସମର୍ଥକଙ୍କ ମଧ୍ୟରେ ଶୋକ ଖେଳି ଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ମା ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ଅଚାନକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ବରିୟାତୁସ୍ଥିତ ହିଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା। ଏଣୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଡାକ୍ତର ଚିକିତ୍ସା କରୁଥିଲେ। ରୁପୀ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଜଣାପଡିବା ପରେ ଝାଡ଼ଖଣ୍ଡ ସରକାରର ଅନେକ ମନ୍ତ୍ରୀ ଓ ନେତା ହସ୍ପିଟାଲ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଆଜି ସନ୍ଧ୍ୟାରେ ଝାଡ଼ଖଣ୍ଡ ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର ଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକକୁ ପରିସ୍ଥିତିକୁ ନଜରରେ ରଖି ସ୍ଥଗିତ କରିଦିଆଯାଇଥିଲା। ମାଆ ଙ୍କ ପରଲୋକରେ ହେମନ୍ତ ସୋରେନ ତାଙ୍କ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଲେଖିଛନ୍ତି ଯେ ବାବଙ୍କ ଯିବା ପରେ ମୋ ମାଆ ମୋ ପାଇଁ ସବୁଠୁ ବଡ଼ ଛାଇ ଥିଲେ, ଆଜି ସେହି ଛାଇ ମଧ୍ୟ ପ୍ରକୃତି କୋଳରେ ମିସି ଯାଇଛି। ରୂପୀ ସୋରେନ ଗତ ୨୦ ଦିନ ହେଲା ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ ଚଳାଇଥିଲେ। ପରଲୋକ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।