ଇନ୍ଦୋର: ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ସୈୟଦ ମୁସ୍ତାକ ଅଲି ଟ୍ରଫିରେ ଐତିହାସିକ ଇନିଂସ ଖେଳି କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛନ୍ତି । ତାମିଲନାଡ଼ୁ ବିପକ୍ଷରେ ଇନ୍ଦୋରର ଡେଲି କଲେଜ ମୈଦାନରେ ପ୍ରିୟାଂଶ ମାତ୍ର ୬୮ ବଲରେ ୧୮୧ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହା ସହିତ ସେ ଟି-୨୦ କ୍ରିକେଟରେ ସର୍ବାଧିକ ବ୍ୟାକ୍ତିଗତ ସ୍କୋର କରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି ।

୨୫ ବର୍ଷୀୟ ବାମହାତୀ ବ୍ୟାଟର ପ୍ରିୟାଂଶ ନିଜ ଇନିଂସରେ ଚୌକା ଏବଂ ଛକାର ଏପରି ଝଡ଼ ଲଗାଇଥିଲେ ଯେ ତାମିଲନାଡୁ ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ । ଆର୍ଯ୍ୟଙ୍କ ଇନିଂସରେ ୧୯ ଛକା ଏବଂ ସାତ ଚୌକା ଥିଲା । ପ୍ରିୟାଂଶ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲେ । ସେ ପାୱାର ପ୍ଲେ’ର ଛଅ ଓଭରରେ ଆଠଟି ଛକା ମାରି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ । ସେ ମାତ୍ର ୩୬ ବଲରେ ତାଙ୍କର ଶତକ ପୂରଣ କରିଥିଲେ । ଏହା ତାଙ୍କ ଟି-୨୦ କ୍ୟାରିୟରର ତୃତୀୟ ଶତକ ଥିଲା ।

ପ୍ରିୟାଂଶ ଆଜିର ଇନିଂସରେ ଅନେକ ରେକର୍ଡ ଭାଙ୍ଗିଥିଲେ । ସେ ୫୯ ବଲରେ ୧୪୯ ରନ୍ କରିଥିଲେ। ତା’ପରେ ସେ ତାମିଲନାଡୁ ଅଧିନାୟକ ସାଇ କିଶୋରଙ୍କ ଏକ ଓଭରରେ ଲଗାତାର ଦୁଇଟି ଛକା ମାରି ୧୫୦ ରନ୍ ସ୍କୋର ପାର କରିଥିଲେ । ଏହି ସଫଳତା ସହିତ, ସେ ଟି-୨୦ କ୍ରିକେଟରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଥିବା ତୃତୀୟ ଭାରତୀୟ ପୁରୁଷ ବ୍ୟାଟର ହୋଇଥିଲେ । ତାଙ୍କ ପୂର୍ବରୁ କେଏଲ ରାହୁଲ ଏବଂ ତିଲକ ବର୍ମା ଏହି ସଫଳତା ହାସଲ କରିଥିଲେ । ପୂର୍ବରୁ, ଟି-୨୦ରେ ଜଣେ ଭାରତୀୟ ବ୍ୟାଟରଙ୍କ ଦ୍ୱାରା ସର୍ବାଧିକ ବ୍ୟକ୍ତିଗତ ସ୍କୋର କେଏଲ ରାହୁଲ(୧୫୨)ଙ୍କ ନାଁରେ ଥିଲା । ତିଲକ ବର୍ମା ୨୦୨୪ରେ ମେଘାଳୟ ବିପକ୍ଷରେ ଅପରାଜିତ ୧୫୧ ରନ୍ କରିଥିଲେ । ଆର୍ଯ୍ୟ ଉଭୟଙ୍କୁ ପଛରେ ପକାଇ ଦେଇଥିଲେ ।

  • ପ୍ରିୟାଂଶ ଆର୍ଯ୍ୟଙ୍କ ରେକର୍ଡ ଇନିଂସ
  • ଜଣେ ଭାରତୀୟ ବ୍ୟାଟରଙ୍କ ଦ୍ୱାରା ସର୍ବାଧିକ ଟି-୨୦ ସ୍କୋର
  • ଭାରତରେ ଟି-୨୦ରେ ବ୍ୟାଟର ଦ୍ୱାରା ସର୍ବାଧିକ ସ୍କୋର
  • ଅଧିନାୟକ ଭାବରେ ଟି-୨୦ରେ ସର୍ବାଧିକ ସ୍କୋର
  • ସୈୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳାଯାଇଥିବା ସବୁଠାରୁ ବଡ଼ ଇନିଂସ
  • ଟି-୨୦ ଇତିହାସରେ ଦ୍ୱିତୀୟ ସର୍ବାଧିକ ଇନିଂସ
  • ପ୍ରିୟାଂଶ ଇନିଂସରେ ୧୯ଟି ଛକା ମାରିଥିଲେ, ଯାହା ଟି-୨୦ ଇନିଂସରେ ସର୍ବାଧିକ

ଆଉ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି । ସେ ଟି-୨୦ ଇନିଂସରେ ସର୍ବାଧିକ ଛକା ମାରିବାରେ ପୁନିତ ବିଷ୍ଟଙ୍କ ୧୭ଟି ଛକା ରେକର୍ଡ ଭାଙ୍ଗିଛନ୍ତି । ତେବେ ସେ ନ୍ୟୁଜିଲାଣ୍ଡର ଫିନ୍ ଆଲେନଙ୍କ ସହ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି । ସେହିପରି ଟି-୨୦ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ପାଇଁ ବିଶ୍ୱ ରେକର୍ଡରୁ ମାତ୍ର ଆଠ ରନ ପଛରେ ରହି ଯାଇଥିଲେ । ଦକ୍ଷିଣ ଆଫ୍ରିକାର ଲୁଆନ-ଡ୍ରେ ପ୍ରିଟୋରିଅସ୍ ନଭେମ୍ୱରରେ ଅପରାଜିତ ୧୮୯ ରନ କରି କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଥିଲେ ।