ମୁମ୍ଵାଇ ୧୪।୧୦; ଭାଙ୍ଗିଥିଲା ନିର୍ବନ୍ଧ, ଦୂରେଇ ଯାଇଥିଲା ସମ୍ପର୍କ! ହେଲେ ପ୍ରେମ ଆଗରେ ହାର ମାନିଲା ଦୂରତା। ପୁଣିଥରେ ଏକାଠି ହେବାକୁ ନିଷ୍ପତ୍ତି ନେଲେ କ୍ରିକେଟର ପୃଥ୍ୱୀ ଶ' ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ। କ୍ରିକେଟର ପୃଥ୍ୱୀ ଶ'ଙ୍କ ଜୀବନକୁ ପ୍ରେମ ଫେରିଆସିଛି। ଯେଉଁ ସମ୍ପର୍କର ଶେଷ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା, ସେହି ସମ୍ପର୍କକୁ ଏବେ ମିଳିଛି ଦ୍ୱିତୀୟ ସୁଯୋଗ। ତେବେ କାହିଁକି ଭାଙ୍ଗିଥିଲା ଏହି ଯୋଡ଼ିଙ୍କ ନିର୍ବନ୍ଧ? ଆଉ କେମିତି ଫେରିଲା ସମ୍ପର୍କରେ ନୂଆ ମୋଡ଼?

ମାର୍ଚ୍ଚ ୨୦୨୬। ସୋସିଆଲ ମିଡିଆରେ ନିର୍ବନ୍ଧ ଘୋଷଣା କରିଥିଲେ ପୃଥ୍ୱୀ ଶ' ଓ ଆକୃତି ଅଗ୍ରୱାଲ। ଦୁହିଁଙ୍କ ନୂଆ ଜୀବନକୁ ନେଇ ଖୁସି ଥିଲେ ପ୍ରଶଂସକ। ହେଲେ କିଛି ମାସ ନ ପୂରୁଣୁ ବଦଳିଗଲା ସ୍ଥିତି। ସେପ୍ଟେମ୍ବରରେ ନିର୍ବନ୍ଧ ଭାଙ୍ଗିବା ଖବର ସାମ୍ନାକୁ ଆସିଲା। ଭବିଷ୍ୟତକୁ ନେଇ ଭିନ୍ନ ଲକ୍ଷ୍ୟ ଓ ପରିସ୍ଥିତିକୁ ଅଲଗା ହେବାର କାରଣ ବୋଲି କହିଥିଲେ ଆକୃତି।

ସମ୍ପର୍କକୁ ଦ୍ୱିତୀୟ ସୁଯୋଗ

ଆକୃତିଙ୍କ କହିବା ଅନୁସାରେ, ନିର୍ବନ୍ଧ ଭାଙ୍ଗିବା ନିଷ୍ପତ୍ତିରେ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ପରାମର୍ଶର ପ୍ରଭାବ ରହିଥିଲା। ପୃଥ୍ୱୀଙ୍କ ସହ ଖୋଲାଖୋଲି ଆଲୋଚନା ନ କରି ସେ ନିଷ୍ପତ୍ତି ନେଇଥିଲେ ବୋଲି ସ୍ୱୀକାର କରିଛନ୍ତି। ପରେ ଦୁହିଁଙ୍କ ମଧ୍ୟରେ ହୋଇଛି ଖୋଲା ଆଲୋଚନା। ଦୂରତା ଦୂର କରି ପରସ୍ପରକୁ ବୁଝିବା ପରେ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ନେଇଛନ୍ତି ନିଷ୍ପତ୍ତି। ସେ ନିଜର ପୂର୍ବ ନିଷ୍ପତ୍ତି ଏବଂ ଏହା ଯୋଗୁଁ ହୋଇଥିବା କଷ୍ଟ ପାଇଁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆକୃତିଙ୍କ ଏହି ବୟାନକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ପୃଥ୍ୱୀ ଶ'। ଏହା ସହ ସେମାନେ ପରସ୍ପର ପାଇଁ ଯଥେଷ୍ଟ ଏବଂ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ଭଲପାଇବା ଆଧାରରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ସେ ଲୋକମାନଙ୍କୁ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ କରିବାକୁ ଏବଂ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।