ନୂଆଦିଲ୍ଲୀ: ଭାରତ ଓ ଚୀନ୍ ବିଶ୍ୱର ଦୁଇ ସର୍ବାଧିକ ଜନବହୁଳ ଦେଶ। ଏକଦା ଏହି ଦୁଇ ଦେଶକୁ ‘ଏସିଆନ୍ ସେଞ୍ଚୁରି’ ବା ଏସିଆର ଶତାବ୍ଦୀର ଦୁଇ ମୁଖ୍ୟ ଅର୍ଥନୈତିକ ଇଞ୍ଜିନ୍ ଭାବେ ଦେଖାଯାଉଥିଲା। ଆଧୁନିକ ଅର୍ଥନୈତିକ ଯାତ୍ରାର ଆରମ୍ଭରେ ଉଭୟ ଦେଶର ଆୟସ୍ତର ମୋଟାମୋଟି ସମାନ ଥିଲା। କିନ୍ତୁ ୧୯୮୦ ଦଶକରୁ ଚୀନ୍ ଏକାଧିକ ନିଜ ବ୍ୟବସ୍ଥାରେ ଏକାଧିକ ପରିବର୍ତ୍ତନ ଆଣି ଦ୍ରୁତ ଗତିରେ ଆଗକୁ ବଢ଼ିଲା ଓ ଭାରତ ଧୀରେ ଧୀରେ ପଛେଇବାକୁ ଲାଗିଲା।

ଦଶନ୍ଧି ଦଶନ୍ଧି ଧରି ଚୀନ୍ର ଅର୍ଥନୈତିକ ଅଭିବୃଦ୍ଧି ଭାରତଠାରୁ ଯଥେଷ୍ଟ ଅଧିକ ରହିଥିଲା। ଏବେ କିନ୍ତୁ ଚିତ୍ର ବଦଳିଛି। ସମ୍ପ୍ରତି ବର୍ଷଗୁଡ଼ିକରେ ଚୀନର ଅଭିବୃଦ୍ଧି ମନ୍ଥର ହେଉଥିବା ବେଳେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ତେବେ ଭାରତର ଏହି ଦ୍ରୁତ ଯାତ୍ରା କେବଳ ଗୋଟିଏ ବର୍ଷର ତଥ୍ୟ ଅଧାରରେ ନୁହେଁ, ବରଂ ଦଶନ୍ଧିର ଯାତ୍ରାରେ ଭାରତକୁ ସଫଳତା ମିଳିଛି। ୨୦୧୫ ପରଠାରୁ ଭାରତ ଚୀନ୍ର ତୁଳନାରେ ଅନେକ ସମୟରେ ଅଧିକ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକର ଆକଳନ ଯଦି ଠିକ୍ ପ୍ରମାଣିତ ହୁଏ, ତେବେ ୨୦୨୦ରୁ ୨୦୩୦ ଦଶନ୍ଧି ଭାରତ ପାଇଁ ଅର୍ଥନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ଭାରତର ବୃଦ୍ଧି ହାର ଚୀନ ଠାରୁ ଆଗରେ

୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୭.୭% ଆକଳନ କରାଯାଇଥିଲା, ଯେତେବେଳେ କି ଚୀନ୍ର ଅଭିବୃଦ୍ଧି ପ୍ରାୟ ୫% ରହିଥିଲା। ନିଶ୍ଚିତ ଭାରତ ପକ୍ଷେ ଏହା ଏକ ବଡ଼ ସଫଳତା ଥିଲା। ହେଲେ ଆହୁରି ଖୁସୀର କଥା ହେଲା ଭାରତର ଏହି ସଫଳତା କେବଳ ଗୋଟିଏ ବର୍ଷରେ ସୀମିତ ନଥିଲା। ବରଂ ୨୦୧୫ ପରଠାରୁ ଭାରତ ଅନେକ ସମୟରେ ଚୀନ୍କୁ ଜିଡିପି ଅଭିବୃଦ୍ଧିରେ ଅତିକ୍ରମ କରିଛି। କୋଭିଡ୍ ପରବର୍ତ୍ତୀ ସମୟରେ ଭାରତର ଏହି ଗତୀକୁ ଅହୁରି ସ୍ପିଡ୍ ମିଳିଛି। ୨୦୨୧ ପରଠାରୁ ଭାରତ ପ୍ରତିବର୍ଷ ଚୀନ୍ଠାରୁ ଅଧିକ ଦ୍ରୁତ ହାରରେ ବଢ଼ିଆସୁଛି। ଫଳରେ ଏହାକୁ ଏକ ସାମୟିକ ପରିବର୍ତ୍ତନ ନୁହେଁ, ବରଂ ବ୍ୟାପକ ଦଶନ୍ଧିକାଳୀନ ପରିବର୍ତ୍ତନ ଭାବେ ଦେଖାଯାଉଛି।

Also Read- ତାଇୱାନ ଓ ଦକ୍ଷିଣ କୋରିଆ ପରେ ଏବେ ଇଣ୍ଡୋନେସିଆ ବି ଭାରତକୁ ପଛରେ ପକାଇଲା; ଏସିଆର ସବୁଠାରୁ କମ ପସନ୍ଦ କରାଯାଉଥିବା ମାର୍କେଟ ହେଲା ଭାରତୀୟ ଷ୍ଟକ୍ ମାର୍କେଟ୍

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବା IMFର ଜୁଲାଇ ୨୦୨୬ ‘ୱାଲ୍ଡ ଇକୋନୋମିକ ଆଉଟଲୁକ ଅପଡେଟ୍’ରେ ମଧ୍ୟ ଭାରତକୁ ବିଶ୍ୱର ଦ୍ରୁତତମ ବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ରଖାଯାଇଛି। ଏଥିରେ ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ବୃଦ୍ଧି ହାର ୬.୭% ରହିବ ବୋଲି ଆକଳନ କରାଯାଇଛି। ବିଶ୍ୱ ବ୍ୟାଙ୍କର ଆକଳନରେ ମଧ୍ୟ ଦଶନ୍ଧିର ଅଧିକାଂଶ ସମୟ ଭାରତର ବୃଦ୍ଧି ଚୀନ୍ଠାରୁ ଅଧିକ ରହିପାରେ ବୋଲି ସଙ୍କେତ ଦେଉଛି। ଏହିସବୁ କାରଣ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚିତ କରୁଛି। ତେବେ ଦିନେ ସମାନ ସ୍ତରରୁ ଯାତ୍ରା ଆରମ୍ଭ କରିଥିବା ଭାରତ ଓ ଚୀନ ମଧ୍ୟରେ ଏହି ଅର୍ଥନୈତିକ ଉତ୍ଥାନ-ପତ୍ତନ କାହିଁକି ଓ କିପରି ହେଲା ଏହା ଜାଣିବାକୁ ଆମକୁ ଅତୀତକୁ ଫେରିବାକୁ ପଡ଼ିବ।

ଏହି ଦୁଇ ଦେଶ କେଉଁଠାରୁ ଆରମ୍ଭ କରିଥିଲେ ଯାତ୍ରା ?

ପ୍ରାୟ ୪ ଦଶନ୍ଧୀ ପୂର୍ବରୁ ଭାରତ ଓ ଚୀନ୍ର ଅର୍ଥନୈତିକ ଆକାର ପରସ୍ପର ନିକଟତର ହୋଇ ଚାଲୁଥିଲା। ୧୯୮୭ରେ ଉଭୟ ଦେଶର ନାମମାତ୍ର ଜିଡିପି ପ୍ରାୟ ସମାନ ଥିଲା। ପିପିପି(ପର୍ଚେଜିଂ ପାୱାର ପ୍ୟାରିଟି) ବା କ୍ରୟଶକ୍ତି ସମତା ଆଧାରରେ ମଧ୍ୟ ୧୯୯୦ରେ ଚୀନ୍ ଭାରତଠାରୁ ମାତ୍ର ସାମାନ୍ୟ ଆଗରେ ଥିଲା। ଉଭୟ ଦେଶର ମୁଣ୍ଡପିଛା ଆୟ ମଧ୍ୟ ସେତେବେଳେ ତୁଳନାତ୍ମକ ଭାବେ ନିକଟତର ଥିଲା। ଏପରିକି ୧୯୯୦ରେ ନୋମିନାଲ ଜିଡିପି ଏବଂ ପିପିପି ଉଭୟ ମାପରେ ଭାରତର ମୁଣ୍ଡପିଛା ଆୟ ଚୀନ୍ଠାରୁ ଅଧିକ ଥିଲା। କିନ୍ତୁ ୧୯୯୦ ଦଶକରୁ ଉଭୟ ଦେଶର ଅର୍ଥନୈତିକ ଯାତ୍ରା ନାଟକୀୟ ଭାବେ ପରିବର୍ତ୍ତନ ହେବାରେ ଲାଗିଲା।

ଭାରତକୁ ପଛରେ ପକାଇ କିପରି ଆଗକୁ ମାଡ଼ିଗଲା ଚୀନ?

୧୯୮୦ରେ ଚୀନ୍ର ଅର୍ଥନୈତିକ ବୃଦ୍ଧି ପ୍ରାୟ ୭.୯% ଥିବା ବେଳେ ଭାରତର ବୃଦ୍ଧି ଥିଲା ପ୍ରାୟ ୬.୭% । ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଏହି ଅନ୍ତର ବଢ଼ିବାକୁ ଲାଗିଲା। ୧୯୮୦, ୧୯୯୦ ଏବଂ ୨୦୦୦ ଦଶକରେ ଚୀନ୍ ସାଧାରଣତଃ ଭାରତଠାରୁ ଅଧିକ ବୃଦ୍ଧି ହାର ବଜାୟ ରଖିଥିଲା। ହେଲେ ଭାରତ ସେହି ଅନୁସାରେ ଅଭିବୃଦ୍ଧି କରିପାରିଲା ନାହିଁ।

ଚୀନ୍ର ଏହି ଦ୍ରୁତ ଉତ୍ଥାନ ପଛରେ ଥିଲା ଦେଶ ନେତୃତ୍ୱାଧୀନ ଶିଳ୍ପାୟନ, ରପ୍ତାନିର ବିସ୍ତାର ଏବଂ ବିପୁଳ ପରିମାଣର ସ୍ଥାୟୀ ପୁଞ୍ଜି ନିବେଶ। ଚୀନ୍ ଧୀରେ ଧୀରେ ‘ବିଶ୍ୱର କାରଖାନା’ରେ ପରିଣତ ହେଲା। ବିଶ୍ୱର ଯୋଗାଣ ଶୃଙ୍ଖଳାରେ ଗଭୀର ଭାବେ ଯୋଡ଼ିହୋଇ ଉତ୍ପାଦନ ଓ ରପ୍ତାନି ମାଧ୍ୟମରେ କୋଟି କୋଟି ଲୋକଙ୍କ ଆୟ ବଢ଼ାଇଲା। ଭାରତର ମଡେଲ୍ କିନ୍ତୁ ଭିନ୍ନ ଥିଲା। ୧୯୯୦ ଦଶକର ଉଦାରୀକରଣ ପରେ, ବିଶେଷକରି ଗତ ଦଶନ୍ଧିରେ, ଭାରତର ଅର୍ଥନୈତିକ ବୃଦ୍ଧିରେ ଘରୋଇ ଚାହିଦା, ସେବା କ୍ଷେତ୍ର ଓ ବ୍ୟକ୍ତିଗତ ଉପଭୋଗର ଭୂମିକା ଅଧିକ ରହିଛି।

Also Read-ଚାକିରିର ପଦବୀ ଓ ଦରମା ମଧ୍ୟରେ ବଢୁଛି ଅସଙ୍ଗତି: ୬୦% ପେସାଦାରଙ୍କ ମତରେ ଟାଇଟଲ୍ ଅନୁଯାୟୀ ମିଳୁନି ଦରମା

ଭାରତର ଶକ୍ତି ବିଶାଳ ଘରୋଇ ବଜାର

ଭାରତୀୟ ଅର୍ଥନୀତିର ପ୍ରାୟ ୭୦% ବ୍ୟବହାର(କଞ୍ଜପସନ) ସହିତ ସମ୍ପୃକ୍ତ। ୨୦୨୪ରେ ଘରୋଇ କଞ୍ଜପସନ ଜିଡିପିର ପ୍ରାୟ ୬୧% ଥିଲା। ଏହାର ବିପରୀତରେ ଚୀନ୍ରେ ଘରୋଇ କଞ୍ଜପସନ ଜିଡିପିର ପ୍ରାୟ ୪୦% ଥିଲା। ଅର୍ଥାତ୍, ଭାରତର ଏକ ବଡ଼ ଅର୍ଥନୈତିକ ଶକ୍ତି ହେଉଛି ଏହାର ବିଶାଳ ଘରୋଇ ବଜାର। ମହାମାରୀ ପରବର୍ତ୍ତୀ ବିଶ୍ୱ ଅର୍ଥନୀତିରେ ଏହି ବିଶାଳ ଉପଭୋକ୍ତା ଆଧାର ଭାରତକୁ ଏକ ବଡ଼ ସୁଯୋଗ ଦେଇଛି। ବିକଶିତ ଦେଶଗୁଡ଼ିକ ବୟସ୍କ ଜନସଂଖ୍ୟା, ଦୁର୍ବଳ ଚାହିଦା ଓ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ସମୟରେ ଗ୍ଲୋବାଲ୍ ସାଉଥ୍ର ଉପଭୋଗ-ଭିତ୍ତିକ ବୃଦ୍ଧି ଗୁରୁତ୍ୱ ହାସଲ କରୁଛି। ଭାରତର ବଢ଼ୁଥିବା ଉପଭୋକ୍ତା ବର୍ଗ ଏହାକୁ ବିଶ୍ୱ ଚାହିଦାର ଏକ ପ୍ରମୁଖ ଉତ୍ସରେ ପରିଣତ କରିପାରେ। ତେବେ ଏହାର ଅନ୍ୟ ଏକ ଦିଗ ମଧ୍ୟ ରହିଛି।

ଚୀନର ଅର୍ଥନୈତିକ ବୃଦ୍ଧି କାହିଁକି ଧୀର ହେଲା?

ଚୀନ୍ର ବର୍ତ୍ତମାନର ମନ୍ଥରତା କେବଳ ଗୋଟିଏ ଖରାପ ବର୍ଷ କିମ୍ବା ସାମୟିକ ଦୁର୍ବଳତାର ପରିଣାମ ନୁହେଁ। ଏହା ଏକ ଗଠନାତ୍ମକ ପରିବର୍ତ୍ତନର ଅଂଶ। ଦୀର୍ଘ ସମୟ ଧରି ଚୀନ୍ର ଅର୍ଥନୈତିକ ବୃଦ୍ଧିର ମୁଖ୍ୟ ଇଞ୍ଜିନ୍ ଥିବା ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଏବେ ଦୀର୍ଘକାଳୀନ ସଙ୍କଟରେ ପଡ଼ିଛି। ଚୀନ୍ ସରକାର ରିଅଲ୍ ଇଷ୍ଟେଟ୍ ଡେଭେଲପରମାନଙ୍କ ଅତ୍ୟଧିକ ଋଣ ଓ ଲିଭରେଜ୍ କମାଇବାକୁ ପଦକ୍ଷେପ ନେବା ପରେ ଏହି କ୍ଷେତ୍ରରେ ସମନ୍ୱୟ ବିଗିଡ଼ିଛି। ଘର ଓ ସମ୍ପତ୍ତିର ମୂଲ୍ୟ କମିବାରୁ ଚୀନ୍ର ପରିବାରଗୁଡ଼ିକର ସମ୍ପତ୍ତି ଓ ଏ କ୍ଷେତ୍ରରେ ଥିବା ଆତ୍ମିବିଶ୍ୱାସ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଏହା ସହିତ ଚୀନର ଉପଭୋକ୍ତାମାନେ ମଧ୍ୟ ଅଧିକ ସତର୍କ ହୋଇଛନ୍ତି। ଦୁର୍ବଳ ଆତ୍ମବିଶ୍ୱାସ, ଜନସଂଖ୍ୟାଗତ ଚାପ ଓ ଭବିଷ୍ୟତ ନେଇ ଅନିଶ୍ଚିତତା ଲୋକମାନଙ୍କୁ ଅଧିକ ସଞ୍ଚୟ କରିବା ଦିଗରେ ଠେଲିଦେଇଛି। ଫଳରେ ବେଜିଂ ଯେଉଁ ଉପଭୋଗ-ଭିତ୍ତିକ ଅର୍ଥନୈତିକ ପୁନରୁଦ୍ଧାର ଚାହୁଁଛି, ତାହା ଦୁର୍ବଳ ରହିଛି।

ଚୀନ୍ ଏବେ ହାଇଟେକ୍ ମାନୁଫାକ୍ଚରିଂ ଉପରେ ଜୋର ଦେଉଛି

ଚୀନ୍ ଏହାର ଉତ୍ତର ଭାବେ ଇଲେକ୍ଟ୍ରିକ୍ ଯାନ (EV), ବ୍ୟାଟେରୀ, ସୋଲାର ଉପକରଣ, ଉନ୍ନତ ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ କୌଶଳଗତ ଶିଳ୍ପରେ ଅଧିକ ଜୋର ଦେଉଛି। କିନ୍ତୁ ଏଥିରୁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ତାହା ହେଲା ଚୀନ୍ର ଶିଳ୍ପ ଉତ୍ପାଦନ କ୍ଷମତା ଘରୋଇ ଚାହିଦାଠାରୁ ଆଗକୁ ଅଧିକ ହୋଇଯାଉଛି। ତେଣୁ ଅତିରିକ୍ତ ଉତ୍ପାଦନ ବିକ୍ରି ପାଇଁ ଚୀନ୍କୁ ବିଦେଶୀ ବଜାର ଉପରେ ଅଧିକ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ ଏହି ସମୟରେ ଆମେରିକା, ୟୁରୋପ ଓ ଅନ୍ୟାନ୍ୟ ଦେଶ ଚୀନ୍ର ଶିଳ୍ପ ଅତିରିକ୍ତ କ୍ଷମତା ନେଇ ଚିନ୍ତିତ ହୋଇ ବାଣିଜ୍ୟିକ ପ୍ରତିବନ୍ଧକ ଓ ଶୁଳ୍କ ବଢ଼ାଉଛନ୍ତି। ଫଳରେ ଚୀନ୍ର ପୁରୁଣା ରପ୍ତାନି-ଭିତ୍ତିକ ମଡେଲ୍ ପୂର୍ବପରି ସହଜ ହୋଇ ରହି ନାହିଁ।

ଭାରତ ପାଇଁ ସୁଯୋଗ, କିନ୍ତୁ ବଡ଼ ଚ୍ୟାଲେଞ୍ଜ ମଧ୍ୟ

ଚୀନ୍ର ଅଭିଜ୍ଞତା ଦେଖାଉଛି ଯେ ଅର୍ଥନୈତିକ ବୃଦ୍ଧି ପାଇଁ କେବଳ ଗୋଟିଏ ଇଞ୍ଜିନ୍ ଉପରେ ନିର୍ଭର କରିହେବ ନାହିଁ। ତେବେ ଆଜି ପର୍ଯ୍ୟନ୍ତ ଭାରତ ଯେଉଁ କଞ୍ଜ୍ୟୁମର ମାର୍କେଟ୍ ବଳରେ ନିଜକୁ ସମ୍ଭାଳି ରଖିଛି ସେ କ୍ଷେତ୍ରରେ ନିୟମିତ ବୃଦ୍ଧି କ’ଣ ଚୀନ୍ ଭଳି ଗଭୀର ଗଠନାତ୍ମକ ପରିବର୍ତ୍ତନ ଆଣିପାରିବ ?

Also Read- ବ୍ୟବସାୟ କରିବା କଷ୍ଟକର ହେଲାଣି: ସବୁବେଳେ ପଜିିଟିଭ୍ ରହୁଥିବା ଶ୍ରୀଧର ଭେମ୍ବୁ ହଠାତ୍ କାହିଁକି ଏମିତି କହିଲେ ?

ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତକୁ କେବଳ ଏକ ସମ୍ଭାବ୍ୟ ମାନୁଫାକ୍ଚରିଂ ଲକ୍ଷ୍ୟ ଭାବେ ନୁହେଁ, ବରଂ ଭବିଷ୍ୟତର ବିଶ୍ୱର ସର୍ବବୃହତ୍ ଉପଭୋକ୍ତା ବଜାରଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ମଧ୍ୟ ଦେଖୁଛନ୍ତି। ବିଶ୍ୱର ଯୋଗାଣ ଶୃଙ୍ଖଳା ପୁନର୍ଗଠିତ ହେଉଥିବା ବେଳେ ଭାରତର ବିଶାଳ ବଜାର ଏହାକୁ ଏକ ମୁଖ୍ୟ ମାର୍କେଟ୍ରେ ପରିଣତ କରିଛି। କିନ୍ତୁ କେବଳ ଯେ ବଡ଼ ଉପଭୋକ୍ତା ବଜାର ହୋଇଗଲେ ନିଜେ ନିଜେ ଏକ ମାନୁଫାକ୍ଚରିଂ ମହାଶକ୍ତିରେ ପରିଣତ ହୋଇଯିବ ଏହା ଧରିନେବା ଭାରତ ପାଇଁ ହୁଏତ ବୁମେରାଂ ହୋଇପାରେ।

କାରଣ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଚୀନ୍, ଭିଏତନାମ ଓ ଦକ୍ଷିଣ କୋରିଆ ଭଳି ଦେଶରେ ଉତ୍ପାଦନ ଜାରି ରଖି ଭାରତକୁ କେବଳ ଏକ ସାମଗ୍ରୀ ବିକ୍ରିର ବଜାର ଭାବେ ବ୍ୟବହାର କରିପାରନ୍ତି। ଏହା ହେଲେ ଭାରତରେ କଞ୍ଜପସନ ବଢ଼ିବ ସତ କିନ୍ତୁ ଗଭୀର ଶିଳ୍ପାୟନରୁ ମିଳୁଥିବା ଚାକିରି, ଉତ୍ପାଦକତା ବୃଦ୍ଧି ଓ ରପ୍ତାନି ବିସ୍ତାରର ଲାଭ ସେହି ପରିମାଣରେ ମିଳିନପାରେ।

କୋଭିଡ୍ ପରେ ଭାରତ-ଚୀନ୍ ବୃଦ୍ଧିର ଅନ୍ତର

ବିଶ୍ୱ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୫ରେ ଭାରତର ବୃଦ୍ଧି ହାର ୭.୬%, ଥିବା ବେଳେ ଚୀନ୍ର ବୃଦ୍ଧି ହାର ପ୍ରାୟ ୫% ଥିଲା। ଏହି ପରିବର୍ତ୍ତନର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି। ୧୯୬୧ରୁ ୨୦୨୪ ମଧ୍ୟରେ ଭାରତ ଗୋଟିଏ ବର୍ଷରେ ମଧ୍ୟ ୧୦% କିମ୍ବା ତାଠାରୁ ଅଧିକ ବାର୍ଷିକ ବୃଦ୍ଧି ରେକର୍ଡ କରିନଥିଲା। ଏହାର ବିପରୀତରେ ଚୀନ୍ ୨୨ଟି ବର୍ଷରେ ୧୦%ରୁ ଅଧିକ ବୃଦ୍ଧି ହାସଲ କରିଥିଲା।

୨୦୦୦ ଦଶକରେ ଚୀନ୍ ଅନେକ ବର୍ଷ ଦୁଇ ଅଙ୍କର ବୃଦ୍ଧି ହାର ରେକର୍ଡ କରି ଅର୍ଥନୈତିକ ଦୌଡ଼ରେ ପ୍ରଭୁତ୍ୱ ଦେଖାଇଥିଲା। ଏବେ କିନ୍ତୁ ଦିଗ ବଦଳିଛି। ଗତ ଦଶନ୍ଧିରେ ଭାରତ ବାରମ୍ବାର ଚୀନ୍ଠାରୁ ଅଧିକ ଦ୍ରୁତ ବଢ଼ିଛି, ହେଲେ ଚୀନ୍ ଏକ ପରିପକ୍ୱ ଅର୍ଥନୀତିର ଅଧିକ କଷ୍ଟସାଧ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛି। ତେଣୁ ଚୀନ ବର୍ତ୍ତମାନ ଅର୍ଥନୈତିକ ବିକାଶ ପାଇଁ ଅନ୍ୟ ଦିଗ ଖୋଜିବାରେ ଲାଗି ପଡ଼ିଛି।

ତଥାପି ଅର୍ଥନୈତିକ ଆକାରରେ ଚୀନ୍ ବହୁତ ଆଗରେ

ସବୁଠାରୁ ବଡ଼ କଥା ହେଉଛି ବୃଦ୍ଧି ହାର ଓ ଅର୍ଥନୀତିର ଆକାର ଏକା ଜିନିଷ ନୁହେଁ। ଏକ ଛୋଟ ଅର୍ଥନୀତି ୭% ହାରରେ ବଢ଼ିପାରେ, ଏକ ବହୁତ ବଡ଼ ଅର୍ଥନୀତି ୫% ହାରରେ ବଢ଼ିପାରେ। ଛୋଟ ଅର୍ଥନୀତିର ପ୍ରତିଶତ ବୃଦ୍ଧି ଅଧିକ ହେଲେ ମଧ୍ୟ ବଡ଼ ଅର୍ଥନୀତି ନୂଆ ଅର୍ଥନୈତିକ ଉତ୍ପାଦନର ପରିମାଣରେ ଅଧିକ ଯୋଗ କରିପାରେ। ସରଳ ଭାବେ କହିଲେ, ଭାରତ ଏବେ ଦ୍ରୁତ ଗତିରେ ଦୌଡ଼ୁଛି, କିନ୍ତୁ ଚୀନ୍ର ଦୌଡ଼ ପାଇଁ ଟ୍ରାକ୍ଟି ଏବେ ମଧ୍ୟ ବହୁତ ବଡ଼।

ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୨୫ରେ ଚୀନ୍ର ନୋମିନାଲ ବା ନାମମାତ୍ର ଜିଡିପି ପ୍ରାୟ ୧୯.୫ ଟ୍ରିଲିୟନ୍ ଡଲାର ଥିବା ବେଳେ ଭାରତର ଜିଡିପି ପ୍ରାୟ ୩.୯୬ ଟ୍ରିଲିୟନ୍ ଡଲାର। ଅର୍ଥାତ୍ ନାମମାତ୍ର ଜିଡିପି ଆଧାରରେ ଚୀନ୍ର ଅର୍ଥନୀତି ଭାରତଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼।

ତେବେ ପିପିପି ଆଧାରରେ ଦେଖିଲେ ଦୁଇ ଦେଶ ମଧ୍ୟରେ ଏହି ଅନ୍ତର କିଛି ମାତ୍ରାରେ କମିଯାଏ। ଏହି ଆଧାରରେ ଚୀନ୍ର ଅର୍ଥନୀତିର ଆକାର ପ୍ରାୟ ୪୧ ଟ୍ରିଲିୟନ୍ ଡଲାର ହୋଇଥିବା ବେଳେ ଭାରତର ଅର୍ଥନୀତି ପ୍ରାୟ ୧୭.୭ ଟ୍ରିଲିୟନ୍ ଡଲାର। ଅର୍ଥାତ୍ ପିପିପି ଆଧାରରେ ମଧ୍ୟ ଚୀନର ଅର୍ଥନୀତି ଭାରତଠାରୁ ପ୍ରାୟ ୨.୩ ଗୁଣ ବଡ଼।

ମୁଣ୍ଡପିଛା ଆୟରେ ମଧ୍ୟ ବଡ଼ ଅନ୍ତର

ଏହି ଅନ୍ତର ବ୍ୟକ୍ତିଗତ ସ୍ତରରେ ମଧ୍ୟ ଦେଖାଯାଏ। ୨୦୨୫ରେ ଚୀନ୍ର ନାମମାତ୍ର ଜିଡିପି ପ୍ରତି ବ୍ୟକ୍ତି ପ୍ରାୟ ୧୩,୮୦୬ ଡଲାର, ହୋଇଥିବା ବେଳେ ଭାରତରେ ଏହା ପ୍ରାୟ ୨,୮୧୮ ଡଲାର। ପିପିପି ଆଧାରରେ ଚୀନ୍ର ମୁଣ୍ଡପିଛା ଜିଡିପି ପ୍ରାୟ ୩୧,୦୦୦ ଡଲାର ଥିବା ବେଳେ ଭାରତରେ ଏହା ପ୍ରାୟ ୧୩,୦୦୦ ଡଲାର ବୋଲି ଆଇଏମଏଫର ତଥ୍ୟରୁ ଜଣାପଡ଼େ।

ତେଣୁ ଏଥିରୁ ଦୁଇ ଦେଶର ଅର୍ଥନୈତିକ ଯାତ୍ରାର ତଫାତ୍ ସ୍ପଷ୍ଟ ଜଣାପଡ଼ୁଛି। ଉଭୟ ଦେଶ ତୁଳନାତ୍ମକ ଭାବେ ପ୍ରାୟ ସମାନ ସ୍ଥିତିରୁ ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ଗତ ତିନି ଦଶନ୍ଧିରେ ଚୀନ୍ ବହୁତ ଆଗକୁ ବଡ଼ିଯାଇଥିବା ବେଳେ ଭାରତ ଏହି ଦଶନ୍ଧୀରେ ସ୍ପିଡ୍ ବଢ଼ାଇଛି।

ଭାରତର ଆଗାମୀ ଚ୍ୟାଲେଞ୍ଜ

ଭାରତ ପାଇଁ ବର୍ତ୍ତମାନର ତଥ୍ୟ ଆଶା ସୃଷ୍ଟି କରୁଛି। ଦେଶର କଞ୍ଜପସନ ଇଞ୍ଜିନ୍ ଶକ୍ତିଶାଳୀ ରହିବା ସହ ସେବା କ୍ଷେତ୍ର ଦୃଢ଼ ରହିଛି। ଏବଂ ଭାରତର ଜନସଂଖ୍ୟା ଓ ବିଶାଳ ମାର୍କେଟ୍ ଦେଶକୁ ଏକ ଅସାଧାରଣ ସୁଯୋଗ ଦେଉଛି। କିନ୍ତୁ ଭାରତର ପ୍ରକୃତ ପରୀକ୍ଷା ହେଉଛି ଏହି ଦ୍ରୁତ ବୃଦ୍ଧିକୁ ଗଭୀର ଅର୍ଥନୈତିକ ପରିବର୍ତ୍ତନରେ ପରିଣତ କରିବା। ତାହା କେମିତି ?

ଦେଶରେ ଉତ୍ପାଦକତା ବଢ଼ାଇବା, ଅଧିକ ଓ ଭଲ ଚାକିରି ସୁଯୋଗ ସୃଷ୍ଟି କରିବା, ଆୟ ବଢ଼ାଇବା, ମାନୁଫାକ୍ଚରିଂ କ୍ଷମତା ବିସ୍ତାର କରିବା, ରପ୍ତାନି ବଢ଼ାଇବା,ଏବଂ ଦୀର୍ଘକାଳରେ ଲୋକଙ୍କ ଜୀବନମାନରେ ସ୍ଥାୟୀ ଉନ୍ନତି ଆଣିବା। ଏସବୁ କଲେ ଯାଇ ଭାରତ ଚୀନ ସହ ସମକକ୍ଷ ଆର୍ଥିକ ଶକ୍ତି ହୋଇପାରେ। ତେବେ କେବଳ ଉଚ୍ଚ ଜିଡିପି ବୃଦ୍ଧି ହାର ଏସବୁରେ ଉନ୍ନତି ଆଣିପାରିବ ନାହିଁ।

Also Read- ୨୦୨୭ରେ ଆସୁଛି ଦରବୃଦ୍ଧି ବନ୍ୟା: ମହଙ୍ଗା ମାଡ଼ରେ ଖାଲି ହେବ ପକେଟ, ଏଲନିନୋ ଯୋଗୁ ଠପ୍ ହୋଇଯିବ ବର୍ଷା !

ପ୍ରକୃତ ଦୌଡ଼ ଏବେ ଆରମ୍ଭ

ଭାରତ-ଚୀନ୍ ଅର୍ଥନୈତିକ ତୁଳନା ଏବେ କେବଳ ‘କିଏ ଅଧିକ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି ସେହି ପ୍ରଶ୍ନରେ ସୀମିତ ରହି ନାହିଁ। ଭାରତ ନିଶ୍ଚିତ ଭାବେ ବୃଦ୍ଧି ହାରରେ ଚୀନ୍ଠାରୁ ଆଗକୁ ଯାଇଛି ଏବଂ ଏହି ଅଗ୍ରଣୀ ସ୍ଥିତି ଗତ କିଛି ବର୍ଷ ଧରି ଜାରି ରହିଛି। କିନ୍ତୁ ଚୀନ୍ ଦଶନ୍ଧି ଦଶନ୍ଧି ପୂର୍ବରୁ ଆଗୁଆ ସତର୍କ ହୋଇ ଯେଉଁ ଦ୍ରୁତ ବୃଦ୍ଧି ହାସଲ କରିଛି ତାହା ସେହି ଦେଶକୁ ଏକ ବିଶାଳ ଅର୍ଥନୈତିକ ଆକାର ଦେଇଛି, ଯାହାକୁ ଭାରତ ଏଇ କିଛି ବର୍ଷର ଉଚ୍ଚ ବୃଦ୍ଧି ହାରରେ ଶୀଘ୍ର ଧରିପାରିବ ନାହିଁ।

ତେଣୁ ଭାରତ କେତେ ଦିନ ପର୍ଯ୍ୟନ୍ତ ଚୀନ୍ ଠାରୁ ଦ୍ରୁତ ବଢ଼ିପାରିବ ଏବଂ ସେହି ଅଗ୍ରଣୀ ବୃଦ୍ଧିକୁ କେତେ ଦୂର ପର୍ଯ୍ୟନ୍ତ ଅର୍ଥନୈତିକ ଆକାର, ଶିଳ୍ପାୟନ, ଉତ୍ପାଦକତା, ଚାକିରି ଓ ଆୟରେ ପରିଣତ କରିପାରିବ ତାହା ହିଁ ମୁଖ୍ୟ ପ୍ରଶ୍ନ

ଅନ୍ତର୍ଜାତୀୟ ମୁଦ୍ରା କୋଷ ଓ ବିଶ୍ୱ ବ୍ୟାଙ୍କର ଆକଳନ ଅନୁସାରେ ଭାରତ ପାଖରେ ଏକ ସୁଯୋଗ ରହିଛି। ଚୀନ୍ ଏକ ଅତ୍ୟଧିକ ଦ୍ରୁତ ବୃଦ୍ଧିଶୀଳ ଅର୍ଥନୀତିରୁ ଏବେ ପରିପକ୍ୱ ଅର୍ଥନୀତି ଆଡ଼କୁ ଗତି କରୁଛି। ଅନ୍ୟପଟେ ଭାରତ ଏକ ବିଶାଳ ଯୁବ ବଜାର, ଶକ୍ତିଶାଳୀ ଘରୋଇ ଚାହିଦା ଓ ବଢ଼ୁଥିବା ବୃଦ୍ଧି ହାର ସହିତ ନୂଆ ସୁଯୋଗର ଦ୍ୱାରରେ ଠିଆ ହୋଇଛି।

ଏବେ ପର୍ଯ୍ୟନ୍ତ ଯାହା ଦେଖା ଯାଉଛି ତାହା ହେଲା ଅଭିବୃଦ୍ଧିର ଗତିରେ ଭାରତ ଚୀନ ଠାରୁ ଆଗରେ ରହିଛି ସତ କିନ୍ତୁ ଅର୍ଥନୈତିକ ଆକାରରେ ଚୀନ୍ ଏବେ ମଧ୍ୟ ଭାରତ ଠାରୁ ବହୁତ ଆଗୁଆ। ତେବେ ଭାରତ ଏହି ଗତିକୁ ଦୀର୍ଘକାଳୀନ ଅର୍ଥନୈତିକ ଶକ୍ତିରେ ପରିଣତ କରିପାରିବ କି ନାହିଁ, ତାହା ଆଗାମୀ ବର୍ଷଗୁଡ଼ିକରେ ଜଣାପଡ଼ିବ।