• ପରିବାର ପାଇଁ ଅଧାରୁ ଛାଡ଼ିଲେ ପାଠ
  • ପାଠପଢ଼ା ସହ ମୂଲ ଲାଗନ୍ତି ଭଉଣୀ
  • ଦିବ୍ୟାଙ୍ଗ ବାପାଙ୍କୁ ମିଳୁନି ଭତ୍ତା
  • ବିଧବା ଭଉଣୀ ସହ ପୁଅର ବି ଦାୟିତ୍ଵ

ସୁନ୍ଦରଗଡ଼: କଅଁଳ ବୟସର ୨ ଭାଇ ଭଉଣୀ ।  ପାଠପଢ଼ି ଖେଳକୁଦ ବୟସରେ ପରିବାର ଚିନ୍ତା । ବାପାଙ୍କ ଅଙ୍ଗ ଅଚଳକୁ ମାଆଙ୍କ ବୟସ କାରଣରୁ କାମ ପାଇଁ ବଳ ହେଉନି । ପୁଣି ଘରେ ଆହୁରି ୪ଜଣ ସାନ ଭାଇଭଉଣୀ ଅଛନ୍ତି । ତେଣୁ ସମସ୍ତଙ୍କ ଦାୟିତ୍ଵ ବଡ଼ ଭାଇଭଉଣୀ ଉପରେ । ଏହି ଦୁଇଜଣ ଖଟିଲେ ପରିବାର ଚଳେ । ଭାଇ ପାଠପଢ଼ା ଛାଡ଼ି ପର ଘରେ ମୂଲ ଲାଗୁଛନ୍ତି । ହେଲେ ଭଉଣୀ ପାଠ ଛାଡ଼ି ନାହାନ୍ତି । ଏକାଦଶ ଶ୍ରେଣୀରେ ପାଠପଢ଼ି ଛୁଟି ସମୟରେ ଖଟୁଛନ୍ତି । ଭାଇର ବଡ଼ ମଣିଷ ହେବାର ସ୍ଵପ୍ନ ପରିବାର ବୋଝରେ ଚୁରମାର ହୋଇଯାଇଥିବା ବେଳେ କୁନି ଭଉଣୀ କିନ୍ତୁ ଦାରିଦ୍ର୍ୟ ଭିତରେ ପଡ଼ି ବଡ଼ ମଣିଷ ହେବାର ଆଖିଏ ସ୍ଵପ୍ନ ଦେଖୁଛନ୍ତି । ଏହି ଦୁଇ ଗରିବ ଭାଇ ଭଉଣୀ ହେଉଛନ୍ତି ସବଡେଗା ବ୍ଳକ ସେପଟବାହାଲ ଗ୍ରାମର ।

ବାପା ମହେଶ୍ଵର ବେହେରା (୬୧) ଦିବ୍ୟାଙ୍ଗ ଅଟନ୍ତି । ପକ୍ଷାଘାତ ରୋଗ ତାଙ୍କୁ ଦିବ୍ୟାଙ୍ଗ କରି ଦେଇଛି । କିଛି କାମ ଧନ୍ଦା କରିପାରୁ ନାହାନ୍ତି । ସାମାଜିକ ସୁରକ୍ଷା ଭତ୍ତା ପାଇଁ ୨ ବର୍ଷ ତଳୁ ଆବେଦନ କରିଛନ୍ତି । ହେଲେ ଅଦ୍ୟାବଧି ମିଳିପାରି ନାହିଁ । ଅର୍ଥାଭାବରୁ ଉପଯୁକ୍ତ ଭାବେ ଚିକିତ୍ସିତ ହୋଇପାରୁ ନାହାନ୍ତି । ସ୍ତ୍ରୀ ମଧ୍ୟ ବୃଦ୍ଧା ହେଲେଣି । କାମ କରିବାକୁ ଆଉ ବଳ ବୟସ ନାହିଁ । ବଡ଼ ଝିଅର ବିବାହ ସରିଥିଲା । ହେଲେ ଜ୍ଵାଇଁଙ୍କ ଅକାଳ ବିୟୋଗ ପରେ ସେ ତାଙ୍କ ଶିଶୁପୁତ୍ରକୁ ନେଇ ବାପା ଘରେ ରହି ଆସୁଛନ୍ତି । ଫଳରେ ପରିବାରର ବୋଝ ବଢ଼ିଛି । ପୁଅ ଦୀନବନ୍ଧୁ ସପ୍ତମ ଶ୍ରେଣୀରୁ ପାଠ ଛାଡ଼ି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି । ଏପଟେ ଝିଅ ବନିତା ଗାଁ ପାଖ ସ୍କୁଲରେ ଦ୍ଵାଦଶ ଶ୍ରେଣୀରେ ପାଠ ପଢୁଛନ୍ତି । ଛୁଟି ସମୟରେ ସିଏ ବି ଖଟୁଛନ୍ତି । ପରିବାର ଚଳାଇବା ସହ ନିଜ ପାଠପଢ଼ା ଖର୍ଚ୍ଚ ଯୋଗାଡ଼ କରୁଛନ୍ତି । ଏଥିରେ ତାଙ୍କ ପରିବାର କଷ୍ଟେ ମଷ୍ଟେ ଚଳୁଛି । ବଡ଼ଝିଅ ମଧ୍ୟ କେବେ କେବେ କିଛି କାର୍ଯ୍ୟ ମିଳିଲେ କରିଦିଅନ୍ତି । କେବେ କିଛି କାମ ନମିଳିଲେ ଓଳିଏ ଖାଇ ଓଳିଏ ଉପବାସରେ ରହୁଛନ୍ତି । ପାଠପଢ଼ା ଖର୍ଚ୍ଚ ମଧ୍ୟ ନିଅଣ୍ଟ ପଡୁଛି । କୁନି ଝିଅ ସାମାଜିକ ଗଣ ମାଧ୍ୟମରେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରୁଛନ୍ତି । ତଥାପି ଏହି ଗରିବ ପରିବାରକୁ କୌଣସି ସରକାରୀ ସହାୟତା ମିଳି ପାରି ନାହିଁ । ଏହି ଗରିବ ପରିବାର ପ୍ରତି ପ୍ରଶାସନ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି ।