ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ସୁନୀଲ ନରିନ୍ ନିଜ ବୋଲିଂରେ କ୍ରିକେଟ୍ ପିଚ୍ରେ ନିଜସ୍ୱ ଛାପ ଛାଡ଼ି ଆସୁଛନ୍ତି । ଆଇପିଏଲ୍ ସହିତ ବିଶ୍ୱବ୍ୟାପୀ କ୍ରିକେଟ୍ ଲିଗ୍ଗୁଡ଼ିକରେ ନାରିନ ବୋଲିଂକୁ ନେଇ ବ୍ୟାରଙ୍କ ମନରେ ଭୟ ରହିଥାଏ । ନିକଟରେ ନାରିନ୍ ଏପରି କିଛି କରିଛନ୍ତି, ଯାହା ଉପରେ ବିଶ୍ୱାସ କରିବା ପ୍ରଶଂସକଙ୍କ ପାଇଁ ସହଜ ନୁହେଁ ।

କ୍ରିକେଟର ଫର୍ମାଟ୍ ଯେତେ ଛୋଟ ହୁଏ, ବୋଲରଙ୍କ ପାଇଁ ତାହା ସେତେ କଠିନ ହୋଇଥାଏ । ଏହି କାରଣରୁ ଟି-୨୦ ଫର୍ମାଟରେ ବୋଲରଙ୍କ ତୁଳନାରେ ବ୍ୟାଟର ଦବଦବା ଦେଖିବାକୁ ମିଳିଥାଏ । ଟି-୨୦ ଫର୍ମାଟରେ ବ୍ୟାଟରଙ୍କ ମଧ୍ୟରେ ପ୍ରତ୍ୟେକ ବଲରେ ବାଉଣ୍ଡ୍ରି ମାରିବା ପାଇଁ ପ୍ରତିଯୋଗିତା ଚାଲିଥାଏ । କିନ୍ତୁ ବିଶ୍ୱରେ ଏପରି କିଛି ବୋଲର ଅଛନ୍ତି ଯାହାଙ୍କ ପାଇଁ କୌଣସି ବିଶେଷ ଫରକ୍ ପଡ଼ି ନ ଥାଏ । ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଖେଳାଳି ସୁନୀଲ ନାରିନଙ୍କ ନାଁ ଏହି ବୋଲରମାନଙ୍କ ତାଲିକାରେ ସାମିଲ ଅଛି, ଯାହାଙ୍କ ସ୍ପିନ୍ ଆଗରେ ବିଶ୍ୱର ବଡ଼ ବଡ଼ ବ୍ୟାଟର ଆଣ୍ଠେଇବାକୁ ବାଧ୍ୟ ହୋଇଥାନ୍ତି ।

କ୍ୟାରିବିଆନ୍ ପ୍ରିମିୟର ଲିଗର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଟିକେଆର୍ ଡକୱର୍ଥ-ଲୁଇସ୍ ନିୟମ ଅନୁସାରେ ଏସକେଏନପିକୁ ୧୯ ରନରେ ପରାସ୍ତ କରିଛି । ଏହି ବିଜୟର ସବୁଠାରୁ ବଡ଼ ହିରୋ ଥିଲେ ସୁନୀଲ ନାରିନ । ନାରିନଙ୍କ ବୋଲିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସେ ନିଜର ୪ ଓଭର ସ୍ପେଲ ୧ଟି ମେଡେନ୍ ଓଭର ପକାଇ ମାତ୍ର ୭ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ । ଆକିଲ୍ ହୋସେନଙ୍କ ସହ ବୋଲିଂ ଆରମ୍ଭ କରି ନାରିନ କ୍ରମାଗତ ଦୁଇଟି ବଲରେ ଆନ୍ଦ୍ରେ ଫ୍ଲେଚର ଏବଂ କାଇଲ୍ ମାୟର୍ସଙ୍କୁ ପାଭିଲିଅନର ରାସ୍ତା ଦେଖାଇଥିଲେ । ଏହାପରେ ଆଲିକ୍ ଅଥାନାଜେଙ୍କୁ ମଧ୍ୟ ଶୂନ ରନରେ ଆଉଟ୍ କରି ସେ ପ୍ୟାଟ୍ରିଅଟ୍ସର ଟପ୍ ଅର୍ଡରର ଅଣ୍ଟା ଭାଙ୍ଗି ଦେଇଥିଲେ । ପାୱାରପ୍ଲେ ଶେଷ ହେବା ସୁଦ୍ଧା ପ୍ୟାଟ୍ରିଅଟ୍ସର ସ୍କୋର ୩ ୱିକେଟ୍ରେ ମାତ୍ର ୨୪ ରନ୍ ଥିଲା । ନାରିନଙ୍କ ଏହି ଘାତକ ସ୍ପେଲ ଯୋଗୁ ବିରୋଧ ଦଳ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ପାଇ ନ ଥିଲା । ପ୍ୟାଟ୍ରିଅଟ୍ସ ୨୦ ଓଭରରେ ୧୦୯ ରନ୍ କରିଥିବା ବେଳେ ଟିକେଆର୍ ୧୫ ଓଭରରେ ୨ ୱିକେଟ୍ ହରାଇ ୯୪ ରନ୍ କରିଥିଲା । ଡକୱର୍ଥ-ଲୁଇସ୍ ନିୟମ ଅନୁସାରେ ନାଇଟ୍ ରାଇଡର୍ସ ଲକ୍ଷ୍ୟଠାରୁ ବହୁତ ଆଗରେ ଥିଲା, ଯାହା ଫଳରେ ସେମାନଙ୍କୁ ୧୯ ରନରେ ବିଜେତା ଘୋଷଣା କରାଯାଇଥିଲା । ଏହି ଯାଦୁକରୀ ବୋଲିଂ ପାଇଁ ସୁନୀଲ ନାରିନଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ହୋଇଥିଲେ ।