ନୂଆଦିଲ୍ଲୀ ୨୩।୧୧; ପିଲାଦିନର ଫଟୋରୁ ମିଳିଲା ୩୦ ବର୍ଷୀୟ ମହିଳାଙ୍କ ପରିଚୟ। ୫ ବର୍ଷ ଧରି ଯାହାଙ୍କୁ ଖୋଜୁଥିଲା ପୋଲିସ, ଶେଷରେ AI ଟେକ୍ନୋଲୋଜି ସାହାଯ୍ୟରେ ତାଙ୍କ ପାଖରେ ପହଞ୍ଚିଥିଲା । ଆଉ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ପୋଲିସ କନଷ୍ଟେବଳ। ଘଟଣାଟି ହେଉଛି ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାର।

ପିଲାଦିନର ଫଟୋରୁ ପରିଚୟ

ଚାଟ୍ଜିପିଟି ଓ ଗୁଗୁଲ୍ ଜେମିନିର ସହାୟତା ନେଇ ପିଲାଦିନର ଫଟୋରୁ ମହିଳାଙ୍କ ବର୍ତ୍ତମାନର ସମ୍ଭାବ୍ୟ ଚେହେରା ପ୍ରସ୍ତୁତ କରିଥିଲେ କନଷ୍ଟେବଳ ବିଜୟ ପାଣ୍ଡେ। ଆଉ ଏହି AI ଇମେଜ୍ ହିଁ ତଦନ୍ତକୁ ଦେଇଥିଲା ନୂଆ ଦିଗ। ଶେଷରେ ରାଜସ୍ଥାନର ଚୁରୁ ଜିଲ୍ଲାରୁ ମଞ୍ଜୁ ଦେବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲା ପୋଲିସ।

ବାରାଣସୀରୁ ହୋଇଥିଲେ ନିଖୋଜ

ସୂଚନା ଅନୁସାରେ, ସୋନଭଦ୍ରର ବାଭାନୀ ଥାନା ଅଞ୍ଚଳର ଜୌରାହି ଗାଁର ମଞ୍ଜୁ ଦେବୀ ଦୀର୍ଘ ସମୟ ଧରି ନିଖୋଜ ଥିଲେ। ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ପରେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଥିଲା। ପରିବାର ସଦସ୍ୟଙ୍କ ଅନୁଯାୟୀ, ମଞ୍ଜୁଙ୍କୁ ବିବାହ ବାହାନାରେ ବାରାଣସୀ ନିଆଯାଇଥିଲା, ଯାହା ପରେ ସେ ହଜି ଯାଇଥିଲେ। ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ମହିଳାଙ୍କୁ ଚିହ୍ନଟ କରିବା। କାହିଁକି ନା ତାଙ୍କର ବର୍ତ୍ତମାନର ଫଟୋ କାହା ପାଖରେ ନଥିଲା । ପୋଲିସକୁ ମିଳିଥିଲା କେବଳ ୨୦୦୭ ମସିହାର ଏକ ପିଲାଦିନର ଫଟୋ।

ଏହାପରେ କନଷ୍ଟେବଳ ବିଜୟ ପାଣ୍ଡେ ନେଇଥିଲେ AIର ଟେକନୋଲଜିର ସହାୟତା। ମଞ୍ଜୁଙ୍କ ପିଲାଦିନର ଫଟୋ ସହ ତାଙ୍କ ବାପାମାଆ ଓ ଭଉଣୀଙ୍କ ଫଟୋକୁ ବ୍ୟବହାର କରି ପ୍ରସ୍ତୁତ କରିଥିଲେ ତାଙ୍କ ବର୍ତ୍ତମାନ ବୟସର ଚେହେରା। ଏହାକୁ ପରିବାର ଲୋକଙ୍କୁ ଦେଖାଇବା ପରେ ମିଳିଥିଲା ପରିଚୟର ସୂତ୍ର। ପରବର୍ତ୍ତୀ ତଦନ୍ତ ଓ ଅନ୍ୟ ସୂଚନା ଆଧାରରେ ପୋଲିସ ରାଜସ୍ଥାନରେ ପହଞ୍ଚି ଅକ୍ଟୋବର ୧୬ ତାରିଖରେ ମଞ୍ଜୁଙ୍କୁ ଠାବ କରିଥିଲା। ତେବେ ଏହି ସଫଳତା ପାଇଁ କନଷ୍ଟେବଳ ବିଜୟ ପାଣ୍ଡେଙ୍କୁ ମିଳିଛି ପୁରସ୍କାର। ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ୫ ହଜାର ଟଙ୍କା ଏବଂ ଏସପିଙ୍କ ପକ୍ଷରୁ ପ୍ରମାଣପତ୍ର ସହ ୨୧୦୦ ଟଙ୍କାର ପୁରସ୍କାର ଦିଆଯାଇଛି।