ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରିମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି ସମ୍ପର୍କିତ ଆବେଦନ ସମୂହ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। କୋର୍ଟ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ଯୋଗି ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଉତ୍ତରପ୍ରଦେଶ ସରାକାରଙ୍କ ଦ୍ୱାରା ମାମଲାରେ ଗଠିତ ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି)ଙ୍କ ଷ୍ଟାଟସ୍ ରିପୋର୍ଟ ମାଗିଥିବା ବେଳେ ପରବର୍ତ୍ତି ଶୁଣାଣି ଆଗାମୀ ସୋମବାରକୁ ଧାର୍ଯ୍ୟ କରିଛନ୍ତି।

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶରେ ହେଉଥିବା ଏସଆଇଟି ଯାଞ୍ଚର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ମନ୍ଦିରର ନଗଦ ଓ ମୂଲ୍ୟବାନ ସାମଗ୍ରୀର ଦୂରପଯୋଗ ପରେ ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଜୁନ ୧୩ ତାରିଖରେ ଲକ୍ଷ୍ନୌ ଡିଭିଜିନାଲ କମିଶନର ବିଜୟ ବିଶ୍ୱାସ ପନ୍ଥଙ୍କ ନେତୃତ୍ୱରେ ଏସଆଇଟି ଗଠନ କରିଥିଲେ। ଏସଆଇଟି ଜୁନ ୨୩ ତାରିଖରେ ସରକାରଙ୍କୁ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ପରେ ତଦନ୍ତ ପୁରା କରିବା ପାଇଁ ଜୁଲାଇ ୧ ତାରିଖରେ ଏସଆଇଟି ଅବଧିକୁ ସରକାର ଆଉ ୧୫ ଦିନ ନିମନ୍ତେ ବଢାଇଛନ୍ତି।

ଲାଇଭ ଲ ଅନୁସାରେ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ପିଟିସନଗୁଡିକ ଉପରେ ଶୁଣାଣି କରିଛନ୍ତି। କୋର୍ଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଷ୍ଟାଟସ ରିପୋର୍ଟ ମୁଦକରା ଲଫାପାରେ ପ୍ରଦାନ କରାଯିବ ବୋଲି କହିଛନ୍ତି। ଆବେଦନକାରୀମାନେ ଆର୍ଥିକ ଅନିୟମିତତା ଓ ମନିଟରିଂରେ ତ୍ରୁଟି ଅଭିଯୋଗ କରି ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ଦ୍ୱାରା ଟ୍ରଷ୍ଟ ଆକାଉଣ୍ଟର ଫରେନସିକ୍ ଅଡିଟ ଓ ସମୀକ୍ଷା ଦାବି କରିଛନ୍ତି। ଆବେଦନକାରୀମାନେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ଏସଆଇଟି ଯାଞ୍ଚ କୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଓ ତର୍କ ଦେଇଛନ୍ତି ଯେ ବିନା କୌଣସି ଏଫଆଇଆରରେ ତଦନ୍ତ ଆରମ୍ଭ କରିଦିଆଯାଇଛି, ଯାହାକୁ କୌଣସି ସ୍ୱତନ୍ତ୍ର ଏଜେନ୍ସୀଙ୍କ ଦ୍ୱାରା ସଞ୍ଚାଳିତ କରାଯିବା ଦରକାର।

‘ଟାଇମ୍ସ ଅଫ ଇଣ୍ଡିଆ’ ଅନୁସାରେ ତଦନ୍ତର ପ୍ରାରମ୍ଭିକ ନିଷ୍କର୍ସରେ ମନ୍ଦିରରୁ ବାରମ୍ବାର ଚୋରି ହେବା, ଦାନଗଣନା କକ୍ଷର ସୁରକ୍ଷାରେ ତ୍ରୁଟି ଓ ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଗତିବିଦ୍ଧି ମାମଲା ସାମ୍ନାକୁ ଆସିଛି। ଏହି ସବୁ ଅଭିଯୋଗ ରାଜନୈତିକ ବିବାଦକୁ ଜନ୍ମ ଦେଇଛି ଓ ଉତ୍ତରପ୍ରଦେଶ ସରକାର ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛନ୍ତି।