ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଯୋଡ଼ିଙ୍ଗା ପଞ୍ଚାୟତର ଚଡ଼ିଆପାରା ଗ୍ରାମରେ କଲରାପତରିଆ ବାଘର ଆତଙ୍କ। ଘର ଅଗଣାରୁ ଦୁଇ ବର୍ଷର ଶିଶୁକନ୍ୟାକୁ ବାଘ ଝାମ୍ପି ନେଇ ଜଙ୍ଗଲକୁ ଚାଲିଯାଇଥିବା ଅଭାବନୀୟ ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ନିଖୋଜ ଶିଶୁକନ୍ୟା ହେଉଛନ୍ତି ବିଷ୍ଣୁ ଗଣ୍ଡ ଓ ସୁମିତ୍ରା ଗଣ୍ଡଙ୍କ ଦ୍ୱିତୀୟ ସନ୍ତାନ ବେଦିକା।

ସୂଚନା ଅନୁଯାୟୀ, ଗତ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବେଦିକା ନିଜ ଘର ଅଗଣାରେ ଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ କଲରାପତରିଆ ବାଘ ଆସି ତାଙ୍କୁ ଝାମ୍ପି ନେଇଥିଲା। ଶିଶୁକନ୍ୟାକୁ ନେଇ ବାଘ ଜଙ୍ଗଲ ଭିତରକୁ ପଳାଇଥିବା ଜଣାପଡ଼ିଛି।

ଘଟଣାଟି ଦେଖିବା ପରେ ପରିବାର ଲୋକେ ତୁରନ୍ତ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲରେ ଶିଶୁକନ୍ୟାକୁ ଖୋଜାଖୋଜି କରିଥିଲେ। ତେବେ ରାତି ହୋଇଯିବାରୁ ଶିଶୁକନ୍ୟାର କୌଣସି ପତ୍ତା ମିଳିପାରିନଥିଲା।

ଏହି ଘଟଣା ପରେ ଚଡ଼ିଆପାରା ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ନିଖୋଜ ଶିଶୁକନ୍ୟାଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପଟେ ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।