ଅମରାବତୀ: ଗଣେଶ ଉତ୍ସବ ପାଳନ କରୁଥିବା ଆୟୋଜକଙ୍କୁ ଆନ୍ଧ୍ରପ୍ରଦେଶ ସରକାର ଆଶ୍ୱସ୍ତି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଗଣେଶ ପୂଜା ପାଇଁ ପେଣ୍ଡାଲଗୁଡିକୁ ବିଦ୍ୟୁତ ଫ୍ରି କରାଯିବ। ରାଜ୍ୟ ଶିକ୍ଷା ମନ୍ତ୍ରୀ ଏନ.ଲୋକେଶ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଗଣେଶ ପୂଜା ପାଇଁ ସାରା ରାଜ୍ୟରେ ଯେତେବି ପେଣ୍ଡାଲ ହେବ ଆୟୋଜକଙ୍କୁ ଏ ବାବଦକୁ ପଇସାଟେ ବି ବିଦ୍ୟୁତ ବିଲ ଦେବାକୁ ପଡିବନି। ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ଗଣେଶ ପୂଜା ସଜସଜ୍ଜା ଓ ଆଲୋକ ସଜ୍ଜାରେ ବିଦ୍ୟୁତ ବାବଦ ବ୍ୟୟ କରିବାକୁ ପଡିବନି।ତେବେ କେବଳ ଆନ୍ଧ୍ର ପ୍ରଦେଶ ନୁହେଁ ମହାରାଷ୍ଟ୍ରରେ ମଧ୍ୟ ଗଣେଶ ଉତ୍ସବ ଧୂମଧାମରେ ପାଳନ ହୁଏ। ଏଣୁ ମହାରାଷ୍ଟ୍ର ସରକାର ମଧ୍ୟ ଶ୍ରଦ୍ଧାଳୁଙ୍କ ଲାଗି ଆଶ୍ୱସ୍ତି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ପିଡବ୍ଲୁଡି ମନ୍ତ୍ରୀ ଶିବେନ୍ଦ୍ର ସିଂହରାଜେ ଭୋସଲେ କହିଛନ୍ତି ଯେ ଗଣେଶ ଉତ୍ସବ କାଳରେ ମୁମ୍ବାଇରୁ କୋଙ୍କଣ ଯାଉଥିବା ଲୋକଙ୍କୁ କେତେକ ମାର୍ଗରେ ଟୋଲ ଟ୍ୟାକ୍ସ ଦେବାକୁ ପଡିବନି। ମୁମ୍ବାଇ ଓ କୋଙ୍କଣକୁ ସଂଯୋଗ କରୁଥିବା ଗୋଆ ହାଇୱେ ଓ ପୁଣେ-ବେଙ୍ଗାଲୁରୁ ହାଇୱେ ୧୧ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଟୋଲ ଟ୍ୟାକ୍ସ ଅସୁଲ ବନ୍ଦ ରହିବ।

ଏହି ଲାଭ ସେହିମାନଙ୍କୁ ମିଳିବ ଯେଉଁମାନେ ଗଣେଶ ଉତ୍ସବ କାଳରେ ସିନ୍ଧୁଦୁର୍ଗ,କୋହ୍ଲାପୁର ଓ କୋଙ୍କଣ କ୍ଷେତ୍ରରେ ଥିବା ନିଜ ପୈତୃକ ଗ୍ରାମକୁ ବୁଲିବାକୁ ଯାଇଥାନ୍ତି। ଟୋଲ ରିହାତି ମିଳିବା ଯୋଗୁ ଯାତ୍ରୀଙ୍କୁ ପାଖାପାଖି ୬୫୦ରୁ ୭୦୦ ଟଙ୍କା ସଞ୍ଚୟ ହେବ। ଏହା ଛଡା ଟୋଲ ପ୍ଲାଜାମାନଙ୍କରେ ବାହନଙ୍କ ଭୀଡ ମଧ୍ୟ ହ୍ରାସ ହେବ। ଏଣୁ ଉତ୍ସବ କାଳରେ ଲୋକଙ୍କୁ ଟ୍ରାଫିକ ଜାମରୁ ମଧ୍ୟ ଆଶ୍ୱସ୍ତି ମିଳିବ।