ମୁମ୍ବାଇ: ସେୟାର ବଜାର ବୁଧବାର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ଆଧାରରେ ୫ ଟ୍ରିଲିୟନ ଡଲାର ପାର କରିଯାଇଛି। ଏହା ସହିତ ଭାରତ ପୁଣି ଥରେ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଇକ୍ୱିଟି ବଜାରର ସ୍ଥାନ ହାସଲ କରିଛି। ଏହି ଉପଲବ୍ଧି ଏପରି ସମୟରେ ଆସିଛି ଯେତେବେଳେ ପ୍ରମୁଖ ସୂଚକାଙ୍କ ଲଗାତାର ଚତୁର୍ଥ ବ୍ୟବସାୟୀକ ଅଧିବେଶନରେ ଅଭିବୃଦ୍ଧି ସହ ବନ୍ଦ ହେବା ସାଙ୍ଗକୁ ପାଖାପାଖି ୬ ସପ୍ତାହର ହାଇ ଲେବୁଲ ସ୍ତରର ପାଖାପାଖି ପହଞ୍ଚିଛି। ଏହି ସମୟରେ ନିଫ୍ଟି ଫିପ୍ଟି ୦.୪୦% ବୃଦ୍ଧି ସହ ୨୪,୦୮୫.୭୦ରେ ବନ୍ଦ ହୋଇଛି। ସେହିପରି ସେନସେକ୍ସ ୦.୪୫% ବଢି ୭୭,୧୫୫.୬୨ ସ୍ତରକୁ ପହଞ୍ଚି ଯାଇଛି।

ଉଭୟ ସୂଚକାଙ୍କରେ ଲଗାତାର ଚତୁର୍ଥ ଦିନ ବୃଦ୍ଧି ଦେଖା ଯାଇଛି। ମାର୍କେଟ୍ ଏକ୍ସପର୍ଟ ଙ୍କ ଅନୁସାରେ ଅଶୋଧିତ ତୈଳ ଦର ନରମ ପଡିବା ସହ ବିଦେଶୀ କ୍ରେତାଙ୍କ ଲଗାତାର କ୍ରୟ ଏବଂ ରିସ୍କ ନେବା ପାଇଁ ନିବେଶକଙ୍କ କ୍ଷମତା ବଜାରକୁ ମଜଭୁତ କରିଛି। ଏହାଛଡା ବଜାରରେ ମଧ୍ୟ ସକରାତ୍ମକ ପରିବେଶ ଦେଖା ଯାଇଛି। ଜିୟୋ-ପଲିଟିକାଲ ଉତ୍ତେଜନା ପରେ ବଢି ଚାଲିଥିବା ଅଶୋଧିତ ତୈଳ ଦର ହ୍ରାସ ବଜାରରେ ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଭାରତ ନିଜ ତୈଳ ଆବଶ୍ୟକତାର ଏକ ବୃହତ୍ତ ଭାଗ ବିଦେଶରୁ ଆମଦାନୀ କରିଥାଏ। ଏଣୁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ମୁଦ୍ରା ସ୍ଫୀତି ଉପରେ ଚାପକୁ ହ୍ରାସ କରିଛି। ଫଳରେ ଆମଦାନୀ ବିଲ କମିଥିବା ବେଳେ ଏହାର ସକରାତ୍ମକ ପ୍ରଭାବ ସେୟାର ବଜାର ଉପରେ ଦେଖା ଯାଇଛି।

ତୈଳ ମୂଲ୍ୟ ହ୍ରାସର ଲାଭ ସେହି ସବୁ କ୍ଷେତ୍ରକୁ ମିଳିଲା ଯେଉଁମାନଙ୍କ ଖର୍ଚ୍ଚ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ପ୍ରଭାବିତ ହୁଏ। ଏଣୁ ନିବେଶକଙ୍କ ଭରସା ଆହୁରି ଦୃଢ ହୋଇଥିବା ବେଳେ ବୈଶ୍ୱିକ ନିବେଶକଙ୍କ ନଜର ଏବେ ଆମେରିକୀୟ ଫେଡେରାଲ ରିଜର୍ଭର ମୁଦ୍ରାନୀତି ଉପରେ ରହିଛି। ବଜାର ଆଶା କରୁଛି ଫେଡେରାଲ ରିଜର୍ଭ ଏବେ ସୁଧହାରରେ ସେପରି କୌଣସି ପରିବର୍ତ୍ତନ କରି ନ ପାରନ୍ତି। ଏଣୁ ନିବେଶକ ଫେଡ ପକ୍ଷରୁ ମୁଦ୍ରାସ୍ଫୀତି, ଆର୍ଥିକ ବିକାଶ ଓ ଭବିଷ୍ୟତର ସୁଧହାରକୁ ନେଇ ମିଳିବାକୁ ଥିବା ସଂକେତକୁ ଅପେକ୍ଷା କରିଛି। କାରଣ ଏହାର ପ୍ରଭାବ ଭାରତ ସମେତ ବିକାଶଶୀଳ ଦେଶଙ୍କ ବଜାର ଉପରେ ପଡିବ।