ନୂଆଦିଲ୍ଲୀ: ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଏବେବି ଅନିଶ୍ଚିତତା ମଧ୍ୟରେ ରହିଛି। ଏହି ରେସରେ ସବୁଠୁ ଆଗରେ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଷ୍ଟାର ଲିଙ୍କ୍ କମ୍ପାନି ରହିଥିବା ବେଳେ, ଅନେକ ଜୁରରୀ ଅନୁମତି ଯୋଗୁ ପ୍ରକ୍ରିୟା ଆଗକୁ ବଢ଼ିପାରିନାହିଁ। ହେଲେ ସଦ୍ୟ ସୂଚନା ଅନୁସାରେ, ଷ୍ଟାରଲିଙ୍କ୍ ଭାରତରେ ଏହାର ଦ୍ୱିତୀୟ ପିଢ଼ିର (Gen 2) ସାଟେଲାଇଟ୍ ନେଟୱାର୍କ ପ୍ରତିଷ୍ଠା ପାଇଁ ଅନୁମତି ମାଗିଛି।

ଏହି ନୂତନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କମ୍ପାନୀ ଭାରତରେ 'ଡାଇରେକ୍ଟ-ଟୁ-ଡିଭାଇସ୍' (D2D) ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଭବିଷ୍ୟତରେ ସ୍ମାର୍ଟଫୋନ୍ କୌଣସି ପାରମ୍ପରିକ ମୋବାଇଲ୍ ଟାୱାର୍ ବା ନେଟୱାର୍କ ବିନା ସିଧାସଳଖ ମହାକାଶରେ ଥିବା ସାଟେଲାଇଟ୍ ସହ ସଂଯୁକ୍ତ ହୋଇପାରିବ।

ସୂଚନାଥାଉକି, ପୂର୍ବରୁ ୨୦୨୫ ଜୁଲାଇରେ ଷ୍ଟାରଲିଙ୍କ୍‌ର ପ୍ରଥମ ପିଢ଼ିର (Gen 1) ବ୍ରଡବ୍ୟାଣ୍ଡ ସେବାକୁ ଭାରତ ସରକାରଙ୍କ ଅନୁମୋଦନ ମିଳିଥିଲା। କିନ୍ତୁ କମ୍ପାନିର ୩୦,୦୦୦ ସାଟେଲାଇଟ୍ ବିଶିଷ୍ଟ ଏହି ନୂତନ Gen 2 ଆବେଦନକୁ ପୂର୍ବରୁ କିଛି ବୈଷୟିକ କାରଣ ଏବଂ ସ୍ପେକ୍ଟ୍ରମ୍ ବିବାଦ ଯୋଗୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ହେଲେ ଏବେ କମ୍ପାନି ପୁଣି ଥରେ ନୂଆ ରଣନୀତି ସହ ଭାରତୀୟ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନି ପକ୍ଷରୁ ଭାରତୀୟ ମହାକାଶ ନିୟାମକ ପ୍ରାଧିକରଣ (IN-SPACe) ନିକଟରେ ଏକ ନୂତନ ଆବେଦନ ପତ୍ର ଦାଖଲ କରାଯାଇଛି। ଯାହା ଭାରତୀୟ ଟେଲିକମ୍ ବଜାରରେ ପୁଣି ଚର୍ଚ୍ଚା ଆରମ୍ଭ କରିଛି।

Also Read:  ଭାରତକୁ ବଡ଼ ସଫଳତା; ଗୋଟିଏ ଦଶନ୍ଧିରେ ଚୀନକୁ ଟପିଛି ଭାରତ, ତଥାପି ରହିଛି ବଡ ଚ୍ୟାଲେଞ୍ଜ୍

ଅବଶ୍ୟ ଭାରତରେ ଷ୍ଟାରଲିଙ୍କର ଏହି ପ୍ରବେଶ ଏତେଟା ସହଜ ହେବନାହିଁ। କାରଣ ଏହି ଦୌଡ଼ରେ ମୁକେଶ ଅମ୍ବାନୀଙ୍କ ‘ରିଲାଏନ୍ସ ଜିଓ’, ଆମାଜନ ଏବଂ ୱାନୱେବ୍ ଭଳି ବଡ଼ ବଡ଼ କମ୍ପାନି ମଧ୍ୟ ଲାଇନରେ ଅଛନ୍ତି। ବର୍ତ୍ତମାନ ଭାରତ ସରକାର ଜାତୀୟ ସୁରକ୍ଷା ଏବଂ ସାଟେଲାଇଟ୍ ସ୍ପେକ୍ଟ୍ରମ୍ ଆବଣ୍ଟନର ନିୟମାବଳୀକୁ କଡ଼ାକଡ଼ି ଭାବେ ସମୀକ୍ଷା କରୁଛନ୍ତି। ଯଦି ଏହି ଅନୁମତି ମିଳିଯାଏ, ତେବେ ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ସହଜରେ ପହଞ୍ଚିପାରିବ।