ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ୨୦୦୨ ଗୋଧ୍ରା ଟ୍ରେନ ଅଗ୍ନିକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ଜଣେ ଦୋଷୀଙ୍କୁ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଦୋଷୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିତିକୁ ଦେଖି ଆଜୀବନ ସଜାକୁ ନିଲମ୍ବିତ କରିବାର ଆଦେଶ ଦେଇଛନ୍ତି। ବିଚାରପତି ଏମଏମ ସୁନ୍ଦରେଶ ଓ ବିଚାରପତି ପିବି ବରାଲେଙ୍କ ପୀଠ ମାମଲାର ଶୁଣାଣି କରିଛନ୍ତି।

ଦୋଷୀଙ୍କ ପକ୍ଷରୁ ମୁଖ୍ୟତଃ ସ୍ଵାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ଯାଚିକା ଦାଖଲ କରାଯାଇଥିଲା। ଦୋଷୀଙ୍କ ପକ୍ଷରୁ ହାଜର ଓକିଲ ଅଦାଲତରେ ଜଣାଇଛନ୍ତି ଯେ, ତାଙ୍କ ମହକିଲ ଗତ ୧୮ ବର୍ଷ ହେବ ଜେଲରେ ସଜା କାଟୁଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହଜାର ଓକିଲ କହିଛନ୍ତି, ଯଦି ଅଦାଲତ ଦୋଷୀଙ୍କ ଚିକିତ୍ସା ସ୍ଥିତି ଆଧାରରେ  ଆଶ୍ଵସ୍ତି ଦେବା ଉପରେ ବିଚାର କରୁଛନ୍ତି ତେବେ ଏହା ଉପରେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଆଶ୍ଵସ୍ତିକୁ  କେବଳ ଚିକିତ୍ସା ପର୍ଯ୍ୟନ୍ତ ସୀମିତ ରଖିବା ଉଚିତ୍।

Also Read: ଭାରତ ଆସିଲେ ମୁସ୍କିଲରେ ଫସିବେ ଧ୍ରୁବ ରାଠୀ, ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଦିଲ୍ଲୀର ଅଦାଲତ

କଣ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ପୀଠ ନିଜ ଆଦେଶରେ କହିଛନ୍ତି ଯେ, ଆବେଦନକାରୀଙ୍କ ପକ୍ଷରୁ ଆବେଦନ ମୁଖ୍ୟତଃ ସ୍ଵାସ୍ଥ୍ୟବସ୍ଥା ଓ ଚିକିତ୍ସା ଆଧାରରେ ଦାୟର କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ଓକିଲ ମଧ୍ୟ ଦୋଷୀଙ୍କ ଓକିଲ ଦ୍ଵାରା ଦର୍ଶାଯାଇଥିବା ସ୍ଵାସ୍ଥ୍ୟ ସ୍ଥିତିକୁ ଠିକ୍ ବୋଲି ମାନିଛନ୍ତି। ସବୁ ପରିସ୍ଥିତିକୁ ଦେଖି ସର୍ବୋଚ୍ଚ ନ୍ୟାୟାଳୟ ଚିକିତ୍ସା ଆଧାରରେ ଦୋଷୀଙ୍କ ଆଜୀବନ ସଜାକୁ ନିଲମ୍ବିତ କରିଛନ୍ତି।

ଜୀବନ୍ତ ଜଳି ଯାଇଥିଲେ ୫୯ ଜଣ

୨୦୦୨ ଫେବୃଆରୀ ୨୭ ତାରିଖ ସକାଳେ ଗୁଜରାଟର ଗୋଧ୍ରା ରେଲଓ୍ଵେ ଷ୍ଟେସନ ନିକଟରେ ଟ୍ରେନ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ସାବରମତୀ ଏକ୍ପପ୍ରେସର ଏସ-୬ ବିଗରେ ନିଆଁ ଲାଗି ଯିବାରୁ ଅଯୋଧ୍ୟାରୁ ଫେରୁଥିବା ୫୯ କାରସେବକ ଜୀବନ୍ତଦଗ୍ଧ ହୋଇ ଯାଇଥିଲେ। ଗୋଧ୍ରାରେ ଟ୍ରେନ ଅଗ୍ନିକାଣ୍ଡ ପରେ ପୂରା ରାଜ୍ୟରେ ଭୟାନକ ଦଙ୍ଗା ଘଟିଥିଲା। ଏଥିରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅଧିକାଂଶ ମୁସଲମାନ ଥିଲେ।