ମୁମ୍ଵାଇ ୦୨।୧୦; ଗୋବିନ୍ଦା ଓ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ଲାଲବାଗଚା ରାଜା ଦର୍ଶନ ପରେ ବଲିଉଡ୍ରେ ଚର୍ଚ୍ଚା ଜୋର୍ । ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଅଟକଳ ଆରମ୍ଭ ହୋଇଥିଲା । ଏବେ ଏହି ଚର୍ଚ୍ଚାରେ ନିଜର ମତ ରଖିଛନ୍ତି ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା । କହିଛନ୍ତି-ଗୋବିନ୍ଦା ଖୁସିରେ ରୁହନ୍ତୁ, ସେ ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚନ୍ତୁ । ତେବେ ଏହା ସହ ନିଜ ପାଇଁ ମଧ୍ୟ ସୁନୀତା ରଖିଛନ୍ତି ସ୍ପଷ୍ଟ ବୟାନ—ଏବେ ସେ ନିଜ କାମ ଓ ନିଜ ଶାନ୍ତି ଉପରେ ଧ୍ୟାନ ଦେବେ ।

କିନ୍ତୁ ଏବେ ଏହି ସବୁ ଅଟକଳରେ ବ୍ରେକ୍ ଲଗାଇବା ଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା । ସୁନୀତାଙ୍କ କହିବା କଥା- “ମୋତେ ଗୋବିନ୍ଦା କିମ୍ବା ତାଙ୍କ କୋ-ଷ୍ଟାରଙ୍କ ବିଷୟରେ କିଛି କହିବାର ନାହିଁ । ମୁଁ ଦେଖୁଛି ସେ ଖୁସି ଅଛନ୍ତି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ସେ ଯେମିତି ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ସେମିତି ବଞ୍ଚନ୍ତୁ ।” କେବଳ ଏତିକି ନୁହେଁ, ଏବେ ନିଜ ଜୀବନରେ ଶାନ୍ତି ଚାହୁଁଚି। ଅଟକଳ ଓ ବିବାଦରେ ଧ୍ୟାନ ନଦେଇ ନିଜ କାମ ଉପରେ ଫୋକସ୍ କରିବାକୁ ଚାହୁଁଥିବା ସେ କହିଛନ୍ତି ।

ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଛି । ଏପରିକି ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ନେଇ ମଧ୍ୟ ରିପୋର୍ଟ ଆସିଥିଲା । ପରେ ସୁନୀତା ସେହି ଆବେଦନ ପ୍ରତ୍ୟାହାର କରିଥିବା ଜଣାପଡ଼ିଥିଲା । ଏବେ କୋମଲଙ୍କ ସହ ଗୋବିନ୍ଦାଙ୍କ ନାଁ ଯୋଡ଼ାଯିବା ପରେ ଚର୍ଚ୍ଚା ପୁଣି ତେଜିଛି । ତେବେ କୋମଲ ମଧ୍ୟ ଏହି ପ୍ରସଙ୍ଗରେ ପୂର୍ବରୁ ନିଜ ପକ୍ଷ ରଖିସାରିଛନ୍ତି । ନିଜକୁ ‘ଘର ଭାଙ୍ଗିବା ଲୋକ’ ବୋଲି କୁହାଯାଉଥିବା ଚର୍ଚ୍ଚାର ଜବାବ ଦେଇ ସେ କହିଥିଲେ ଯେ, ଯେଉଁ ଘର ପୂର୍ବରୁ ଭାଙ୍ଗିଯାଇଛି, ତାହାକୁ ଅନ୍ୟ କେହି ଭାଙ୍ଗିପାରିବେ ନାହିଁ । କୋମଲଙ୍କ ଏହି ବୟାନ ପରେ ମଧ୍ୟ ମାମଲା ଚର୍ଚ୍ଚାରେ ରହିଥିଲା । ଗୋଟିଏ ପଟେ କୋମଲଙ୍କ ବୟାନ, ଅନ୍ୟପଟେ ସୁନୀତାଙ୍କ ‘ସେ ଖୁସିରେ ରୁହନ୍ତୁ’ ମନ୍ତବ୍ୟ । ଏହାରି ଭିତରେ ଗୋବିନ୍ଦାଙ୍କ ପକ୍ଷରୁ ଏହି ଚର୍ଚ୍ଚା ନେଇ କ’ଣ ପ୍ରତିକ୍ରିୟା ଆସୁଛି, ଏବେ ତାହା ଉପରେ ନଜର ।