ରାଞ୍ଚୀ,୧୦/୦୮ଜେପିଏସସି ଏବଂ ଏସଏସସି ପରୀକ୍ଷାରେ ଅନିୟମିତତା ନେଇ ଝାଡଖଣ୍ଡରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି । ସୋମବାର ଆନ୍ଦୋଳନକାରୀମାନେ ବିଧାନସଭା ଘେରାଉ କରିବାକୁ ଯାଇଛନ୍ତି । ପୋଲିସର ବ୍ୟାରିକେଡ୍ ଭାଙ୍ଗି ସେମାନେ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି । ଏସବୁ ଭିତରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ମଧ୍ୟ ଉପୁଜିଛି । ଅନ୍ୟ ଦିଗରେ ଛାତ୍ରଙ୍କୁ ଅଟକାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଣିମାଡ଼ କରାଯାଇଛି ।

ପୋଲିସର ପାଣିମାଡକୁ ଆନ୍ଦୋଳନକାରୀ ଖାତିର ନକରି ଓଲଟା ଏହା ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ମଧ୍ୟ ସେମାନଙ୍କୁ ହଟାଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ।

ଅନ୍ୟଦିଗରେ ଝାଡଖଣ୍ଡରେ ବିଭିନ୍ନ ପରୀକ୍ଷାର ପେପର୍ ଲିକ୍, ଅନିମିତତା, ଅର୍ଥ କାରବାର ସମ୍ଭନ୍ଧୀୟ ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗକୁ ଆସିଛି । ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ କରିବ । ସେହିପରି ସରକାର ଜେଏସପିସି ସିଭିଲ ସର୍ଭିସର ପ୍ରିଲିମ ପରୀକ୍ଷା ସମେତ ଅନ୍ୟ ଦୁଇ ପରୀକ୍ଷା ବାତିଲ କରିଥିବା ସୂଚନା ମିଳିଛି ।

ପୋଲିସ ସହ ମାରପିଟ୍ ନକରିବାକୁ ଅପିଲ

ଛାତ୍ରଙ୍କ ଦାବି ନେଇ ଅନଶନରେ ବସିଥିବା ଛାତ୍ରନେତା ଦେବେନ୍ଦ୍ର ମହତୋ ଶାନ୍ତିପୂର୍ଣ୍ଣ ଭାବେ ଏକଜୁଟ ରହିବାକୁ ଅପିଲ କରିଛନ୍ତି । ବିଧାନସଭା ଅଭିମୁଖେ ଯାଉଥିବା ରାସ୍ତା ଯେପରି ଅବରୋଧ ନହୁଏ ସେନେଇ ମଧ୍ୟ କୁହାଯାଇଛି । ସାଧାରଣ ଲୋକଙ୍କ ସୁବିଧାକୁ ଧ୍ୟାନ ଦିଆଯାଇଛି । ଯଦି କୌଣସି ଛାତ୍ର ପୋଲିସ ସହ ମାରପିଟ୍ କରେ ତେବେ ତାଙ୍କୁ ସମର୍ଥନ କରାଯିବ ନାହିଁ । କୌଣସି ପ୍ରକାର ଅରାଜକତାରୁ ଦୂରରେ ରହିବା ଏବଂ ଏପରି ସ୍ଥିତି ହେଲେ ପୋଲିସକୁ ସୂଚନା ଦିଆଯିବ । ସରକାରଙ୍କ ନିକଟରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ସେମାନଙ୍କ ଦାବି ରଖିବେ । ଏହାସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ମଧ୍ୟ ଆଡଭାଇଜରୀରେ ସୂଚନା ଦିଆଯାଇଛି ।

Also Read :- Rourkela Shed Collapse: ବର୍ଷାରେ ବେହାଲ ରାଉରକେଲା ; ଷ୍ଟେସନରେ ଜଳବନ୍ଦୀ, ଭାଙ୍ଗିଲା ଷ୍ଟିଲ୍ ଶେଡ୍

ଜେପିଏସସି ସଦସ୍ୟଙ୍କୁ ଜେରା

ଝାଡଖଣ୍ଡ ଲୋକସେବା ଆୟୋଗର ସଦସ୍ୟ ଅଜିତା ଭଟାଚାର୍ଯ୍ୟଙ୍କୁ ପଚରାଉଚୁରା କରାଯିବ । ଅନ୍ୟ ଦିଗରେ ପରୀକ୍ଷା ଏବଂ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଛାତ୍ରମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜେ ଛାତ୍ରଙ୍କୁ ଚିଠି ଲେଖି ଭରସା ଦେଇଛନ୍ତି । ସରକାର ଛାତ୍ରଙ୍କ୯୮ପ୍ରତିଶତ ଦାବି ପୂରଣ କରିଥିବା କରିଛନ୍ତି । କିନ୍ତୁ ଅନେକ ପ୍ରସଙ୍ଗରେ ଏବେବି ସହମତି ହୋଇନାହିଁ ।