ପୁରୀ ୦୯।୦୫ : ଶନିବାର ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଁଉରୀ ମହୋତ୍ସବ । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁର । ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିବେ ଚନ୍ଦନ ଠାକୁର । ଶ୍ରୀରାମକୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀଙ୍କ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ଘେରା ନୌବିହାର କରିବେ ।

Also Read:-Horoscope Today : ମେ'୦୯ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ଧାର୍ଯ୍ୟ ହୋଇଛି । ଅପରାହ୍ଣ ୧ଟାରେ ଯାତ ଭୋଗ ସରିଲେ ୨ଟାରେ ଚନ୍ଦନକୁ ଠାକୁରେ ବିଜେ ହେବେ । ନରେନ୍ଦ୍ର ଅଭିମୁଖେ ଠାକୁରଙ୍କ ବିମାନ ଉଠିବା ସମୟ ରହିଛି ୨ଟା ୩୦ । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ହେବ । ପରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ଏହି ଧାର୍ମିକ ସମାବେଶରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁବୃନ୍ଦ ଠାକୁରଙ୍କ ସାନ୍ନିଧ୍ୟ ଲଭିବେ ।