ନୂଆଦିଲ୍ଲୀ, ୨୫।୧୧ : କ୍ରିକେଟ୍ ଅନିଶ୍ଚିତତାର ଖେଳ । ଏଠାରେ ଅସମ୍ଭବ କିଛି ନୁହେଁ । କିଛି ବି ସମ୍ଭବ ହୋଇପାରିବ । କେବଳ ଦରକାର ଧୈର୍ଯ୍ୟ ଏବଂ ଦକ୍ଷତା । ଯାହାକୁ ପ୍ରମାଣିତ କରିଛନ୍ତି ବେବି ବସ୍ ବୈଭବ ସୂର୍ଯ୍ୟବଂଶୀ । ମଙ୍ଗଳବାର ସେ ଏକ ନୂଆ ଇତିହାସ ଲେଖିଛନ୍ତି। ଦିନିକଆ ଫର୍ମାଟରେ ଦ୍ରୁତ ଦ୍ୱିଶତକ, ସର୍ବାଧିକ ଛକା, ଲିଷ୍ଟ ଏ କ୍ରିକେଟରେ ଦ୍ରୁତ ଦ୍ୱିଶତକ ଭଳି ଏକାଧିକ ରେକର୍ଡ କରିଛନ୍ତି। ମାତ୍ର ୫୨ ବଲରୁ ଡବଲ ସେଞ୍ଚୁରୀ ଲଗାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତେବେ ଏତେ ବଡ ପାଳି ପୂର୍ବରୁ ସେ ପୂର୍ବତନ କ୍ରିକେଟର୍ ଯୁବରାଜ ସିଂଙ୍କ ସହ କଥା ହୋଇଥିଲେ । ଆଉ ଯୁବିଙ୍କ ଗୁରୁମନ୍ତ୍ର କାମ ଦେଇଥିଲା ।

ମୁକାବିଲା ଉପରେ ନଜର ପକାଇଲେ ୟୁନାଇଟେଡ୍ ଆରବ ଏମିରେଟସ୍ ପ୍ରଥମେ ବ୍ୟାଟିଂ କରି ୨୪୯ ରନ୍ କରିଥିଲା । ଜବାବରେ ଭାରତ ବୈଭବଙ୍କ ବିଧ୍ୱଂସୀ ଇନିଂସ ବଳରେ ୧୪.୨ ଓଭରରେ ଲକ୍ଷ୍ୟ ହାସଲ କରିନେଇଛି । ମ୍ୟାଚରେ ବେବି ବସ୍ ୫୩ ବଲରୁ ୨୦୪ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ବ୍ୟାଟିଂ ଦେଖିବା ପରେ ସାରା ବିଶ୍ୱର ଅଗଣିତ କ୍ରିକେଟର୍ ଏବଂ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରାଇଜିଂ ମେନ୍ସ ଏସିଆ କପରେ ଦମଦାର ବ୍ୟାଟିଂ

ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର ୨୦୨୬ରେ ମଙ୍ଗଳବାର 'ଇଣ୍ଡିଆ ଏ'ର ଟକ୍କର ସଂଯୁକ୍ତ ଆରବ ଏମିରେଟ୍ସ(ୟଏଇ) ସହିତ ହୋଇଥିଲା। ଦୋହାର ୟୁନିଭର୍ସିଟି ଅଫ୍ ଦୋହା ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ ଏମିତି ତାଣ୍ଡବ କରିଛନ୍ତି, ଯେଉଁଥିରେ କ୍ରିକେଟର ବଡ଼ ବଡ଼ ମହାରଥିଙ୍କ କୀର୍ତ୍ତି ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ସବୁଠାରୁ ବଡ଼ କଥା ହେଲା ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ବୈଭବ ମାତ୍ର ୫୨ ବଲରେ ଦ୍ୱିଶତକ ହାସଲ କରିଛନ୍ତି। ଲିଷ୍ଟ-ଏ କ୍ରିକେଟ ଇତିହାସରେ ଏହା ସବୁଠାରୁ ଦ୍ରୁତ ଦ୍ୱିଶତକ। ନିଜ ଇନିଂସରେ ବୈଭବ ମୋଟ ୫୩ ବଲରେ ୨୦୪ ରନ୍ କରିଛନ୍ତି। ଯେଉଁଥିରେ ସେ ୨୮ ଟି ଛକ୍କା ଓ ୭ ଟି ଚୌକା ମାରିଛନ୍ତି।ଅର୍ଥାତ୍ ୧୯୬ ରନ୍ କେବଳ ଛକା ଚୌକା ବର୍ଷା କରି ସଂଗ୍ରହ କରିଛନ୍ତି ବୈଭବ। କୌଣସି ପ୍ରଫେସନାଲ କ୍ରିକେଟର ପ୍ରଥମ ଥର ଜଣେ ବ୍ୟାଟର ଏତେମାତ୍ରାରେ ଛକ୍କା ମାରିଛନ୍ତି। ତେବେ ଆଜିର ମ୍ୟାଚରେ ବାସିଲ ହମିଦ ବୈଭଙ୍କୁ ଆଉଟ୍ କରିଥିଲେ।

Also Read :-୨୮ ଛକା, ୭ ଚୌକା... ବେବି ବସ ବୈଭବଙ୍କ ରେକର୍ଡ ବ୍ୟାଟିଂ: ୫୨ ବଲ୍‌ରେ ଡବଲ ସେଞ୍ଚୁରି.. ଭାଙ୍ଗିଲା ଏକାଧିକ ବିଶ୍ୱ ରେକର୍ଡ

ଯୁବରାଜଙ୍କ ସହ ଆଲୋଚନା

ମ୍ୟାଚ୍ ପରେ ବୈଭବ କହିଛନ୍ତି ଯେ, ସେ ବ୍ୟାଟିଂ କରିବା ପୂର୍ବରୁ ଯୁବରାଜ ସିଂଙ୍କ ସହ ଆଲୋଚନା କରିଥିଲେ ।ଏହାସହ ପିତା, କୋଚ, ଜଣେ ବନ୍ଧୁ ଏବଂ ଯୁବରାଜଙ୍କ ସହ କଥା ହୋଇଥିଲେ । ଯୁବରାଜଙ୍କୁ ସେ ନିଜର ଆଦର୍ଶ ଭାବିଥାନ୍ତି । ସେ ବ୍ୟାଟିଂରେ କେଉଁ କେଉଁ ସମସ୍ୟାର ସାମ୍ନା କରୁଛନ୍ତି ତାହା ଯୁବରାଜଙ୍କ ସହ କଥା ହୋଇଥିଲେ ।ଯୁବି ତାଙ୍କୁ ପରାମର୍ଶ ଦେଇଥିଲେ । ଯଦି ୨୦ଟି ବଲ ଖେଳୁଛ ତାହାଲେ ସବୁ ବଲକୁ ଭିନ୍ନ ଅନ୍ଦାଜରେ ଖେଳିବାକୁ ଯୁବି ତାଙ୍କୁ କହିଥିଲେ । ଏହା ତାଙ୍କର କାମରେ ଆସିଥିବା ବୈଭବ ପ୍ରକାଶ କରିଛନ୍ତି ।