ସାଲେପୁର: ପବିତ୍ର କାର୍ତ୍ତିକ ମାସ ଆସିଲେ ଭକ୍ତିମୟ ହୋଇଉଠେ ଗାଁଠୁ ସହର। ମନ୍ଦିରରେ ଶୁଭେ ହରିନାମ ସଂକୀର୍ତ୍ତନ, ଚାରିଆଡ଼େ ଆଧ୍ୟାତ୍ମିକତାର ପରିବେଶ। ଏଭଳି ଏକ ଭକ୍ତିମୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ର ଲୁଣାହାର ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିର ସମେତ କଟରପା ବଳଦେବଜୀଉ ମନ୍ଦିର, କୁଳିଆ ରଘୁନାଥଜୀଉ ମନ୍ଦିର ଓ ଲକ୍ଷ୍ମୀନୃସିଂହ ମନ୍ଦିରରେ।

ପ୍ରତ୍ୟୁଷରୁ ମନ୍ଦିର ପରିସରରେ ଶୁଭୁଛି ହରିନାମ ସଂକୀର୍ତ୍ତନ। ପାଞ୍ଚଦିନ ଧରି ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। କାର୍ତ୍ତିକ ମାହାତ୍ମ୍ୟ ଓ ଭାଗବତ ପାଠ। ଫୁଲରେ ସୁସଜ୍ଜିତ ରଥରେ ବସି ରାଇ ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ କୃଷ୍ଣ। ଠାକୁରଙ୍କ ଏହି ମନୋମୁଗ୍ଧକର ବେଶ ଦର୍ଶନ ପାଇଁ ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଘଣ୍ଟ, ଘଣ୍ଟା, କାହାଳୀ ଓ ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ରାଇ ଦାମୋଦରଙ୍କ ଦିବ୍ୟ ବେଶ ଦର୍ଶନ କରି ଭକ୍ତିଭାବରେ ବିଭୋର ହେଉଛନ୍ତି ଶ୍ରଦ୍ଧାଳୁ।

କାର୍ତ୍ତିକ ମାସ ହେଉଛି ଧର୍ମ, ଭକ୍ତି ଓ ଆଧ୍ୟାତ୍ମିକ ସାଧନାର ମାସ। ଏହି ମାସରେ ଆକାଶଦୀପ ଜାଳିବାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ତୁଳସୀ ଚଉରା ନିକଟରେ ଆକାଶଦୀପ ପ୍ରଜ୍ଜ୍ୱଳନ କରି ଭକ୍ତମାନେ ଭଗବାନଙ୍କ ନିକଟରେ ଶୁଭ ଓ ମଙ୍ଗଳ କାମନା କରିଥାନ୍ତି। ପୁରାଣ ଓ ଧାର୍ମିକ ପରମ୍ପରା ଅନୁସାରେ ଆକାଶଦୀପ ଜାଳି ପିତୃପୁରୁଷଙ୍କୁ ସ୍ମରଣ କରିଥାନ୍ତି ଲୋକେ।

ଲୋକବିଶ୍ବାସ ଅନୁଯାୟୀ,ଏହି ଦୀପର ଆଲୋକ ପିତୃପୁରୁଷଙ୍କ ପଥକୁ ଆଲୋକିତ କରିବାର ପ୍ରତୀକ। ଏଥିସହ ଭଗବାନ, ଆସ୍ଥା ଓ ଭକ୍ତିର ପ୍ରତୀକ। ଅନ୍ଧକାରରୁ ଆଲୋକ ଏବଂ ଅଜ୍ଞାନରୁ ଜ୍ଞାନ ଆଡ଼କୁ ମଣିଷକୁ ଆଗେଇ ନେବାର ବାର୍ତ୍ତା ଦେଇଥାଏ ଏହି ପବିତ୍ର ପରମ୍ପରା।ରାଇ ଦାମୋଦରଙ୍କ ଆରାଧନା, ଓ ହରିନାମ ସଂକୀର୍ତ୍ତନରେ ଏବେ ଭକ୍ତିମୟ ହୋଇଉଠିଛି ସାଲେପୁର ଅଞ୍ଚଳର ମନ୍ଦିର ଓ ଗ୍ରାମ୍ୟ ପରିବେଶ। ଭକ୍ତି ଓ ଆସ୍ଥାର ଏହି ଅପୂର୍ବ ସମନ୍ୱୟ କାର୍ତ୍ତିକ ମାସର ମହିମାକୁ ଆହୁରି ମହାନ କରିତୋଳିଛି।