ନୂଆଦିଲ୍ଲୀ: ଅଦାଲତି କାର୍ଯ୍ୟର ରେକର୍ଡିଂକୁ ସୋସିଆଲ ମିଡିଆରେ ଅନିୟନ୍ତ୍ରିତ ଭାବେ ପ୍ରସାରଣ କରିବାକୁ ସୁପ୍ରିମକୋର୍ଟ ଏକ ‘ବିପଦଜନକ’ ସମସ୍ୟା ବୋଲି କହିଛନ୍ତି। ଏଣୁ ସୁପ୍ରିମକୋର୍ଟ ସମ୍ପର୍କିତ କୋର୍ଟଙ୍କ ପୂର୍ବ ଅନୁମତି ବିନା କୋର୍ଟ କାର୍ଯ୍ୟର ଅଡିଓ ଭିଡିଓ ରେକର୍ଡିଂ କୁ ସୋସିଆଲ ମିଡିଆରେ ପୋଷ୍ଟ ଅଥବା ଅପଲୋଡ ଉପରେ କଟକଣା ଲଗାଇ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ବିଚାରପତି ଜଷ୍ଟିସ୍ ଭି.ମୋହନାଙ୍କ ପୀଠ କୋର୍ଟ କାର୍ଯ୍ୟର ଲାଇଭ ଷ୍ଟ୍ରିମିଂ ଓ ଭିଡିଓ ପ୍ରସାରଣ ଉପରେ ରୋକ ଲଗାଇବା ଦାବିରେ ରୁଜୁ ଜନସ୍ୱାର୍ଥ ମାମଲାରେ ଶୁକ୍ରବାର ଅନ୍ତରୀଣ ରାୟ ଗୃହୀତ କରିଛନ୍ତି।

ଆଦେଶରେ କୁହାଯାଇଛି ଯେ ସମ୍ପର୍କିତ ଉଚ୍ଚନ୍ୟାୟାଳୟଙ୍କ ରେଜିଷ୍ଟ୍ରାର ଜେନେରାଲ ଅଥବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ମହାସଚିବଙ୍କ ପୂର୍ବ ଅନୁମତି ବିନା ସୋସିଆଲ ମିଡିଆ ଅଥବା ଅନ୍ୟ ଡିଜିଟାଲ ପ୍ଲାଟଫର୍ମରେ ବିଚାର କାର୍ଯ୍ୟର ଅଡିଓ/ଭିଡିଓ ରେକର୍ଡିଂର ନିଷ୍କର୍ସଣ, ସଂଶୋଧନ, ପ୍ରସାର, ପୋଷ୍ଟିଂ, ରି ପୋଷ୍ଟିଂ, ଅପଲୋଡିଂ ଅଥବା ମନିଟାଇଜେସନ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ଆଦେଶର କୋର୍ଟ କାର୍ଯ୍ୟର ସମ୍ବାଦ ରିପୋର୍ଟିଂ ଉପରେ କୌଣସି ପ୍ରଭାବ ପଡିବ ନାହିଁ କି ଏହାକୁ ଅଭିବ୍ୟକ୍ତି ଉପରେ ରୋକ ଲଗାଉଥିବା ଆଦେଶ ରୂପେ ଗ୍ରହଣ କରାଯିବା ଉଚିତ ନୁହେଁ।

ଜନୈକ ସାମ୍ବାଦିକଙ୍କ ଦ୍ୱାରା ରୁଜୁ ଆବେଦନରେ ତର୍କ ଦିଆଯାଇଛି ଯେ କୋର୍ଟରେ ହେଉଥିବା କଥାବାର୍ତ୍ତାର ସିଲେକ୍ଟେଡ ଓ ସନ୍ଦର୍ଭହୀନ ପ୍ରସାର କୋର୍ଟର ଗାରିମାକୁ ହ୍ରାସ କରୁଛି ଓ ନ୍ୟାୟ ବିତରଣ ପ୍ରଣାଳୀରେ ଜନତାଙ୍କ ବିଶ୍ୱାସ ନଷ୍ଟ ହେଉଛି। ଜଷ୍ଟିସ୍ ବାଗଚୀ ସ୍ପଷ୍ଟ କରିଛନ୍ତି ଯେ ଆମେ ଭିଡିଓ ରେକର୍ଡିଂ ଓ ଭିଡିଓ ରେକର୍ଡ ଅପଲୋଡ କରିବା ଉପରେ ରୋକ ଲଗାଉଛୁ। ତେବେ ଆମେ କହି ରଖୁଛୁ ଯଦି କୌଣସି ଲାଇଭ ଷ୍ଟ୍ରିମିଂ ଓ ଅଡିଓ ଭିଜୁଆଲ ଦେଖାଯିବ ତେବେ ସେ ଉଚ୍ଚନ୍ୟାୟାଳୟଙ୍କ ମହାସଚିବ ଓ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁମତିରେ ହେବା ଆବଶ୍ୟକ।

ଏଥିରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୟାନର ଜବାବ ରଖି କହିଛନ୍ତି ଯେ ଫେସ୍ ବୁକ୍ ଓ ଇଂଷ୍ଟାଗ୍ରାମ ଏପରି କ୍ଲିପରେ ଭରା ଯେଉଁଥିରେ ଓକିଲ ଏହା ଦେଖିବାକୁ ଉଦ୍ୟମ କରୁଛନ୍ତି ସେମାନେ କଣ ତର୍କ ଦେଇଛନ୍ତି, ତେବେ ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ ‘ଆମେ ସେହି ରାକ୍ଷସକୁ ରୋକି ପାରିବୁନି ଯାହା ଏବେ ଥଳିରୁ ବାହାରିସାରିଛି’। କୋର୍ଟ ମେଟା, ଏକ୍ସ ଓ ଅନ୍ୟ ସୋସିଆଲ ମିଡିଆ ମାଧ୍ୟମଙ୍କୁ କୋର୍ଟ ଭିଡିଓ ପ୍ରସାରଣ ସମ୍ପର୍କରେ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ତେବେ ଜଷ୍ଟିସ୍ ଭି.ମୋହନା ସ୍ପଷ୍ଟ କରିଛନ୍ତି ଯେ ଏହା ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏହା କୌଣସି କଟକଣାର ଆଦେଶ ନୁହେଁ।