ଜୌନପୁର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ (AI) ର ଅପବ୍ୟବହାରକୁ ନେଇ ଏବେ ରାଜନୀତି ଗରମ ହୋଇଛି। ଉତ୍ତର ପ୍ରଦେଶର ମଛଲିଶହର ଲୋକସଭା ଆସନର ସମାଜବାଦୀ ପାର୍ଟି (SP) ସାଂସଦ ପ୍ରିୟା ସରୋଜଙ୍କର କିଛି ଆପତ୍ତିଜନକ ଏଆଇ ଜେନେରେଟେଡ୍ (ମର୍ଫଡ୍) ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଦେଖାଦେଇଛି। ଏହି ଘଟଣାରେ ସାଂସଦ ପ୍ରିୟା ସରୋଜ ଜୌନପୁର ସାଇବର ପୋଲିସ ଷ୍ଟେସନରେ ବିଜେପି ନେତାଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ FIR ରୁଜୁ କରିଛନ୍ତି।

ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ମିଡିଆ ପ୍ରଭାରୀ ସାମିଲ

ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଜୌନପୁର ବିଜେପିର ଜିଲ୍ଲା ମିଡିଆ ପ୍ରଭାରୀ ଆମୋଦ ସିଂ ଏବଂ ଓକିଲ ବିଶାଳ ସିଂ ସାଂସଦଙ୍କର ନକଲି ଫଟୋ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟଗୁଡ଼ିକରେ ସାଂସଦଙ୍କ ସାମାଜିକ ଓ ରାଜନୈତିକ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଭଳି ଅଶାଳୀନ ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା। ସାଂସଦ ପ୍ରିୟା ସରୋଜ ପ୍ରମାଣ ସ୍ୱରୂପ ସେହି ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକର ସ୍କ୍ରିନସଟ୍ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି।

କ୍ରିକେଟର ରିଙ୍କୁ ସିଂଙ୍କ ମଙ୍ଗେତର ହେଉଛନ୍ତି ପ୍ରିୟା

ସୂଚନାଯୋଗ୍ୟ ଯେ, ସାଂସଦ ପ୍ରିୟା ସରୋଜ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ରିଙ୍କୁ ସିଂଙ୍କ ମଙ୍ଗେତର। ଗତ ୨୦୨୫ ଜୁନ୍ ମାସରେ ଦୁହିଁଙ୍କର ଗ୍ରାଣ୍ଡ ଏନଗେଜମେଣ୍ଟ ହୋଇଥିଲା। ଅଭିଯୁକ୍ତମାନେ ରିଙ୍କୁ ସିଂ ଏବଂ ପ୍ରିୟାଙ୍କ ପ୍ରକୃତ ଫଟୋକୁ AI ସାହାଯ୍ୟରେ ବିକୃତ (Morphed) କରି ସୋସିଆଲ ମିଡିଆରେ ବ୍ୟାପକ ସେୟାର କରିଥିବା ଜଣାପଡ଼ିଛି।

Also Read: "କିଛି ବେକାର ଯୁବକ 'ପରଜୀବୀ' ପରି, ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି": CJI

ବର୍ଷିଲେ ପ୍ରିୟା ସରୋଜ

ଏହି ମାମଲାରେ ପ୍ରିୟା ସରୋଜ ନିଜ ଫେସବୁକ ଓ ସୋସିଆଲ ମିଡିଆ ଆକାଉଣ୍ଟରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, "ନକଲି ଫଟୋ, ନାକାମ ସାଜିଶ। ବିଜେପି ଆଇଟି ସେଲ୍ ମୋ ଭାବମୂର୍ତ୍ତି ନଷ୍ଟ କରିବାକୁ ଏଭଳି ହୀନ ପ୍ରୟାସ କରି ପୁଣି ଫେଲ୍ ମାରିଛି। ଏହା ବିଚାରଧାରାର ରାଜନୀତି ନୁହେଁ, ବରଂ ଭୟ ଏବଂ ଅଶାନ୍ତି ସୃଷ୍ଟି କରିବାର ରାଜନୀତି।" ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଏଭଳି ଆଚରଣକୁ ଆଦୌ ହାଲୁକା ଭାବେ ନିଆଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ମହିଳାମାନଙ୍କ ବିରୋଧରେ ବଢ଼ୁଥିବା ଏଆଇ ସାଇବର ଅପରାଧ ଉପରେ ଚିନ୍ତା ପ୍ରକାଶ କରି ସେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ମାମଲା ରୁଜୁ କରି ଡିଜିଟାଲ ପ୍ରମାଣ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।