ତେହେରାନ, ୦୨/୦୪ : ଯୁଦ୍ଧ ସଙ୍କଟ ବେଳେ ଇରାନରେ ସରକାର ଓ ସେନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଇରାନର ଶକ୍ତିଶାଳୀ ସେନା ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି)ର ଦବଦବା ଅସ୍ୱାଭାବିକ ଭାବେ ବଢ଼ିଛି । ଯେଉଁ ଆଇଆରଜିସି ଦିନେ ସୁପ୍ରିମ ଲିଡର ଆୟତୋଲ୍ଲା ଅଲୀ ଖାମେନେଇଙ୍କ ଅଙ୍ଗୁଳି ଇସାରାରେ ନାଚୁଥିଲା, ଏବେ ତାହା ଶାସନ କଳକୁ ମାଡ଼ି ବସିଲାଣି । ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ପ୍ରଭାବ ସଂକୁଚିତ ହୋଇଯାଇଛି ।

Also Read :-'ତେହେରାନ ସହ କୌଣସି ଡିଲ୍ ହେବନି, ଇରାନ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇପାରିବନି' : ଆମେରିକାକୁ ଟ୍ରମ୍ପଙ୍କ ସମ୍ବୋଧନ

ତେହରାନ ଟାଇମ୍ସ ରିପୋର୍ଟ ମୁତାବକ, ଦେଶର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବର୍ତ୍ତମାନ ସେନା ହାତରେ ରହିଛି । ଖାମେନେଇଙ୍କ ପୁଅ ତଥା ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ସୁରକ୍ଷା ବଳୟରେ ଅଛନ୍ତି । ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ସୁଯୋଗ ପାଉନାହାନ୍ତି । ରାଷ୍ଟ୍ରପତି ପେଜେସ୍କିଆନ ଗତ ୨୬ ତାରିଖରେ ଗୁଇନ୍ଦା ବିଭାଗ ମନ୍ତ୍ରୀ ନିଯୁକ୍ତି ଲାଗି ଉଦ୍ୟମ କରିଥିଲେ । ସେ ହୁସୈନ ଦେହଗାନଙ୍କୁ ଏହି ପଦ ଦେବାକୁ ଚାହୁଁଥିଲେ । କିନ୍ତୁ ଆଇଆରଜିସି କମାଣ୍ଡର-ଇନ୍-ଚିଫ୍ ବ୍ରିଗେଡିୟର ଜେନେରାଲ ଅହମ୍ମଦ ୱାହିଦୀ ତାହା କରାଇ ଦେଇ ନଥିଲେ ।

ସାମରିକ ପରିଷଦ ଗଠନ

ରିପୋର୍ଟ ଅନୁସାରେ, ଆଇଆରଜିସିର କିଛି ବଡ଼ ଅଧିକାରୀଙ୍କୁ ନେଇ ଏକ ‘ସାମରିକ ପରିଷଦ’ ଗଠନ କରାଯାଇଛି । ଯୁଦ୍ଧ ବାବଦରେ ଏହି ପରିଷଦ ପ୍ରତ୍ୟେକ ଦିନ ନିଷ୍ପତ୍ତି ନେଉଛି । ଆଇଆରଜିସି ମୋଜତବାଙ୍କ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଦେଇଛି । ଦେଶର ସ୍ଥିତି ସହ ଜଡ଼ିତ ସରକାରୀ ରିପୋର୍ଟ ତାଙ୍କ ନିକଟରେ ପହଞ୍ଚିବାକୁ ଦିଆଯାଉ ନାହିଁ । ଆଇଆରଜିସି ବର୍ତ୍ତମାନ ସାମରିକ ଓ ରାଜନୈତିକ ପ୍ରସଙ୍ଗରେ ମୁଣ୍ଡ ଖେଳାଉଛି । ଦେଶର କମାଣ ସମ୍ଭାଳୁଛି ।

୪୫ ବର୍ଷ ଇତିହାସ

୧୯୭୯ର କ୍ରାନ୍ତି ପରେ ଆଇଆରଜିସି ଏକ ଅର୍ଦ୍ଧସାମରିକ ବାହିନୀ ଭାବେ ମୁଣ୍ଡ ଟେକିଥିଲା । କିନ୍ତୁ ସମୟ ସହ ଏହା ଶକ୍ତିଶାଳୀ ହେବାକୁ ଲାଗିଲା । ଆଜିକା ଦିନରେ ଏହା ତୈଳ, ପରିବହନ, ବ୍ୟାଙ୍କିଙ୍ଗ ଏବଂ ରିଅଲ ଇଷ୍ଟେଟ ଭଳି ବଡ଼ ବଡ଼ କ୍ଷେତ୍ରରେ ବି କାମ କରୁଛି । ନିଜ ଆୟ ଦ୍ୱାରା ଏହା ବଳଶାଳୀ ହେବାରେ ଲାଗିଛି । ଏବେ ହୋର୍ମୁଜ ଭଳି ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗକୁ ଏହା ନିଜ ନିୟନ୍ତ୍ରଣରେ ରଖିଛି ।